ଫୋନ୍‌ରେ ମାଳଦ୍ୱୀପ ପରିସ୍ଥିତି ଆଲୋଚନା କଲେ ଟ୍ରମ୍ପ୍‌ ଓ ମୋଦି

ଓ୍ଵାସିଂଟନ୍‌: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ମାଳଦ୍ୱୀପର ରାଜନୈତିକ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ନେତା ଆଫଗାନିସ୍ତାନ ପରିସ୍ଥିତି ଏବଂ ଇଣ୍ଡୋ-ପେସିଫିକ୍‌ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇବା ପ୍ରସଙ୍ଗ ମଧ୍ୟ ଆଲୋଚନା କରିଥିଲେ ବୋଲି ହ୍ଵାଇଟ୍‌ ହାଉସ୍‌ କହିଛି।

ମାଳଦ୍ୱୀପ ସଙ୍କଟ ଏବଂ ଗଣତାନ୍ତ୍ରିକ ସଂସ୍ଥାନ ଏବଂ ଆଇନ୍‌ର ନିୟମ ଆଦିର ଗୁରୁତ୍ୱ ସମ୍ପର୍କରେ ଉଭୟ ନେତା ଚିନ୍ତା ଉଦ୍ରେକ କରିଥିଲେ ବୋଲି ଫୋନ୍‌କଲ୍‌ ସଂକ୍ରାନ୍ତରେ ହ୍ଵାଇଟ୍‌ ହାଉସ୍‌ କହିଛି। ଏହାଥିଲା ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ଏ ବର୍ଷର ପ୍ରଥମ ଫୋନ୍‌ କଥାବାର୍ତ୍ତା।

ହ୍ଵାଇଟ୍‌ ହାଉସ୍‌ କହିଛି ଯେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳରେ ନିରାପତ୍ତା ଏବଂ ସମୃଦ୍ଧି ବଢ଼ାଇବା ପାଇଁ ଦୁଇ ନେତା ଏକତ୍ର କାର୍ଯ୍ୟ କରିବେ ବୋଲି ପଣ କରିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦକ୍ଷିଣ ଏସୀୟ ରଣନୀତିକୁ ଦୃଢ଼ କରି ଉଭୟ ନେତା ଆଫଗାନିସ୍ତାନର ନିରାପତ୍ତା ଏବଂ ସ୍ଥିରତା ପାଇଁ ବଦ୍ଧପରିକର ବୋଲି କହିଥିବା କଥା ହ୍ଵାଇଟ୍‌ ହାଉସ୍‌ କହିଛି।

ମିଅାଁମାର ଏବଂ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ମଧ୍ୟ ମୋଦି ଓ ଟ୍ରମ୍ପ୍‌ ମତ ବିନିମୟ କରିଥିଲେ। ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମ ବିପକ୍ଷରେ ଅଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଟ୍ରମ୍ପ୍‌ ଏବଂ ମୋଦି ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର