ହସ୍ପିଟାଲ ଛାଡ଼ି ସମର୍ଥକଙ୍କୁ ସ୍ୱାଗତ ଜଣାଇଲେ ଟ୍ରମ୍ପ୍‌, ଆପତ୍ତି ଉଠାଇଲେ ଡାକ୍ତର

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସୋମବାର କିଛି ସମୟ ପାଇଁ ସେ ଚିକିତ୍ସିତ ହେଉଥିବା ଓ୍ୱାଲଟର ରିଡ୍‌ ନ୍ୟାସନାଲ୍‌ ମିଲିଟାରି ମେଡିକାଲ ସେଣ୍ଟର ଛାଡ଼ି ବାହାରେ ଏକ ମୋଟର ଶୋଭାଯାତ୍ରାରେ ସମର୍ଥକମାନଙ୍କୁ ସ୍ବାଗତ କରିଛନ୍ତି। ତେବେ ତାଙ୍କର ଏଭଳି ଆଚରଣରେ କରୋନା ଭୂତାଣୁର ସାଂଘାତିକ ସଂକ୍ରମଣ ଆଶଙ୍କା କରି ସଂପୃକ୍ତ ଡାକ୍ତରଖାନାର ଡା.ଜେମ୍‌ସ ପି ଫିଲ୍ଲିପ୍‌ସ ଆପତ୍ତି ଉଠାଇଛନ୍ତି। ଏହା ଏକ ପ୍ରକାର ପାଗଳାମି ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ଏ ପ୍ରକାର ରାଜନୈତିକ ନାଟକରେ ଲୋକଙ୍କ ଜୀବନକୁ ଅଯଥାରେ ବାଜି ଲଗାଯାଇଛି ବୋଲି ସେ ଟିପ୍ପଣୀ କରିଛନ୍ତି। ସୂଚନା ଥାଉ କି, କୋଭିଡ୍‌ରେ ପୀଡ଼ିତ ଟ୍ରମ୍ପ୍‌ଙ୍କୁ ପାଞ୍ଚ ଦିନ ଲାଗି ଭୂତାଣୁ ବିରୋଧୀ ଇଞ୍ଜେକ୍ସନ ରେମଡେସିଭିର ଦିଆଯିବାକୁ ଥିବା ବେଳେ ଦୁଇ ଦିନର ମାତ୍ରା ପରେ ସେ ସୋମବାର ସୁଦ୍ଧା ହ୍ବାଇଟ୍‌ହାଉସ୍‌ ଫେରିଯାଇ ସେଠାରେ ଚିକିତ୍ସାଧୀନ ରହିବେ ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ।

ତେବେ ଟ୍ରମ୍ପ୍‌ ଏହି ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଭ୍ରମଣ କରିବେ ବୋଲି ଟ୍ବିଟ୍‌ କରିବା ସହ ତାହାର କିଛି ସମୟ ପରେ ସୋମବାର ସକାଳେ ମାସ୍କ ପିନ୍ଧି ଏକ କାର୍‌ର ପଛଭାଗରେ ଛିଡ଼ା ହୋଇଥିବା ଦେଖାଯାଇଥିଲେ। ଵାଲଟର ରିଡ୍‌ ମେଡିକାଲ୍‌ ସାମନାରେ ସମର୍ଥକମାନେ ଅପେକ୍ଷା କରିଥିବା ବେଳେ ଗାଡ଼ି ଭିତରେ ଥାଇ ଟ୍ରମ୍ପ୍‌ ସେମାନଙ୍କୁ ସ୍ବାଗତ ଜଣାଇବା ଲାଗି ହାତ ହଲେଇ ମାଡ଼ି ଆସିଥିଲେ। ‘ମୁଁ ଏଥର ଆସିଗଲି, ଏହା ଏକ ମଜାଦାର ଗସ୍ତ ଥିଲା। କୋଭିଡ୍‌ ବିଷୟରେ ମୁଁ ଅନେକ କିଛି ଜାଣିଗଲି’ ବୋଲି ହସ୍ପିଟାଲ ଆଗରେ ଟ୍ରମ୍ପ୍‌ କହୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିଲା। ତେବେ ସମର୍ଥକଙ୍କ ଗହଣରେ ଟ୍ରମ୍ପ୍‌ଙ୍କ ଏପରି ଗାଡ଼ି ଶୋଭାଯାତ୍ରା ଉପରେ ଟିପ୍ପଣୀ ରଖି ଡା. ଫିଲ୍ଲିପ୍ସ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରି ସେ କୋଭିଡ୍‌ ସମ୍ପର୍କରେ କିଛି ଶିକ୍ଷା ଲାଭ କରିନାହାନ୍ତି ବୋଲି କହିଛନ୍ତି। ଏ ପ୍ରକାର ଅଦ୍ଭୁତ ଦାୟିତ୍ବହୀନତା ଆଦୌ ସହଣୀୟ ନୁହେଁ। ରାଷ୍ଟ୍ରପତିଙ୍କ ଗାଡ଼ିଟି ବୁଲେଟ୍‌ପ୍ରୁଫ୍‌ ହେବା ସହିତ କୌଣସି ପ୍ରକାର ରାସାୟନିକ ଆକ୍ରମଣରୁ ବର୍ତ୍ତିଯିବା ପାଇଁ ତାହା ଏଭଳି ସିଲ୍‌ କରାଯାଇଛି, ଯାହା ଭିତରେ ସଂକ୍ରମଣ ଆଶଙ୍କା ବାହାର ଠାରୁ ଅଧିକ। ଶୋଭାଯାତ୍ରାରେ ଭାଗ ନେଇଥିବା ଅଂଶଗ୍ରହଣକାରୀକୁ ୧୪ ଦିନ ଯାଏ ଏକାନ୍ତବାସରେ ରହିବାକୁ ହେବ। ସେମାନେ ଅସୁସ୍ଥ ହୋଇ ମରି ବି ଯାଇପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର