ଟ୍ରମ୍ପ୍‌-ଜିନ୍‌ପିଙ୍ଗ୍‌ ଆଲୋଚନା: ଚୀନ୍‌ ହିଁ ଉତ୍ତର କୋରିଆକୁ ସାବାଡ଼ କରିବ

ବେଜିଂ: ଚୀନ୍‌ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଆଜି ଚିନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ଉତ୍ତର କୋରିଆ ମାମଲାରେ ବିସ୍ତତ ଆଲୋଚନା କରିଛନ୍ତି। ଉତ୍ତର କୋରିଆକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ୍‌ ଫଳପ୍ରଦ ପ୍ରୟାସ କରିବା ଆବଶ୍ୟକ ଏବଂ ଚୀନ୍‌ ହାତରେ ହିଁ ଏହାକୁ ନିୟନ୍ତ୍ରଣ କରିବା ଉପାୟ ରହିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଉତ୍ତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବା ପାଇଁ ଟ୍ରମ୍ପ୍‌ ଜିନ୍‌ପିଙ୍ଗ୍‌ଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ଚୀନ୍‌-ଆମେରିକା ବାଣିଜ୍ୟିକ ସଂପର୍କରେ ମଧ୍ୟ ସୁଧାର ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ବ୍ୟାପାରରେ ସନ୍ତୁଳନ ନଷ୍ଟ ହୋଇଥିବାରୁ ଏଥିରେ ସୁଧାର ଆଣିବା ପାଇଁ ଆମେରିକା ତୟାର ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକାର କମ୍ପାନିଗୁଡ଼ିକ ପାଇଁ ଚୀନ୍‌ ତା’ର ବଜାରକୁ ଉନ୍ମୁକ୍ତ କରୁନଥିବା ଏବଂ ନାନା କଟକଣା ଲଗାଇଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ଟ୍ରମ୍ପ୍‌ ଗୁରୁତ୍ୱାରୋପ କରିଥିଲେ।

ଉତ୍ତର କୋରିଆ ସହ ଆର୍ଥିକ ସଂପର୍କ ଛିନ୍ନ କରିବା ପାଇଁ ଟ୍ରମ୍ପ୍‌ ଜିନ୍‌ପିଙ୍ଗ୍‌ଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ତର କୋରିଆକୁ ସାବାଡ଼ କରିବା ପାଇଁ ଚୀନ୍‌ ସମେତ ରୁଷ୍‌ର ସହାୟତା ମଧ୍ୟ ସେ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଚୀନ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଆଲୋଚନା ବେଳେ ଓବିଓଆର୍‌ ପ୍ରସଙ୍ଗ ଉଠାଇଛନ୍ତି। ଓ୍ଵାନ୍‌ ବେଲ୍‌୍‌ଟ ଓ୍ଵାନ୍‌ ରୋଡ ପ୍ରକଳ୍ପରେ ଆମେରିକୀୟ କମ୍ପାନିମାନେ ସାମିଲ ହୋଇ ଏହି କାର୍ଯ୍ୟକୁ ବ୍ୟାପକ କରିବାକୁ ଜିନ୍‌୍‌ପିଙ୍ଗ୍‌ କହିଛନ୍ତି। ଟ୍ରମ୍ପ୍‌ ଏଥିରେ ସହମତି ପ୍ରକାଶ କରିବା ସହ ଦୁଇ ରାଷ୍ଟ୍ର ମିଶି ଅନ୍ତର୍ଜାତୀୟ ସମସ୍ୟାଗୁଡ଼ିକର ସହଜ ସମାଧାନ କରିପାରିବେ ବୋଲି କହିଛନ୍ତି। ଉଭୟ ରାଷ୍ଟ୍ରର ବିଶ୍ୱ କଲ୍ୟାଣ ଦିଗରେ ମିଳିତ ଭାବେ କାର୍ଯ୍ୟ କଲେ କୌଣସି ସମସ୍ୟା ଦୀର୍ଘସ୍ଥାୟୀ ହୋଇ ରହିବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର