ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନାର ସମାଧାନ କରିବା ସହ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରମାଣୁ ଯୁଦ୍ଧ ଆରମ୍ଭ କରିବାରୁ ରୋକିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପୁଣି ଥରେ ନିଜର ଦାବି ଦୋହରାଇଛନ୍ତି। ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ ୪ ଦିନ ଧରି ଚାଲିଥିବା ସଂଘର୍ଷ ସମୟରେ ସାତଟି କିମ୍ବା ତା’ଠାରୁ ଅଧିକ ଜେଟ୍ ଖସାଇ ଦିଆଯାଇଥିଲା। ତେବେ କେଉଁ ଦେଶର ବିମାନ ଖସିଥିଲା ସେ ବିଷୟରେ ସେ ସ୍ପଷ୍ଟ କରି ନାହାନ୍ତି। ଯଦି ମୁଁ ସେମାନଙ୍କୁ ରୋକି ନ ଥାନ୍ତି ତେବେ ଭାରତ ଓ ପାକିସ୍ତାନ ଭିତରେ ପରମାଣୁ ଯୁଦ୍ଧ ଲାଗିଯାଇ ଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି। 

Advertisment

ଆମେରିକା ରାଷ୍ଟ୍ରପତି ଆହୁରି ଦାବି କରିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ସହ ଅସ୍ତ୍ରବିରତି ଲାଗି ରାଜି କରାଇବା ପାଇଁ ଚାପ ପକାଇଥିଲେ। ଯଦି ସଂଘର୍ଷ ନିୟନ୍ତ୍ରଣ ବାହାରକୁ ଯାଏ ତେବେ ଶୁଳ୍କ ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ। ଟ୍ରମ୍ପଙ୍କ କହିବା ଅନୁଯାୟୀ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ଶତ୍ରୁତା ବଢ଼ିବ ତେବେ ୱାସିଂଟନ ବାଣିଜ୍ୟ ଚୁକ୍ତିକୁ ସ୍ଥଗିତ ରଖିବ। ସେ ଦାବି କରିଛନ୍ତି ଯେ ତାଙ୍କ ଚେତାବନୀ ପରେ ନୂଆଦିଲ୍ଲୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପାଖାପାଖି ୫ ଘଣ୍ଟା ମଧ୍ୟରେ ଏହା ସରିଥିଲା ବୋଲି ସେ କହିଛନ୍ତି। ତେବେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କହି  ଆବଶ୍ୟକ ପଡ଼ିଲେ ପଦକ୍ଷେପ ନିଆଯିବ ବୋଲି  ଟ୍ରମ୍ପ କହିଛନ୍ତି। ଏବେ ହୁଏତ ଏହା ପୁଣି ଥରେ ଆରମ୍ଭ ହେବ। ମୁଁ ଜାଣି ନାହିଁ। ମୁଁ ଏପରି ଭାବୁନାହିଁ, କିନ୍ତୁ ଯଦି ଏହା ହୁଏ ତେବେ ମୁଁ ଏହାକୁ ବନ୍ଦ କରିଦେବି। ଆମେ ଏଭଳି ଘଟଣା ଘଟିବାକୁ ଦେଇପାରିବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ମେ ୧୦ ତାରିଖରୁ ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି ଯେ ସେ ଏକାକୀ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଚାରିଦିନିଆ ଯୁଦ୍ଧର ଅନ୍ତ ଘଟାଇଛନ୍ତି।