ୱାସିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଥିବା ସମ୍ପର୍କକୁ ଲୁଚାଇବା ପାଇଁ ୨୦୧୬ରେ ଲାଞ୍ଚ ଦେଇଥିବା ମାମଲାରେ ଆଜି ଗିରଫ ହେବା ପରେ ଅଦାଲତରେ କହିଛନ୍ତି ଯେ ସେ କୌଣସି ଅପରାଧ କରିନାହାନ୍ତି। ତାଙ୍କର ସମସ୍ତ ବ୍ୟବସାୟିକ ସଂକ୍ରାନ୍ତ ଦସ୍ତାବିଜ ଠିକ୍ଠାକ୍ ରହିଛି ଏବଂ କୌଣସି କ୍ଷେତ୍ରରେ ଜାଲିଆତି ହୋଇନାହିଁ। ଏ ବାବଦରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଟ୍ରମ୍ପ୍ ତାଙ୍କ ଯୁକ୍ତି ରଖି କହିଛନ୍ତି। ତେବେ ନ୍ୟୁୟର୍କର ବିଚାରକମଣ୍ଡଳୀ ଏ ନେଇ ତାଙ୍କୁ କାଠଗଡ଼ାକୁ ଟାଣିବା ଏବଂ ଆତ୍ମସମର୍ପଣ ସହ ଟ୍ରମ୍ପ୍ ଆଜି ଗିରଫ ହେବା ଆମେରିକା ରାଜନୀତିକୁ ସରଗରମ କରିଛି। ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହି ମାମଲାକୁ ଆଧାର କରି ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍ ପାର୍ଟି ପରସ୍ପର ବିରୋଧରେ ଲଢ଼େଇରେ ଅବତୀର୍ଣ୍ଣ ହେବେ ।
ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ରମ୍ପ୍ଙ୍କ ବିରୋଧରେ ପ୍ରଥମ କରି ଏଭଳି ମାମଲା ରୁଜୁ କରାଯାଇଥିବା ବେଳେ ଏ ନେଇ କ’ଣ ପ୍ରମାଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। କେଉଁ ଆଧାରରେ ୩୦ରୁ ଅଧିକ ଅପରାଧିକ ମାମଲାରେ ତାଙ୍କୁ ଦୋଷୀ ଭାବେ ଦର୍ଶାଯାଇଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଜି ଆନୁଷ୍ଠାନିକ ଗିରଫଦାରୀ ପୂର୍ବରୁ ଟ୍ରମ୍ପ୍ଙ୍କ ଓକିଲ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ମିଥ୍ୟା ମାମଲା ଛନ୍ଦି ଦିଆଯାଇଛି ଏବଂ ଆମେ ଏହାର ଦୃଢ଼ ମୁକାବିଲା କରିବୁ। ଟ୍ରମ୍ପଙ୍କ ଓକିଲମାନଙ୍କ କହିବା ଅନୁସାରେ ଟ୍ରମ୍ପଙ୍କ ପୂର୍ବତନ ଆଟର୍ଣ୍ଣି ମାଇକେଲ କୋହେନ ଟ୍ରମ୍ପଙ୍କ ତରଫରୁ ଡାନିଏଲଙ୍କୁ ୧,୩୦,୦୦୦ ଡଲାର ଦେଇଥିବା ନେଇ ବିରୋଧୀମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଆଧାରହୀନ। ଟ୍ରମ୍ପ କୋହେନଙ୍କୁ ଏହି ଟଙ୍କା ତାଙ୍କ ଆଇନଗତ ପରାମର୍ଶ ଫି ବାବଦକୁ ଦେଇଥିବା କାଗଜପତ୍ରରେ ଦର୍ଶାଯାଇଥିଲେ ମଧ୍ୟ କେବଳ ରାଜନୈତି ଆକ୍ରୋଶ କାରଣରୁ ଟ୍ରମ୍ପ୍ଙ୍କୁ ଟାର୍ଗେଟ୍ କରାଯାଇଥିବା ତାଙ୍କ ଓକିଲମାନେ କହିଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ ବୋଲି ସାବ୍ୟସ୍ତ ହୋଇଯିବ ଏବଂ ନ୍ୟାୟିକ ପ୍ରକ୍ରିୟା ସ୍ବଚ୍ଛ ରହିଲେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ସେମାନେ କହିଛନ୍ତି।।
ଟ୍ରମ୍ପ୍ଙ୍କ ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲାକୁ ହାସ୍ୟାସ୍ପଦ ବୋଲି ମଧ୍ୟ କେତେକ ଆଇନ ବିଶେଷଜ୍ଞ କହିଛନ୍ତି। ତେବେ ମାନହାଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି (ଡିଏ) ଆଲଭିନ ବ୍ରାଗଙ୍କୁ ନିକଟରେ ଟ୍ରମ୍ପ୍ କଡ଼ା ସମାଲୋଚନା କରିବା ସହ ସେ ମତେ ଘୃଣା କରୁଛନ୍ତି ବୋଲି କହିଥିଲେ। ଅପରାଧକୁ ଘୋଡ଼ାଇବା ପାଇଁ ବିଜ୍ନେସ୍ ରେକର୍ଡରେ ଜାଲିଆତି କରାଯାଇଛି ବୋଲି ଯାହା କୁହାଯାଇଛି ତାହା କେବଳ ମନଗଢ଼ା, ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଟ୍ରମ୍ପ୍ କହିଛନ୍ତି। ଏ ନେଇ ସଂଘୀୟ ତଦନ୍ତକୁ ୨୦୧୯ରେ ବନ୍ଦ କରାଯାଇଥିଲା। ଅଭିଯୋଗର ଦୃଢ଼ ଭିତ୍ତି ନଥିବା ସତ୍ତ୍ବେ ଟ୍ରମ୍ପ୍ଙ୍କୁ ଟାର୍ଗେଟ୍ କରାଯାଉଥିବା ରିପବ୍ଲିକାନ ନେତାମାନେ ଦାବି କରିଥିବା ବେଳେ ଏହା ବିରୋଧରେ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ଟ୍ରମ୍ପଙ୍କ ଗିରଫଦାରୀ ନେଇ ଆଜି ତାଙ୍କ ସମର୍ଥକ ଓ ବିରୋଧୀମାନେ ମୁହାଁମୁହିଁ ହୋଇଥିବା ବେଳେ ଅଦାଲତ ରାୟ ଉପରେ ଅନେକ କିଛି ନିର୍ଭର କରୁଛି । ଟ୍ରମ୍ପ୍ଙ୍କୁ ଦୋଷୀ ଭାବେ ଦଣ୍ଡ ବିଧାନ କରାଗଲେ ଡେମୋକ୍ରାଟମାନେ ଏଥିରୁ ଫାଇଦା ହାସଲ କରିବା କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ସପକ୍ଷରେ ମଧ୍ୟ ଏକ ବିଶାଳ ଅନୁକମ୍ପା ଲହର ସୃଷ୍ଟି ହେବ ବୋଲି ମଧ୍ୟ ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ଟ୍ରମ୍ପ ଅର୍ଗାନାଇଜେସନର କେତେକ କାରବାର ଏବଂ ହ୍ବାଇଟ୍ ହାଉସ୍ରୁ ବିଦାୟ ନେବା ପରେ କେତେକ ଗୁରୁତ୍ବପୂର୍ଣ୍ଣ ବର୍ଗୀକୃତ କାଗଜପତ୍ର ହସ୍ତାନ୍ତର ନ କରି ନିଜ ପାଖରେ ରଖିବା ମାମଲାରେ ଟ୍ରମ୍ପ୍ଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି, ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କ୍ଷେତ୍ରରେ ମଧ୍ୟ ତା’ଠାରୁ ଅଧିକ ଗୁରୁତର ଅଭିଯୋଗ ରହିଛି । ଏଭଳି ସ୍ଥିତିରେ ପର୍ଣ୍ଣ ଷ୍ଟାରଙ୍କ ଲାଞ୍ଚ ମାମଲା ଟ୍ରମ୍ପଙ୍କୁ ଗିରଫ କରାଯାଇଥିବାରୁ ଏହା ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।