ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ କି ୪ ବର୍ଷର ବ୍ୟବଧାନ ପରେ ଚମକପ୍ରଦ ବିଜୟ ସହ ପୁନଃନିର୍ବାଚିତ ହୋଇଛନ୍ତି। ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ୨୦୨୦ ନିର୍ବାଚନରେ ସେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ହାରିଯାଇଥିଲେ। ଚଳିତ ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ୍ଙ୍କୁ ପରାଜିତ କରି ଟ୍ରମ୍ପ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ଟ୍ରମ୍ପ ଆମେରିକୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ପ୍ରତ୍ୟେକ ଆମେରିକୀୟ ପରିବାରର କଲ୍ୟାଣ ପାଇଁ ମୁଁ ଅହରହ କାମ କରିବି ଏବଂ ଏଥିପାଇଁ ଈଶ୍ବର ମୋ ଜୀବନ ରକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନ୍ସିଲଭାନିଆରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀର ଏକ ଗୁଳି ତାଙ୍କ କାନକୁ ଛୁଇଁଥିଲା ଏବଂ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଡୋନାଲ୍ଡ ଟ୍ରମ୍ପ ଆଜି ସଂଖ୍ୟାଗରିଷ୍ଠତା ସଂଖ୍ୟା ୨୭୦ ଛୁଇଁବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଥିଲା ଏବଂ ବିଶ୍ବ ନେତାମାନେ ଟ୍ରମ୍ପଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଟ୍ରମ୍ପଙ୍କ ଦଳକୁ ୨୯୪ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ କମଳା ହାରିସ୍ଙ୍କ ଦଳକୁ ୨୨୩ ଭୋଟ୍ ମିଳିଛି। ଆଜି ବିଜୟ ସୁନିଶ୍ଚିତ ହେବାପରେ ୭୮ ବର୍ଷୀୟ ଟ୍ରମ୍ପ ତାଙ୍କ ପରିବାର ସହ ଫ୍ଲୋରିଡାରେ ଆୟୋଜିତ ବିଜୟ ସମାବେଶ ମଞ୍ଚରେ ପହଞ୍ଚି ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ। ବିଜୟ ଭାଷଣରେ ଟ୍ରମ୍ପ କହିଛନ୍ତି ଯେ ମୋ ଶରୀରର ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ମୁଁ ଆପଣ ଓ ଆପଣଙ୍କ ପରିବାର ପାଇଁ କାମ ଜାରି ରଖିବି। ଆମେ ମିଳିମିଶି ଆମେରିକାକୁ ପୁଣି ଥରେ ମହାନ କରିବା। ଉତ୍ତର କାରୋଲିନା, ଜର୍ଜିଆ ଏବଂ ପେନ୍ସିଲଭାନିଆ, ଆଲାସ୍କା ସମେତ ଅନେକ ପ୍ରମୁଖ ରାଜ୍ୟରେ ଆମର ବିଶାଳ ବିଜୟ ଏକ ବୈପ୍ଳବିକ ପରିବର୍ତ୍ତନର ବାର୍ତ୍ତା ଦେଉଛି ବୋଲି ଟ୍ରମ୍ପ କହିଛନ୍ତି।
‘ଏଥିପାଇଁ ଈଶ୍ବର ମୋ ଜୀବନ ରକ୍ଷା କରିଥିଲେ’
ଭାରତ-ଆମେରିକା ସଂପର୍କ ଅଧିକ ସୁଦୃଢ଼ ହେବ: ମୋଦୀ
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ସହିତ ଆମେରିକା ସଂସଦର ଉଭୟ ଗୃହ, ସିନେଟ୍ ଓ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ (ପ୍ରତିନିଧି ସଭା) ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆମେରିକାରେ ସମୁଦାୟ ୫୦ଟି ରାଜ୍ୟ ରହିଛି ଏବଂ ଏସବୁ ରାଜ୍ୟରେ ମୋଟ ନିର୍ବାଚକ ଆସନ ହେଉଛି ୫୩୮। ରାଷ୍ଟ୍ରପତି ପଦ ପାଇବା ପାଇଁ ୨୭୦ ଭୋଟ୍ (ଭୋଟର୍) ଆବଶ୍ୟକ ଥିବା ବେଳେ ଟ୍ରମ୍ପ୍ ମ୍ୟାଜିକ୍ ନମ୍ବରଠାରୁ ଯଥେଷ୍ଟ ଆଗକୁ ବଢ଼ିଛନ୍ତି। ଆମେରିକାରେ ୯୩ଟି ଆସନ ଥିବା ୭ଟି ସ୍ୱିଙ୍ଗ ରାଜ୍ୟରେ ରିପବ୍ଲିକାନ ଦଳର ବିଜୟ ଟ୍ରମ୍ପଙ୍କ କ୍ଷମତା ଅକ୍ତିଆର ରାସ୍ତାକୁ ସୁଗମ କରିଦେଇଛି। ସିନେଟ୍ରେ ରିପବ୍ଲିକାନ୍ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ପ୍ରତିନିଧି ସଭାରେ ମଧ୍ୟ ଆଗୁଆ ରହିଛି। ସୂଚନାଯୋଗ୍ୟ, ୧୩୨ ବର୍ଷ ପୂର୍ବେ ଗ୍ରୋଭର କ୍ଲିଭଲାଣ୍ଡ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ। ୪ ବର୍ଷର ବ୍ୟବଧାନ ସହ ୧୮୮୪ ଓ ୧୮୯୨ରେ ସେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ଏବେ ୪ ବର୍ଷ ବ୍ୟବଧାନରେ ଟ୍ରମ୍ପ ହ୍ୱାଇଟ ହାଉସକୁ ଫେରୁଥିବାରୁ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ରୁଷ୍-ୟୁକ୍ରେନ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟ ସଂଘର୍ଷର ତୁରନ୍ତ ପରିସମାପ୍ତି ଦିଗରେ ପ୍ରୟାସ କରିବେ ବୋଲି ଟ୍ରମ୍ପ ଘୋଷଣା କରିଥିବାରୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ ପରେ ଏହା ତାଙ୍କର ପ୍ରାଥମିକତା ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରମ୍ପ୍ଙ୍କ ଐତିହାସିକ ନିର୍ବାଚନ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଟ୍ରମ୍ପ ତାଙ୍କ ଦ୍ବିତୀୟ ପାଳି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ଭାରତ-ଆମେରିକା ସମ୍ପର୍କ ଅଧିକ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଟ୍ରମ୍ପଙ୍କୁ ଫୋନ୍ରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଆମର ସହଯୋଗକୁ ନବୀକରଣ କରିବାକୁ ଆଗ୍ରହୀ। ଲୋକଙ୍କ ଉନ୍ନତି ତଥା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କାମ କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/11/637673-modi-trump-pti.jpg)