ଟ୍ରମ୍ପଙ୍କ ଝଟ୍‌କା:ପାକିସ୍ତାନ ପାଇଁ ଚୀନ୍‌ର ଓକିଲାତି

ବେଜିଂ: ପାକିସ୍ତାନ ବିରୋଧରେ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା କଡ଼ା ଆଭିମୁଖ୍ୟ ବିରୋଧରେ ଆଜି ପାକିସ୍ତାନକୁ ସୁରକ୍ଷା ଦେଇଛି ଚୀନ୍‌। ଆତଙ୍କବାଦୀ ନିିରୋଧ ଲଢ଼େଇରେ ପାକିସ୍ତାନ ବହୁ ତ୍ୟାଗ କରିଛି। ବିଶ୍ୱ ସ୍ତରରେ ଆତଙ୍କବାଦ ନିରୋଧ ଲଢ଼େଇ ପାଇଁ ଏହାର ବଳିଷ୍ଠ ଅବଦାନ ରହିଛି ଏବଂ ଅନ୍ତର୍ଜାତୀୟ ରାଷ୍ଟ୍ର ସମୁଦାୟ ମଧ୍ୟ ଏହି ସତ୍ୟ ସ୍ୱୀକାର କରିବା ଉଚିତ୍‌ ବୋଲି କହି ଚୀନ୍‌ ପାକିସ୍ତାନ ପାଇଁ ଓକିଲାତି ଆରମ୍ଭ କରିଛି।
ଆତଙ୍କବାଦ ବିରୋଧୀ ଅଭିଯାନରେ ପାକିସ୍ତାନର ନରମ ମନୋଭାବକୁ ଗତକାଲି ଟ୍ରମ୍ପ୍‌ କଠୋର ଭାଷାରେ ଭର୍ତ୍ସନା କରିଥିଲେ। ଏ ପ୍ରସଙ୍ଗରେ ପଚରାଯିବା ସମୟରେ ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗେଙ୍ଗ୍‌ ସୁଆଙ୍ଗ ଆଜି କହିଛନ୍ତି ଯେ ଚୀନ୍‌ର ସବୁଦିନିଆ ବନ୍ଧୁ ପାକିସ୍ତାନର ଆତଙ୍କବାଦ ବିରୋଧରେ ରହିଥିବା ବଳିଷ୍ଠ ଅବଦାନକୁ ସାରା ବିଶ୍ୱ ସମ୍ପ୍ରଦାୟ ଅନୁଭଭ ଏବଂ ସ୍ୱୀକାର କରିବା ଉଚିତ୍‌। ପାରସ୍ପରିକ ବୁଝାମଣାରେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହ ଅନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ପାକିସ୍ତାନ ସବୁବେଳେ ଚେଷ୍ଟିତ। ଆତଙ୍କବାଦ ନିରୋଧ ଲଢ଼େଇରେ ପାକିସ୍ତାନର ଭୂମିକାରେ ଚୀନ୍‌ ଖୁବ୍‌ ଆନନ୍ଦିତ ବୋଲି ସୁଆଙ୍ଗ କହିଛନ୍ତି। ଅନ୍ୟପକ୍ଷରେ ଚୀନ୍‌ ଏବଂ ପାକିସ୍ତାନ ସବୁ ସମୟର ସାଥୀ। ଉଭୟ ଦେଶର ହିତକୁ ଦୃଷ୍ଟିରେ ରଖି ପରସ୍ପରକୁ ସବୁ ଦିଗରୁ ସହଯୋଗ ସୁଦୃଢ଼ କରିବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ୍‌ ଏବେ ୫,୦୦୦ କୋଟି ଡଲାର ଅର୍ଥ ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ପ୍ରକଳ୍ପରେ ବିନିଯୋଗ କରିଛି। ତେଣୁ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ଜାଣି ଚୀନ୍‌ ପାକିସ୍ତାନ ଉପରେ ସୁରକ୍ଷା ଚାଦର ଢାଙ୍ଗିବାକୁ ଆଗେଇ ଆସିଥିବା ଚର୍ଚ୍ଚା ହେଉଛି।
ପାକ୍‌ ପ୍ରଧାନମନ୍ତ୍ରୀ ଡାକିଲେ ସୁରକ୍ଷା ବୈଠକ: ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ୍‌
ନୂଆଦିଲ୍ଲୀ, ୨|୧: ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ସାଢ଼େ ୨୫ କୋଟି ଡଲାରର ସାମରିକ ଅନୁଦାନ ବନ୍ଦ କରିବା ଘୋଷଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି ପାକିସ୍ତାନ। ଆମେରିକାର ଏହି ଆଶୁ ଝଟ୍‌କା ପରେ ପ୍ରଧାନମନ୍ତ୍ରୀ ସାହିଦ ଖକାନ୍‌ ଅବାସି ସୁରକ୍ଷା ବୈଠକ ଡକାଇଛନ୍ତି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପାକିସ୍ତାନର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ କରିବେ। ସେହିପରି ପାକିସ୍ତାନ ଠାରୁ ୧୫ ବର୍ଷ ଧରି କେବଳ ମିଛ ଏବଂ ପ୍ରତାରଣା ମିଳିଛି ବୋଲି ଟ୍ରମ୍ପ୍‌ ତାଙ୍କ ନୂଆବର୍ଷର ପ୍ରଥମ ଟ୍ଵିଟ୍‌ରେ ଦେଇଥିବା କଠୋର ବୟାନରେ ନିଜର ଅସନ୍ତୋଷ ପ୍ରକାଶ କରି ପାକିସ୍ତାନ ଆମେରିକା ରାଷ୍ଟ୍ରଦୂତ ଡେଭିଡ୍‌ ହାଲେଙ୍କୁ ସମନ୍‌ ଜାରି କରିଛି।
ପାକିସ୍ତାନ ରେଡିଓର ରିପୋର୍ଟ ଅନୁଯାୟୀ, ଅବାସି ଆଜି ସଂଘୀୟ କ୍ୟାବିନେଟର ଏକ ବୈଠକରେ ସଭାପତିତ୍ୱ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। କ୍ୟାବିନେଟ୍‌ ବୈଠକ ପରେ ଆସନ୍ତାକାଲି ଜାତୀୟ ସୁରକ୍ଷା କମିଟି ବୈଠକ ହେବ। ଏହି ବୈଠକରେ ଅବାସି ସଭାପତିତ୍ୱ କରିବେ ଏବଂ ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ଵାଜା ଆସିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଆସନ ଇକବଲ୍‌, ପ୍ରତିରକ୍ଷା ମନ୍ତ୍ରୀ ଖୁରାମ ଦସ୍ତଗିର ଖାନ୍‌ଙ୍କ ସମେତ ବରିଷ୍ଠ ବେସାମରିକ ଏବଂ ସାମରିକ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।
ସୂଚନାଯୋଗ୍ୟ, ଗତ ୧୫ ବର୍ଷ ଭିତରେ ପାକିସ୍ତାନକୁ ୩୩୦୦ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି କିନ୍ତୁ ଏହା ବଦଳରେ ଆମେରିକାକୁ କେବଳ ମିଛ ଓ ପ୍ରତାରଣା ମିଳିଛି। ପାକିସ୍ତାନ ଆମେରିକାର ଅଧିକାରୀମାନଙ୍କୁ ବୋକା ଭାବି ଛଳନା କରି ଆସିଛି। ପାକିସ୍ତାନର ଏଭଳି ଆଚରଣ ଆଉ ବରଦାସ୍ତ କରିହେବନି ବୋଲି ଟ୍ରମ୍ପ୍‌ ଟ୍ଵିଟ୍‌ ମାଧ୍ୟମରେ କହିିଥିଲେ।

ସମ୍ବନ୍ଧିତ ଖବର