ଆଙ୍କୋରେଜ: ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶୁକ୍ରବାର ହାଇପ୍ରୋଫାଇଲ୍ ଆଲାସ୍କା ଶିଖର ସମ୍ମିଳନୀ ବିନା କୌଣସି ଚୁକ୍ତିରେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଓ ରୁଷ୍ ରାଷ୍ଟ୍ରପତି ପୁଟିନ ‘ଅତ୍ୟନ୍ତ ଫଳପ୍ରଦ’ ଅଗ୍ରଗତି କରିଛନ୍ତି। କିନ୍ତୁ ତିନିଘଣ୍ଟା ଧରି ଆଲୋଚନା ହେବା ସତ୍ତ୍ବେ କୌଣସି ଚୂଡ଼ାନ୍ତ ବୁଝାମଣାରେ ପହଞ୍ଚି ନାହାନ୍ତି। ପୁଟିନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଅନେକ ପ୍ରସଙ୍ଗରେ ଆମେ ସହମତି ପ୍ରକାଶ କରିଛୁ। ଆମେ ବୁଝାମଣାରେ ପହଞ୍ଚି ପାରିନାହୁଁ, ବୁଝାମଣା ନ ହେବା ପର୍ଯ୍ୟନ୍ତ କୌଣସି ଚୁକ୍ତି ହେବ ନାହିଁ।

ପୁଟିନ କହିଲେ ‘ପ୍ରାରମ୍ଭିକ ବିନ୍ଦୁ’
ଅତ୍ୟନ୍ତ ଫଳପ୍ରଦ ଅଗ୍ରଗତି: ଟ୍ରମ୍ପ

Advertisment

ସାକ୍ଷାତ୍ ପରେ ଟ୍ରମ୍ପ ଓ ପୁଟିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏକାଠି ହୋଇଥିଲେ। ସଂକ୍ଷିପ୍ତ ମନ୍ତବ୍ୟ ଦେଇ ରୁଷ୍ ରାଷ୍ଟ୍ରପତି କହିଛନ୍ତି ଯେ ସେ ଓ ଟ୍ରମ୍ପ ୟୁକ୍ରେନକୁ ନେଇ ଆଲୋଚନାରେ କିଛି ଅଗ୍ରଗତି କରିଛନ୍ତି ଏବଂ ୟୁରୋପ ଏହାକୁ ଅଣଦେଖା ନ କରୁ। ସେ ଏହି ବୈଠକକୁ ସମାଧାନର ପ୍ରାରମ୍ଭିକ ବିନ୍ଦୁ ଓ ସଂଘର୍ଷକୁ ଏକ ଦୁଃଖଦ ଘଟଣା ବୋଲି କହିବା ସହ ଯୁଦ୍ଧର ପ୍ରାଥମିକ କାରଣଗୁଡ଼ିକୁ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ଦୋହରାଇଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା କୌଣସି ପ୍ରଶ୍ନ ଗ୍ରହଣ କରିନଥିଲେ। ଟ୍ରମ୍ପ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସେ ଆଲୋଚନା କରିବେ ଏବଂ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତ ନିଷ୍ପତ୍ତି ନେବେ। ୟୁରୋପୀୟ ନେତାଙ୍କ ସହ ମଧ୍ୟ ଟ୍ରମ୍ପ ଖୁବ୍‌ଶୀଘ୍ର କଥା ହେବାକୁ ଯୋଜନା କରିଛନ୍ତି। ଏହି ବୈଠକରେ ଟ୍ରମ୍ପ ଓ ପୁଟିନଙ୍କ ସହ ଶୀର୍ଷ ସହଯୋଗୀମାନେ ଯୋଗ ଦେଇଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଓ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍‌କଫ୍‌ଙ୍କ ସହ ରୁଷ୍ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲଭରୋଭ ଓ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ୟୁରି ଉସାକୋଭ ଉପସ୍ଥିତ ଥିଲେ। ଆଙ୍କୋରେଜସ୍ଥିତ ବାୟୁସେନା ଘାଟିରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା। 

ପୁଟିନଙ୍କୁ ରେଡ୍ କାର୍ପେଟ୍ ସ୍ୱାଗତ
ପୁଟିନଙ୍କୁ ଭବ୍ୟ ସ୍ବାଗତ ପାଇଁ ଏକ ରେଡ୍ କାର୍ପେଟ୍ (ଲାଲ ଗାଲିଚା) ବିଛାଯାଇଥିଲା ଏବଂ ଟ୍ରମ୍ପ ତାଙ୍କ ସହ ହାତ ମିଳାଇ ସ୍ୱାଗତ କରିଥିଲେ। ‘ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବା ବନ୍ଦ କରିବେ କି’ କିଛି ସାମ୍ବାଦିକ ପୁଟିନଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରୁଷ୍ ରାଷ୍ଟ୍ରପତି କାନରେ ହାତ ରଖି ପ୍ରତିକ୍ରିୟା ଦେଇଥିଲେ, ଯାହା ଦର୍ଶାଉଥିଲା ଯେ ସେ ଏହା ଶୁଣିପାରୁ ନାହାନ୍ତି। ଏହି ଶିଖର ସମ୍ମିଳନୀକୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଓ ୟୁରୋପୀୟ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ପରେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଜରିଆରେ ୟୁକ୍ରେନ ସପକ୍ଷରେ ଆମେରିକାର ଦୃଢ଼ ଆଭିମୁଖ୍ୟ ପାଇଁ ଆଶା ବ୍ୟକ୍ତ କରିଥିଲେ। ଆଲୋଚନା ସମୟରେ ରୁଷୀୟ ସେନା ଆକ୍ରମଣ ଜାରି ରଖିଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି। 

ସ୍ୱାଗତ କଲା ଭାରତ

ନୂଆଦିଲ୍ଲୀ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍‌‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକକୁ ଭାରତ ସ୍ୱାଗତ କରି କହିଛି ଯେ ଯୁଦ୍ଧବିରତି ଦିଗରେ ଆଗକୁ ଯିବାର ବାଟ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମିଳିପାରିବ। ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକର କିଛି ଘଣ୍ଟା ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ବୟାନ ଦେଇଛି।

ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ପୁଟିନ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏକ ଶିଖର ସମ୍ମିଳନୀ ପାଇଁ ଆମେରିକା ଆସିଥିଲେ। ଶାନ୍ତି ଦିଗରେ ପୁଟିନଙ୍କ ନେତୃତ୍ୱ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଭାରତ କହିଛି। ଶିଖର ସମ୍ମିଳନୀରେ ହୋଇଥିବା ଅଗ୍ରଗତିକୁ ମଧ୍ୟ ଭାରତ ପ୍ରଶଂସା କରିଛି। ୟୁକ୍ରେନରେ ସଂଘର୍ଷର ଶୀଘ୍ର ଅନ୍ତ ଦେଖିବାକୁ ବିଶ୍ବ ଚାହୁଛି ବୋଲି ଭାରତ ସ୍ପଷ୍ଟ କରିଛି।