ନୂଆଦିଲ୍ଲୀ: ଭାରତ ଓ ରୁଷ୍‌ର ବନ୍ଧୁତ‌ା ଦେଖି ରାଗରେ ଜର୍ଜରିତ ହେଉଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରେ ଟାରିଫ୍‌ ଲଗାଇ ନିଜର ରାଗ ସୁଝାଉଛନ୍ତି। ଏବେ ଯାହା ଚର୍ଚ୍ଚା ହେଉଛି ଯେ ଟ୍ରମ୍ପ୍‌ କୁଆଡ଼େ ଔଷଧ ଉପରେ ବି ଅତ୍ୟଧିକ ଟ୍ୟାକ୍ସ ଲଗାଇବାକୁ ଯାଉଛନ୍ତି। 

Advertisment

ରିପୋର୍ଟ ଅନୁସାରେ, କିଛି ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରିବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛି । ଟ୍ରମ୍ପ୍‌ ଚାହୁଛନ୍ତି ସେ, ଅଟୋ ଏବଂ ଷ୍ଟିଲ୍ ଭଳି ଔଷଧ ଉପରେ ମଧ୍ୟ ଟିକସ ଲାଗୁ କରିବେ । ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି ବୈଦେଶିକ ବିଶ୍ଳେଷକ । ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକସ ଲାଗୁ ହେଲେ ଔଷଧର ମୂଲ୍ୟ ବୃଦ୍ଧି ପାଇବ ଏବଂ ଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହେବ ।

ଖାଲି ଏତିକି ନୁହେଁ ବିଭିନ୍ନ ଔଷଧର ଅଭାବ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ସୂଚନା ମୁତାବକ, ଔଷଧ ଉପରେ ୨୦୦ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍ ୧୯୬୨ର ବାଣିଜ୍ୟ ପ୍ରସାରଣ ଆଇନର ଧାରା ୨୩୨ର ଲାଗୁ କରିବାକୁ ଯୋଜନା କରୁଛନ୍ତି । ଟ୍ରମ୍ପ ପ୍ରଶାସନର ଯୁକ୍ତି ଯେ କରୋନା ମହାମାରୀ ସମୟରେ ଔଷଧର ଅଭାବ ଥିଲା ତେଣୁ ଏବେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଆବଶ୍ୟକ । ଆମେରିକା ଏବଂ ୟୁରୋପ ମଧ୍ୟରେ ହୋଇଥିବା ଏକ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିରେ, ଔଷଧ ସମେତ କିଛି ୟୁରୋପୀୟ ସାମଗ୍ରୀ ଉପରେ ୧୫% ଟିକସ ଲାଗୁ ହୋଇଛି । ହେଲେ ଟ୍ରମ୍ପ୍ ପ୍ରଶାସନ ଅନ୍ୟ ଦେଶରୁ ଆସୁଥିବା ଔଷଧ ଉପରେ ଆହୁରି ଅଧିକ ଟିକସ ଲାଗୁ କରିବାକୁ ଧମକ ଦେଉଛି ।

ଭାରତ ବିଶ୍ବର ବଡ଼ ଜେନେରିକ୍ ବିତରଣକାରୀ ଦେଶ । ଭାରତରୁ ଆସୁଥିବା ଔଷଧ ଶସ୍ତା ହୋଇଥିବାରୁ ଟ୍ରମ୍ପ୍ ଭାରତୀୟ ଔଷଧ କମ୍ପାନିଗୁଡି଼କୁ ଟିକସ ଲଗାଇନାହାନ୍ତି। ବିଶେଷଜ୍ଞ କୁହନ୍ତି କି, ଆମେରିକା ଔଷଧ ଭାରତ ଉପରେ ନିର୍ଭରଶୀଳ । ତେଣୁ ଯଦି ଟ୍ରମ୍ପ ଭାରତୀୟ ଔଷଧ ଉପରେ ଟିକସ ଲଗାନ୍ତି ତା’ହେଲେ ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ ।