ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପୁନଃ ଶ୍ରେୟ ଦାବି କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସବୁଠାରୁ ସୌନ୍ଦର୍ଯ୍ୟସଂପନ୍ନ ବ୍ୟକ୍ତି’ ବୋଲି କହି ପ୍ରଶଂସା କରିଛନ୍ତି। ଏହି ଅବସରରେ ଟ୍ରମ୍ପ ଭାରତ ସହ ସଂପର୍କରେ ସୁଧାର ଆଣିବା ପାଇଁ ମଧ୍ୟ ସଙ୍କେତ ଦେଇଛନ୍ତି।
ମୋଦୀଙ୍କୁ ପ୍ରଶଂସା
‘ଭାରତ ସହ ବାଣିଜ୍ୟ ଚୁକ୍ତି ଖୁବ୍ଶୀଘ୍ର’
ଦକ୍ଷିଣ କୋରିଆରେ ଏସିଆ-ପାସିଫିକ୍ ଇକୋନମିକ୍ କୋଅପରେସନ୍ (ଏପିଇସି)ର ବ୍ୟବସାୟୀ ନେତାମାନଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନରେ ଭାଷଣ ଦେଇ ଟ୍ରମ୍ପ ମେ ମାସର ଘଟଣା ଉପରେ ବର୍ଣ୍ଣନା କରି କହିଛନ୍ତି- ‘ଦୁଇ ଆଣବିକ ଅସ୍ତ୍ରସମ୍ପନ୍ନ ପଡ଼ୋଶୀ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ରୋକିବା ପାଇଁ ସେ ବାଣିଜ୍ୟ ଚାପ ବ୍ୟବହାର କରିଥିଲେ। ଟ୍ରମ୍ପ କହିଛନ୍ତି, ଦୁଇଟି ପରମାଣୁ ରାଷ୍ଟ୍ର ପରସ୍ପର ସହ ଲଢୁଥିଲେ। ସେମାନେ କହିଲେ, ନା, ନା, ନା, ତୁମେ ଆମକୁ ଯୁଦ୍ଧ କରିବାକୁ ଦେବା ଉଚିତ। କିଛି ସମୟ ପରେ ସେମାନେ ଯୁଦ୍ଧ ଶେଷ କରିଥିଲେ। ସେମାନେ ଶକ୍ତିଶାଳୀ ଦେଶ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସୌନ୍ଦର୍ଯ୍ୟସଂପନ୍ନ, ଶକ୍ତିଶାଳୀ ଓ କଠୋର ବ୍ୟକ୍ତି।’ ଟ୍ରମ୍ପ ଖୁବ୍ ଶୀଘ୍ର ଭାରତ ସହିତ ବାଣିଜ୍ୟ ଚୁକ୍ତି ହାସଲ କରିବାକୁ ମଧ୍ୟ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି। ରାଷ୍ଟ୍ରପତି ଉଭୟ ନୂଆଦିଲ୍ଲୀ ଓ ଇସଲାମାବାଦ ସହିତ ତାଙ୍କର ‘ସୁସମ୍ପର୍କ’ ବିଷୟରେ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରୁଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମୋର ବହୁତ ଭଲପାଇବା ଓ ସମ୍ମାନ ଅଛି। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଜଣେ ମହାନ ବ୍ୟକ୍ତି ଏବଂ ତାଙ୍କ ଫିଲ୍ଡ ମାର୍ଶଲ ଜଣେ ମହାନ ଯୋଦ୍ଧା। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଏକ ସଂକ୍ଷିପ୍ତ ସାମରିକ ସଂଘର୍ଷ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ବିଷୟରେ ଟ୍ରମ୍ପ ଅତୀତରେ ମଧ୍ୟ ସମାନ ଦାବି କରିଛନ୍ତି। ନୂଆଦିଲ୍ଲୀ ଏହି ଦାବିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରି ଦୋହରାଇଛି ଯେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଦ୍ୱିପାକ୍ଷିକ ଭାବରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ବିନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)