ନରମିଲା ଚୀନ୍‌; ପରିସ୍ଥିତି ସ୍ଥିର

ମଧ୍ୟସ୍ଥତା ପାଇଁ ଟ୍ରମ୍ପ୍‌ ଆଗ୍ରହୀ

ୱାସିଂଟନ : ଲଦାଖର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଯେକୌଣସି ମୁହୂର୍ତରେ କିଛି ଅଘଟଣ ଘଟିପାରେ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଉତ୍ତେଜନାକୁ ହ୍ରାସ କରିବା ଲାଗି ଆ‌େମ‌ରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ବିଶେଷ ଗୁରୁତ୍ବ ନଦେବାକୁ ଚୀନ କହିଛି। ଚୀନ ବେ‌ୖଦେଶିକ ବିଭାଗର ମୁଖପାତ୍ର ଆଜି ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୀମାରେ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଛି। ଉଭୟ ରାଷ୍ଟ୍ର ଆଲୋଚନା ମାଧ୍ୟମରେ ଯେ କୌଣସି ସମସ୍ୟା ଏବଂ ଉତ୍ତେଜନାକୁ ଟାଳିବା ପାଇଁ ସାମର୍ଥ୍ୟ ରଖୁଛନ୍ତି। ଉଭୟ ପକ୍ଷ ଏଥିପାଇଁ ସର୍ବଦା ପ୍ରସ୍ତୁତ। ସେହିଭଳି ଭାରତ‌େର ଚୀନ ରାଷ୍ଟ୍ରଦୂତ ସୁନ୍ ୱିଡଙ୍ଗ୍ କହିଛନ୍ତି ଯେ ଏଭଳି ଘଟଣାକୁ ବିଶେଷ ଗୁରୁତ୍ବ ଦେବା ଉଚିତ ନୁ‌େହଁ। ଆଲୋଚନା ମାଧ୍ୟମରେ ଉଭୟ ଦେଶ ସମସ୍ତ ମତ ପାର୍ଥକ୍ୟ ଦୂର କରିବା ଉଚିତ। ଉଭୟ ଦେଶ ବିକାଶ ଉପରେ ଗୁରୁତ୍ବ ଦିଅନ୍ତୁ। ସେମାନେ ଭଲ ପଡ଼ୋଶୀ ହୋଇପାରିବେ। ଉଭୟ ପରସ୍ପର ପ୍ରତି ବିପଦ ବୋଲି ଧାରଣା ରହିବା ଉଚିତ ନୁହେଁ।

ଅନ୍ୟପକ୍ଷରେ ଲଦାଖରେ ଜାରି ରହିଥିବା ଉତ୍ତେଜନା ହ୍ରାସ ପାଇଁ ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି, ସେ ଉଭୟ ଭାରତ ଓ ଚୀନ୍‌ର ବନ୍ଧୁ ଥିବାରୁ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛନ୍ତି। ଟ୍ରମ୍ପ୍‌ ଟ୍ବିଟ୍‌ କରି କହିଛନ୍ତି ଯେ ଆମେ ଭାରତ ଏବଂ ଚୀନ୍‌ ମଧ୍ୟରେ ମଧ୍ୟସ୍ଥତା କରିପାରିବୁ। ଦ୍ବିପାକ୍ଷିକ ସୀମା ବିବାଦରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ୍‌ଙ୍କ ଏଭଳି ଆଗ୍ରହ ଏବେ ଚର୍ଚ୍ଚାରେ ରହିଛି। ପୂର୍ବରୁ ମଧ୍ୟ ଭାରତ-ପାକିସ୍ତାନ ପ୍ରସଙ୍ଗରେ ଟ୍ରମ୍ପ୍‌ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଭାରତ ଟ୍ରମ୍ପ୍‌ଙ୍କର ଏ ବାବଦ କୌଣସି ପ୍ରସ୍ତାବକୁ ଗ୍ରହଣ କରିନଥିଲା।

ସମ୍ବନ୍ଧିତ ଖବର