ୱାଶିଂଟନ: ରୁଷ-ୟୁକ୍ରେନ ଯୁଦ୍ଧରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସକାଳ ୧୦ଟାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରିବେ ବୋଲି ଘୋଷଣା କରିଛନ୍ତି। ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ଆଲୋଚନାର ଉଦ୍ଦେଶ୍ୟ 'ରକ୍ତରଂଜିତ ଯୁଦ୍ଧର ଅନ୍ତ'। ଟ୍ରମ୍ପ କହିଛନ୍ତି ଯେ ସେ ପ୍ରଥମେ ପୁଟିନଙ୍କ ସହ କଥା ହେବେ, ତା'ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ ଏବଂ ତା'ପରେ ନାଟୋ ପ୍ରତିନିଧିମାନଙ୍କ ସହ ସାକ୍ଷାତ କରି ଏକ ସମ୍ଭାବ୍ୟ ଯୁଦ୍ଧବିରତି ଚୁକ୍ତି ବିଷୟରେ ଆଲୋଚନା କରିବେ। ଟ୍ରମ୍ପଙ୍କ ଅନୁଯାୟୀ, ପ୍ରତି ସପ୍ତାହରେ ହାରାହାରି ୫୦୦୦ ରୁଷ ଏବଂ ୟୁକ୍ରେନୀୟ ସୈନିକ ନିହତ ହେଉଛନ୍ତି, ଏବଂ ଏହି 'ରକ୍ତ ଅପଚୟ' ଏବେ ବନ୍ଦ ହେବା ଉଚିତ।
ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ କହିଛନ୍ତି, 'ଆଶା କରୁଛି, ସୋମବାର ଏକ ସଫଳ ଦିନ ହେବ।' ଯୁଦ୍ଧବିରତି ନିଷ୍ପତ୍ତି ନିଆଯିବ ଏବଂ ଏହି ବିପଦପୂର୍ଣ୍ଣ ଯୁଦ୍ଧ, ଯାହା କେବେ ଆରମ୍ଭ ହେବା ଉଚିତ୍ ନଥିଲା, ଶେଷ ହୋଇଯିବ।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ସହ କଥା ହୋଇଛନ୍ତି। ଉଭୟ ୧୬ ମଇରେ ଇସ୍ତାନବୁଲରେ ରୁଷ-ୟୁକ୍ରେନ ଆଲୋଚନା ସମୟରେ ହୋଇଥିବା କଏଦୀ ବିନିମୟ ଚୁକ୍ତିକୁ ସ୍ୱାଗତ କରିଥିଲେ। ରୁବିଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୃଢ଼ ବାର୍ତ୍ତା ଦେଇଥିଲେ ଯେ ଆମେରିକା ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିବଦ୍ଧ।