ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ କଡ଼ା ପଦକ୍ଷେପ ନେଇ ବ୍ରାଣ୍ଡେଡ୍‌ ଔଷଧ ଉପରେ ୧୦୦ ପ୍ରତିଶତ ଟିକସ ଲଗାଇଛନ୍ତି। ଆସନ୍ତା ଅକ୍ଟୋବର ୧ରୁ ଲାଗୁ ହେବାକୁ ଥିବା ଏହି ଶୁଳ୍କ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ଭାରତର ଏହାର ୩୧ ପ୍ରତିଶତ ଔଷଧ ଆମେରିକାକୁ ରପ୍ତାନି କରୁଛି। ପୂର୍ବରୁ ଭାରତର ଅନ୍ୟାନ୍ୟ ଜିନିଷ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ଟ୍ରମ୍ପ କହିଛନ୍ତି ‌ଯେ ଅକ୍ଟୋବର ୧ରୁ ବ୍ରାଣ୍ଡେଡ୍‌ ଔଷଧ ଶୁଳ୍କ ୧୦୦ ପ୍ରତିଶତ ହୋଇଯିବ। ତେବେ ଯେଉଁମାନେ ଆମେରିକାରେ ଔଷଧ ଉତ୍ପାଦନ କରିବାକୁ କାରଖାନା ସ୍ଥାପନ କରୁଛନ୍ତି, ସେମାନଙ୍କ ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଯେଉଁ କାରଖାନାଗୁଡ଼ିକର କାମ ଆରମ୍ଭ ହୋଇଗଲାଣି, ସେମାନଙ୍କୁ ଶୁଳ୍କ ଗଣିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

Advertisment

ଭାରତ ଅଧିକାଂଶ ଜେନେରିକ୍ ଔଷଧ ରପ୍ତାନି କରୁଛି। ତେଣୁ ଟ୍ରମ୍ପଙ୍କ ଘୋଷଣା ଏହାକୁ ବିଶେଷ ପ୍ରଭାବିତ କରିବ ନାହିଁ। କିନ୍ତୁ ଜେନେରିକ୍‌ ଔଷଧ ଉପରେ ଟିକସ ଲଗାଇଲେ ଭାରତ ପ୍ରଭାବିତ ହେବା ଆଶଙ୍କା ଦେଖାଦେବ। ଗତ ଅଗଷ୍ଟ ୨୭ରୁ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଳଗାଇଛି। ତାହା ପୋଷାକ, ରତ୍ନପଥର ଓ ଗହଣା, ଆସବାବପତ୍ର, ସିଫୁଡ୍‌ ଭଳି ରପ୍ତାନିକାରୀଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଛି। ଆମେରିକାକୁ ଜେନେରିକ୍ ଔଷଧ ପଠାଉଥିବା ସବୁଠୁ ବଡ଼ ଦେଶ ହେଉଛି ଭାରତ। ୨୦୨୪ରେ ଏହା ଆମେରିକାକୁ ୭୭ ହଜାର କୋଟି ଟଙ୍କାର ଔଷଧ ପଠାଇଥିଲା। ଏହା ଦେଶର ମୋଟ୍ ଔଷଧ ରପ୍ତାନିର ୩୧% ଥିଲା। ଆମେରିକାର ଡାକ୍ତରମାନେ ରୋଗୀଙ୍କ ପାଇଁ ଯେଉଁ ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି, ସେଥିରୁ ପ୍ରତି ୧୦ ଔଷଧରୁ ଅତିକମ୍‌ରେ ୪ ଔଷଧ ଭାରତ ପଠାଉଛି। ଭାରତର ଫାର୍ମା କମ୍ପାନି ଯଥା ଡକ୍ଟର ରେଡ୍ଡିଜ୍‌, ସନ୍ ଫାର୍ମା, ଲୁପିନ୍‌ କେବଳ ଜେନେରିକ୍ ଔଷଧ ପଠାଉନାହାନ୍ତି, ସେମାନେ କିଛି ବ୍ରାଣ୍ଡେଡ୍‌ ଔଷଧ ମଧ୍ୟ ତିଆରି କରୁଛନ୍ତି। 

ବ୍ରାଣ୍ଡେଡ୍‌ ବା ପେଟେଣ୍ଟଯୁକ୍ତ ଔଷଧ ହେଉଛି ସେହି ଔଷଧ ଯାହାକୁ କୌଣସି ନିର୍ଦ୍ଦିଷ୍ଟ କମ୍ପାନିର ବୈଜ୍ଞାନିକମାନେ ଗବେଷଣା ଜରିଆରେ ବିକାଶ କରିଥାନ୍ତି। ସେମାନେ ସେଥିପାଇଁ ପେଟେଣ୍ଟ ହାସଲ କରିବା ପରେ ତାହାକୁ କେବଳ ନିଜେ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବାର ଅନୁମତି ପାଇଥାନ୍ତି। ସେହି ସମୟ ଭିତରେ ଅନ୍ୟ କୌଣସି ସଂସ୍ଥା ଉକ୍ତ ଫର୍ମୁଲାର ନକଲ କରିପାରିବେ ନାହିଁ। କିନ୍ତୁ ଜେନେରିକ୍ ଔଷଧ ହେଉଛି ଲାଇସେନ୍ସ ବା ପେଟେଣ୍ଟ ଅବଧି ଶେଷ ହୋଇଯାଇଥିବା ଔଷଧ। ସେଗୁଡ଼ିକୁ ଯେକୌଣସି ସଂସ୍ଥା ପ୍ରସ୍ତୁତ କରିପାରନ୍ତି। ବ୍ରାଣ୍ଡେଡ୍‌ ଔଷଧ ତୁଳନାରେ ଜେନେରିକ୍ ଔଷଧ ଦାମ ୮୦-୯୦ ପ୍ରତିଶତ କମ୍ ରହିଥାଏ।