ନୂଆଦିଲ୍ଲୀ: ଅଜଣା ରୋଗରେ ଘାଣ୍ଟି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଯେଉଁ କାରଣରୁ ନିଜର ଡାହାଣ ହାତକୁ ଅନେକ ଦିନ ହେବ ଲୁଚାଇ ରଖି ଆସିଛନ୍ତି ଟ୍ରମ୍ପ୍। ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତ ପୁଣି ଥରେ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଭାଲ ଅଫିସରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗଙ୍କ ସହ ବସିଥିବା ସମୟରେ ଏକ ଗାଢ଼, କଳା ଏବଂ ନୀଳ ରଙ୍ଗର ପ୍ୟାଚ୍ ଚିହ୍ନ ତାଙ୍କ ଡାହାଣ ହାତ ଉପର ପାଶ୍ବରେ ଦୃଶ୍ୟମାନ ହୋଇଥିଲା। ରିଜୋଲ୍ୟୁଟ୍ ଡେସ୍କରେ ବସିଥିବା ଟ୍ରମ୍ପ୍ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ତାଙ୍କ ବାମ ହାତକୁ ଡାହାଣ ହାତ ଉପରେ ରଖିଥିଲେ, ଯାହା ଉକ୍ତ ଚିହ୍ନକୁ ଲୁଚାଇବା ପରି ମନେ ହେଉଥିଲା। ରାଷ୍ଟ୍ରପତି ପ୍ରକୃତରେ କ’ଣ ଲୁଚାଇ ରଖିଛନ୍ତି ତାହା ଚର୍ଚ୍ଚାକୁ ବେଶ୍ ଖୋରାକ ଯୋଗାଇଥିଲା।
ଦେଶମାନଙ୍କ ଉପରେ ଟାରିଫ୍ ପ୍ରହାର କରୁଥିବା ଟ୍ରମ୍ପଙ୍କୁ ସତରେ କଣ କିଛି ରୋଗ ଆକ୍ରାନ୍ତ କରିଛି ? ଭାଇରାଲ ହେଉଥିବା ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି ଟ୍ରମ୍ପଙ୍କ ହାତରେ କିଛି ଅଜବ ଦାଗ । ଯାହା ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହି ଦାଗଗୁଡ଼ିକ କୌଣସି ଆଘାତ କିମ୍ବା ରକ୍ତ ଜମାଟ ବାନ୍ଧିବା ଭଳି ଜଣାପଡୁଥିଲା । ଟ୍ରମ୍ପ ଏହି ଦାଗକୁ ଲୁଚାଇବା ପାଇଁ ବାରମ୍ବାର ନିଜ ହାତକୁ ପକେଟରେ ରଖୁଥିଲେ କିମ୍ବା ଅନ୍ୟ ହାତରେ ଘୋଡାଇ ଦେଉଥିଲେ। ତାଙ୍କର ଏହିଭଳି ଆଚରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ପକ୍ଷରୁ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ହାତରେ ସମାନ ଧରଣର ଦାଗ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । କିଛି ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହି ଦାଗ ଇଞ୍ଜେକ୍ସନ କିମ୍ବା କୌଣସି ମେଡିକାଲ ପ୍ରକ୍ରିୟା ଯୋଗୁଁ ହୋଇପାରେ । ବାର୍ଦ୍ଧକ୍ୟ କାରଣରୁ ମଧ୍ୟ ବେଳେବେଳେ ରକ୍ତବାହୀ ଶିରା ଦୁର୍ବଳ ହୋଇଯିବା ଫଳରେ ଏଭଳି ଦାଗ ଦେଖାଯାଇଥାଏ ।