କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ପ୍ରସ୍ତୁତ : ଟ୍ରମ୍ପ

ମୋଦୀ ଧର୍ମୀୟ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଛନ୍ତି

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦୃଢମନା ବ୍ୟକ୍ତି, ସେ ଆତଙ୍କବାଦକୁ ଭଲଭାବରେ ଦମନ କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ନିଜର ଭାରତ ଗସ୍ତର ଦ୍ବିତୀୟ  ଦିନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ କଣ୍ଟା ସଦୃଶ । ଏହି ସମସ୍ୟାର କାରଣ ସଂପର୍କରେ ଉଭୟ ଦେଶରେ ଅଲଗା ଅଲଗା କଥା କୁହାଯାଉଛି । ତେବେ ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି । ଉଭୟ ଦେଶ ଚାହିଁଲେ ଆମେରିକା ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ ।

ତେବେ ଭାରତର ନାଗରିକତା ଆଇନ ସଂପର୍କରେ ରାଷ୍ଟ୍ରପତି ଯ୍ରମ୍ଫ କହିଛନ୍ତି ଯେ ଏ ସଂପର୍କରେ କିଛି ମନ୍ତବ୍ୟ ଦେବେ ନାହିଁ । କିନ୍ତୁ ସେ ଭାବୁଛନ୍ତି ଯେ ଭାରତ ସରକାର ଯାହା କରୁଛନ୍ତି ଭାବିଚିନ୍ତି କରୁଛନ୍ତି । ସେ କହିଛନ୍ତି, ମୋଦୀ ଭାରତରେ ଧର୍ମୀୟ ସ୍ୱାଧୀନତା ଦିଗରେ କାର୍ଯ୍ୟକରୁଛନ୍ତି । ଭାରତରେ ପ୍ରାୟ ୨୦ କୋଟି ମୁସଲିମ ଅଛନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ସରକାର କାର୍ଯ୍ୟକରୁଛନ୍ତି । ଦିଲ୍ଲୀରେ ହୋଇଥିବା ହିଂସା ସଂପର୍କରେ ପ୍ରଶ୍ନ କରାଯିବାରୁ ସେ ମନ୍ତବ୍ୟ ଦେଇଛନ୍ତି ଯେ ଏ ସଂପର୍କରେ ସେ ଶୁଣିଛନ୍ତି, କିନ୍ତୁ ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୫୦-୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ହୋଇ ରହିବ ।

ଅନ୍ୟପକ୍ଷରେ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅତ୍ୟଧିକ କର ବସାଉଛି ବୋଲି ମତ ରଖିବା ସହ  ଏହି ସମସ୍ୟାର ସମାଧାନ ବାହାର କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର