୨୦୨୦ ନିର୍ବାଚନ ଜିତିବାକୁ ଟ୍ରମ୍ପ୍ ଚୀନ୍ ସହାୟତା ଲୋଡ଼ିଥିଲେ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌ଡ ଟ୍ରମ୍ପ୍ ଦ୍ବିତୀୟ ଥର ଲାଗି ବିଜୟୀ ହେବାକୁ ଅନେକ ଅନୈତିକ କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠିଛି। ଏପରିକି ସେ ଏଥିପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କର ସହାୟତା ଲୋଡ଼ିଥିଲେ ବୋଲି ଟ୍ରମ୍ପ୍‌ଙ୍କ ପ୍ରାକ୍ତନ ବୈଦେଶିକ ପ୍ରସଙ୍ଗ ପରାମର୍ଶଦାତା ବୋଲ୍‌ଟନ୍‌ଙ୍କ ଦ୍ବାରା ଲିଖିତ ‘ଦି ରୁମ୍ ହ୍ବେୟାର ଇଟ୍ ହାପନ୍‌ଡ: ଏ ହ୍ବାଇଟ୍‌ ହାଉସ୍‌ ମେମୋଏର୍‌’ ନାମକ ପୁସ୍ତକରେ ଉଲ୍ଲେଖ ରହିଛି। ନ୍ୟୁୟର୍କ ଟାଇମ୍‌ରେ ପ୍ରକାଶିତ ଏହି ପୁସ୍ତକର ଏକ ଉଦ୍ଧୃତାଂଶରୁ ଟ୍ରମ୍ପ୍‌ଙ୍କ ବିରୋଧରେ ଏପରି ଅଭିଯୋଗ ରହିଥିବା ଜଣା ପଡ଼ିବା ପରେ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି। ନୀତିଗତ ନିଷ୍ପତ୍ତିରେ ମତଭେଦ ଯୋଗୁଁ ଗତବର୍ଷ ସେପ୍ଟେମ୍ବରରେ ଟ୍ରମ୍ପ୍‌ଙ୍କ ଦ୍ବାରା ବହିଷ୍କୃତ ହୋଇଥିବା ବୋଲ୍‌ଟନ୍‌ଙ୍କ ଅଭିଯୋଗ ଅନୁଯାୟୀ, ଟ୍ରମ୍ପ୍‌ ଜଣେ ଅତ୍ୟାଚାରୀଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇବା ଲାଗି ତାଙ୍କ ବିରୋଧରେ ଅପରାଧିକ ତଦନ୍ତକୁ ଅଟକାଇ ଦେଇଥିଲେ। ସେହିପରି ନିର୍ବାଚନରେ ଟ୍ରମ୍ପ୍ ଜିତିବା ପାଇଁ ଚୀନ୍‌ର ସମର୍ଥନ ଲୋଡ଼ିବା ଆଶାରେ ତାଙ୍କ ଚୀନ୍‌ ପ୍ରତିପକ୍ଷ ଜିନ୍‌ପିଙ୍ଗ୍‌ଙ୍କ ଅର୍ଥନୈତିକ ଦକ୍ଷତାକୁ ତାରିଫ କରିଥିବା କଥା ବୋଲ୍‌ଟନ୍‌ ଲେଖିଛନ୍ତି। ସେହିପରି ଚୀନ୍‌ରେ ସଂଖ୍ୟାଲଘୁ ମୁସଲିମ୍ ଉଇଘର ସମ୍ପ୍ରଦାୟ ଏବଂ ଅନ୍ୟ ମୁସ୍‌ଲିମ୍‌ମାନଙ୍କୁ ସ୍ବତନ୍ତ୍ର ଶିବିରରେ ଅଟକ ରଖିବା ଘଟଣାକୁ ଆମେରିକା ବିରୋଧ କରୁଥିବା ବେଳେ ଟ୍ରମ୍ପ୍‌ କୁଆଡ଼େ ଜିନ୍‌ପିଙ୍ଗ୍‌ଙ୍କର ଏପରି ଆଭିମୁଖ୍ୟକୁ ସମର୍ଥନ କରିଥିବା କଥା ବୋଲ୍‌ଟନ୍‌ ଦର୍ଶାଇଛନ୍ତି। ତେବେ ବୋଲ୍‌ଟନ୍‌ଙ୍କ ପୁସ୍ତକରେ ରହିଥିବା ଏଭଳି ତଥ୍ୟ ସରକାରଙ୍କ ବର୍ଗୀକୃତ ସୂଚନା ଅନ୍ତର୍ଗତ ଏବଂ ଏହା ପ୍ରକାଶ ପାଇବା ଦ୍ବାରା ଜାତୀୟ ନିରାପତ୍ତା ସହ ସାଲିସ୍‌ କରାଯିବା ଆଶଙ୍କା ରହିଛି ବୋଲି ଅଭିଯୋଗ ଆଣି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଉକ୍ତ ପୁସ୍ତକର ଲୋକାର୍ପଣ ରୋକିବାକୁ ଅଦାଲତର ଆଶ୍ରୟ ନିଆଯାଇଛି।

ସମ୍ବନ୍ଧିତ ଖବର