ଚୀନ୍‌ ହାତରେ ଟ୍ରମ୍ପ-କିମ୍‌ ବୈଠକର ଚାବି!

ବେଜିଂ: ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଏବେ ବାତିଲ ହେବା ଆଶଙ୍କା କରାଯାଉଛି। ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଏହି ବହୁଚର୍ଚ୍ଚିତ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଉତ୍ତର କୋରିଆର ପରମାଣୁ ପରୀକ୍ଷଣ ସ୍ଥଗିତ ରଖାଯିବା ନେଇ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏବେ ଚୀନ୍‌ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଉତ୍ତରକୋରିଆର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ ଚୀନ ସହ ଆଲୋଚନା ପରେ ହିଁ କିମ୍‌-ଟ୍ରମ୍ପ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା। ଏଭଳି ସ୍ଥିତିରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ କୌଣସି ଚୁକ୍ତି ଚୀନ୍‌ର ଲକ୍ଷ୍ୟ ଓ ଆଭିମୁଖ୍ୟକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ଉପୁଜିଛି।

ଗତ ସପ୍ତାହରେ ଯେତେବେଳେ କିମ୍‌ ଏହି ଶିଖର ସମ୍ମିଳନୀ ରଦ୍ଦ କରାଯିବ ବୋଲି ଧମକ ଦେଇଥିଲେ, ସେତେବେଳେ ଟ୍ରମ୍ପ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ଯେ, ଏହା ପଛରେ ଅନ୍ୟ କୌଣସି ଶକ୍ତିଙ୍କ ପରୋକ୍ଷ ନିର୍ଦ୍ଦେଶ ରହିଛି। କାରଣ ଏହି ଦୁଇ ଶକ୍ତି ନିକଟତର ହେଲେ ଚୀନ୍‌ର ସୁରାକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ। ସେପଟେ,ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ବନ୍ଧୁତ୍ୱ ହେଲେ ମଧ୍ୟ ଚୀନକୁ ଫାଇଦା ମିଳିପାରିବ। କାରଣ କୌଣସି ବି ପରିସ୍ଥିତିରେ ଯୁଦ୍ଧ ହେଲେ ଉତ୍ତରକୋରିଆର ଶାସନ ଗାଦିରେ ପରିବର୍ତ୍ତନ ହେବାର ମଧ୍ୟ ଆଶଙ୍କା ରହିଛି। ଏଭଳି ହେଲେ ଚୀନ୍‌କୁ ଉତ୍ତର କୋରିଆରୁ ଫାଇଦା ମିଳିପାରିବ ନାହିଁ।

ସମ୍ବନ୍ଧିତ ଖବର