୨୭ରେ ଟ୍ରମ୍ପ୍‌-କିମ୍‌ ସମ୍ମିଳନୀ

ୱାସିଂଟନ୍: ଆାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ଆସନ୍ତା ଫେବ୍ରୁଆରି ୨୭ ଏବଂ ୨୮ ତାରିଖରେ ଦ୍ବିତୀୟ ସମ୍ମିଳନୀ ହେବ। ଭିଏତନାମର ହାନୋଇରେ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର ‌ହୋଇଛି। ଆଜି ଏନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରତିନିଧି ଏ ସଂକ୍ରାନ୍ତରେ ଉନ୍‌ଙ୍କ ସହ ଆଲୋଚନା କରି ସାରିଛନ୍ତି ଏବଂ ସମ୍ମିଳନୀର ସମୟ ମଧ୍ୟ ନିଧାର୍ଯ୍ୟ ହୋଇସାରିଛି ବୋଲି ଟ୍ରମ୍ପ୍‌ ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି। ପରମାଣୁ ନିରସ୍ତ୍ରୀକରଣ ନେଇ ଟ୍ରମ୍ପ୍‌ ଏବଂ ଉନ୍‌ଙ୍କ ମଧ୍ୟରେ ଏହା ଦ୍ବିତୀୟ ସମ୍ମିଳନୀ। ପୂର୍ବରୁ ଗତ ଜୁନ୍‌ରେ ସିଙ୍ଗାପୁର୍‌ରେ ପ୍ରଥମ ସମ୍ମିଳନୀ ହୋଇଥିଲା। ପ୍ରଥମ ସମ୍ମିଳନୀ ପରଠାରୁ ଉତ୍ତର କୋରିଆ ‌କୌଣସି କ୍ଷେପଣାସ୍ତ୍ର ପରୀକ୍ଷା କରିନଥିଲେ ମଧ୍ୟ ଏ ଦିଗରେ କୌଣସି ଦୃଢ଼ ପ୍ରତିଶ୍ରୁତି ଦେଇନାହିଁ। ଉଲ୍ଲେଖଯୋଗ୍ୟ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ତାଙ୍କ ନବବର୍ଷର ଉଦ୍‌ବୋଧନରେ ଟ୍ରମ୍ପ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ଆମେରିକା ଏହାର ପ୍ରତିଶ୍ରୁତି ରକ୍ଷା ନକରେ‌ ତେବେ ଉତ୍ତର କୋରିଆ‌ ପାଖରେ ବିକଳ୍ପ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର