ରାଣୀଙ୍କୁ ଅପମାନ, ବିବାଦରେ ଟ୍ରମ୍ପ୍‌ଙ୍କ ବ୍ରିଟେନ୍‌ ଗସ୍ତ

ଲଣ୍ଡନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବ୍ରିଟେନ୍‌ ଗସ୍ତ ବିବାଦୀୟ ହୋଇପଡ଼ିଛି। ଟ୍ରମ୍ପ୍‌ଙ୍କ ବ୍ରିଟେନ୍‌ ଗସ୍ତ ଅବସରରେ ଓ୍ଵିଣ୍ଡ୍‌ସର କ୍ୟାସେଲ୍‌ରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଏଠାରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଟ୍ରମ୍ପ୍‌ଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ସେ ବହୁ ବିଳମ୍ବରେ ପହଞ୍ଚି ତାଙ୍କୁ ଅପମାନ କରିଥିଲେ। ଏହାକୁ ସେଠାରେ ଅନେକ ଲୋକ ନାପସନ୍ଦ କରିଥିଲେ। ଏହାପରେ ଟ୍ରମ୍ପ୍‌ ରେଡ୍‌ କାର୍ପେଟ୍‌ରେ ମଧ୍ୟ ପ୍ରୋଟୋକଲ୍‌ ଭାଙ୍ଗିଥିଲେ। ଏହାଦ୍ୱାରା ରାଣୀ ଏଲିଜାବେଥ୍‌ଙ୍କୁ ସେ ଦ୍ୱିତୀୟ ଥର ଅପମାନ କରିଥିବା କୁହାଯାଉଛି। ପ୍ରୋଟୋକଲ୍‌ ଅନୁସାରେ ରେଡ୍‌ କାର୍ପେଟ୍‌ରେ ୯୨ ବର୍ଷୀୟା ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆଗରେ ଚାଲିବା କଥା। ତାଙ୍କ ପଛରେ ରାଷ୍ଟ୍ରର ଅତିଥି ଭାବେ ୭୨ ବର୍ଷୀୟ ଟ୍ରମ୍ପ୍‌ ଏବଂ ଅନ୍ୟ ଅଧିକାରୀ ଯିବା ଉଚିତ। କିନ୍ତୁ ଟ୍ରମ୍ପ୍‌ ଏହି ପ୍ରୋଟୋକଲ୍‌କୁ ଭାଙ୍ଗିଦେଇ ତାଙ୍କୁ ଅତିକ୍ରମ କରି ଆଗକୁ ମାଡ଼ି ଚାଲିଥିଲେ। ସେଠାରେ ଉପସ୍ଥିତ ଥିବା ଅନେକ ଅଧିକାରୀ ଏହାକୁ ନାପସନ୍ଦ କରିଥିଲେ। ସେମାନେ ଆଶ୍ଚର୍ଯ୍ୟଚକିତ ହୋଇ ଏହି ଦୃଶ୍ୟ ଦେଖୁଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି। ଏହି ଭିଡିଓରେ ୟୁଜରମାନେ ‘ପ୍ରୋଟୋକଲ୍‌ ବ୍ରେକ୍‌’ ବୋଲି ଉଲ୍ଲେଖ କରି ଟ୍ରମ୍ପ୍‌ଙ୍କୁ ସମାଲୋଚନା କରିଛନ୍ତି। ଆମେରିକା ଭଳି ରାଷ୍ଟ୍ରର ମୁଖ୍ୟ ହୋଇ ମଧ୍ୟ ତାଙ୍କୁ ଏହି ସାଧାରଣ ପ୍ରୋଟୋକଲ୍‌ ସମ୍ବନ୍ଧରେ ଜଣା ନ ଥିବା ନିହାତି ପରିତାପର ବିଷୟ ବୋଲି ସେମାନେ ଦର୍ଶାଇଛନ୍ତି। ଅନ୍ୟ ଏକ ରିପୋର୍ଟ ଦର୍ଶାଇଛି ଯେ ଟ୍ରମ୍ପ୍‌ଙ୍କ ଖାମଖିଆଲି ଯୋଗୁ ୯୨ ବର୍ଷୀୟା ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଅନେକ ସମୟ ଧରି ଖରାରେ ଠିଆହେବାକୁ ପଡ଼ିଥିଲା। ଖରାରେ ଏତେ ସମୟ ଠିଆ ହେବା ପରେ ସେ ଥକିପଡ଼ିଥିଲେ। ଏହାପରେ ଟ୍ରମ୍ପ୍‌ ପହଞ୍ଚିବା ପରେ ସେମାନେ ରେଡ୍‌ କାର୍ପେଟ୍‌ରେ ଚାଲି ଚାଲି ଓ୍ଵିଣ୍ଡସର କ୍ୟାସେଲ୍‌ ପର୍ଯ୍ୟନ୍ତ ଯାଇଥାନ୍ତେ। କିନ୍ତୁ ଏତେ ସମୟ ଖରାରେ ଠିଆ କରାଇବା ପରେ ବି ଟ୍ରମ୍ପ୍‌ ପ୍ରୋଟୋକଲ୍‌ ଭାଙ୍ଗି ରାଣୀଙ୍କୁ ପଛରେ ଛାଡ଼ି ପଳାଇଥିଲେ।

ଉଲ୍ଲେଖଯୋଗ୍ୟ, ପତ୍ନୀ ମେଲାନିଆ ଟ୍ରମ୍ପ୍‌ଙ୍କ ସହିତ ଆମେରିକା ରାଷ୍ଟ୍ରପତି ଶୁକ୍ରବାର ଲଣ୍ଡନ ଗସ୍ତରେ ଆସିଥିଲେ। ଉଭୟଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ସେମାନେ ସେନା ପରେଡ୍‌ ଦେଖିଥିଲେ। ଏହାପରେ ଓ୍ଵିଣ୍ଡସର କ୍ୟାସେଲ୍‌ରେ ରାଣୀଙ୍କ ସହିତ ଚା ପିଇଥିଲେ। ଏହାପରେ ଟ୍ରମ୍ପ୍‌ ଦମ୍ପତି ଗ୍ଲାସ୍‌ଗୋ ଅଭିମୁଖେ ଗସ୍ତ କରିଥିଲେ। ଲଣ୍ଡନ ଗସ୍ତ ପରେ ଟ୍ରମ୍ପ୍‌ ଟ୍ଵିଟ୍‌ କରି କହିଛନ୍ତି, ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଜଣେ ମହାନ ମହିଳା। ତାଙ୍କ ପତ୍ନୀ ମେଲାନିଆ ରାଣୀଙ୍କର ଜଣେ ବଡ଼ ଫ୍ୟାନ୍‌। ୨୦୧୧ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଆମେରିକା ଗସ୍ତରେ ଆସି ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଭେଟିଥିଲେ। ଏହି ସମୟରେ ଓବାମା ରାଣୀଙ୍କୁ ତାଙ୍କ ପିତାମାତାଙ୍କ ଫଟୋ ଉପହାର ଦେଇଥିଲେ। ରାଣୀଙ୍କ ପିତାମାତା ୧୯୩୯ରେ ଆମେରିକା ଗସ୍ତ ସମୟରେ ଏହି ଫଠୋ ଉଠାଯାଇଥିଲା।

ସମ୍ବନ୍ଧିତ ଖବର