ନିଜ ସହଯୋଗୀ ସମେତ ୭୩ ଜଣଙ୍କୁ କ୍ଷମା କଲେ ଟ୍ରମ୍ପ୍‌, ନିଜକୁ କି ପରିବାର ପ୍ରତି ଦୟା ଦେଖାଇନାହାନ୍ତି

ଵାସିଂଟନ: ନିଜ କାର୍ଯ୍ୟକାଳର ଅନ୍ତିମ ମୁହୂର୍ତ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜ ପ୍ରାକ୍ତନ ସହଯୋଗୀ ଷ୍ଟିଭ୍‌ ବାନନ୍‌ଙ୍କ ସମେତ ୭୩ ଜଣଙ୍କୁ କ୍ଷମା କରିଦେଇଥିବା ବେଳେ ନିଜକୁ କିମ୍ବା ନିଜ ପରିବାରକୁ ଅଥବା ବିଶ୍ବସ୍ତ ଆଇନଜୀବୀ ରୁଡି ଗିଉଲିଆନିଙ୍କ ପ୍ରତି ଆଦୌ ସଦୟ ହୋଇନଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, ସେ ନିଜକୁ କ୍ଷମା କରିଦେବା ଉଚିତ୍‌ ନୁହେଁ ବୋଲି ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଯୁକ୍ତି କରାଯାଇଛି। କାରଣ ଏପରି କରିଥିଲେ ହୁଏ ତ ସେ କିମ୍ବା ତାଙ୍କ ପରିବାର କୌଣସି ଅପରାଧରେ ଜଡ଼ିତ ଥିଲେ ବୋଲି ଅନ୍ୟମାନେ ଧରିନେଇଥାନ୍ତେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି।

ସୂଚନା ଥାଉ କି, ଆମେରିକା ସମ୍ବିଧାନରେ ରହିଥିବା ଏହି କ୍ଷମା ପ୍ରସଙ୍ଗ ଜଣେ ରାଷ୍ଟ୍ରପତିଙ୍କ ପାଇଁ ସର୍ବାଧିକ ଉପଲବ୍‌ଧ କ୍ଷମତା କହିଲେ ଅତ୍ୟୁକ୍ତି ହେବନାହିଁ। ସାଧାରଣତଃ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇସାରିଥାନ୍ତି, ସେମାନଙ୍କ ପାଇଁ ରାଷ୍ଟ୍ରପତିଙ୍କ ଏହି କ୍ଷମାପ୍ରଦାନ ପ୍ରଯୁଜ୍ୟ ହୋଇଥିବା ବେଳେ ଏହାର ପରିସର ଆଇନଗତ ପ୍ରକ୍ରିୟାରେ ସାମିଲ ହୋଇପାରିନଥିବା ମାମଲାଗୁଡ଼ିକ ପାଇଁ ମଧ୍ୟ ଆଶ୍ବସ୍ତି ଆଣିଥାଏ। ରାଷ୍ଟ୍ରପତିଙ୍କ ଏଭଳି କ୍ଷମାପ୍ରଦାନକୁ ସରକାରଙ୍କ କୌଣସି ବିଭାଗ ପୁନର୍ବିଚାର କରିପାରିବେ ନାହିଁ କି ରାଷ୍ଟ୍ରପତି ଏଥିପାଇଁ କାରଣ ଦର୍ଶାଇବା ଜରୁରୀ ନୁହେଁ। ତେବେ ଏଭଳି କ୍ଷମତା ନିରପେକ୍ଷ ନୁହେଁ, ଏହା କେବଳ ସଂଘୀୟ ଅପରାଧ ପାଇଁ ଲାଗୁ ହୋଇଥାଏ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦ୍ବାରା ଏପରି କ୍ଷମା ପାଇବାରେ ୬୭ ବର୍ଷୀୟ ବାନନ୍‌ ହେଉଛନ୍ତି ସଦ୍ୟ ରାଜନୈତିକ ସହଯୋଗୀ। ସ୍ମରଣଯୋଗ୍ୟ, ଟ୍ରମ୍ପ୍‌ଙ୍କ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ବାନନ୍‌ ଜଣେ ପ୍ରମୁଖ ପରାମର୍ଶଦାତା ଥିଲେ। ତେବେ ଗତବର୍ଷ ମେକ୍ସିକୋ ସୀମାରେ ରାଷ୍ଟ୍ରପତି ପ୍ରାଚୀର ନିର୍ମାଣ କରିବା ଲାଗି ସେ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କୁ ମତେଇ ବ୍ୟକ୍ତିଗତ ଅର୍ଥ ଯୋଗାଡ଼ କରୁଥିବାର ଅଭିଯୋଗ ଉଠିଥିଲା। ମାତ୍ର ସେ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ି ଆସିଥିଲେ। ହ୍ବାଇଟ୍‌ହାଉସ ଅଧିକାରୀମାନେ ବାନନ୍‌ଙ୍କୁ କ୍ଷମା କରିବା ବିରୋଧରେ ଟ୍ରମ୍ପ୍‌ଙ୍କୁ ପରାମର୍ଶ କରିଥିବା ବେଳେ ଟ୍ରମ୍ପ୍‌ ତାହା ଶୁଣିନାହାନ୍ତି।

ଅପରପକ୍ଷେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନକୁ କଳେ ବଳେ କୌଶଳେ ଟ୍ରମ୍ପ୍‌ଙ୍କ ସପକ୍ଷରେ ନେବା ପାଇଁ ଆଇନଜୀବୀ ଗିଉଲିଆନି ପ୍ରାଣପଣେ ଚେଷ୍ଟା ଚଳାଇଥିଲେ। ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ଏଯାଏ ରୁଜୁ ହୋଇନଥିବା ବେଳେ ୟୁକ୍ରେନ୍‌ରେ ତାଙ୍କ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ତଦନ୍ତକାରୀମାନେ ନିଘା ରଖିଛନ୍ତି। ସେହିପରି ଡେମୋକ୍ରାଟ୍‌ମାନେ ସଂଖ୍ୟାଗରିଷ୍ଠ ଥିବା ଆମେରିକା ସଂସଦର ନିମ୍ନ ସଦନରେ ଗତ ସପ୍ତାହରେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଗତ ୬ ତାରିଖରେ ନିଜ ସମର୍ଥକମାନଙ୍କୁ ଉସୁକାଇ ସେ ସଂସଦ ଭବନରେ ହିଂସା ରଚାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ ଉଚ୍ଚ ସଦନ ସିନେଟ୍‌ର ବିଚାରଣାକୁ ସମ୍ମୁଖୀନ ହେବାକୁ ପଡ଼ିପାରେ ଏବଂ ଦୋଷୀ ସାବ୍ୟସ୍ତ ହେଲେ ଭବିଷ୍ୟତରେ ସେ ଆଉ କୌଣସି ପଦପଦବିରେ ରହିନପାରିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର