ଆମେରିକା କ୍ୟାପିଟଲ୍‌କୁ ପ୍ରବେଶ କଲେ ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକ; ପୁଲିସ ସହ ସଂଘର୍ଷ କରି ଗୁଳି ଚୋଟରେ ଜଣେ ମୃତ

ଓ୍ଵାସିଂଟନ୍‌: ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପରାଜୟ କାରଣରୁ ଉତ୍ତ୍ୟକ୍ତ ହୋଇ ତାଙ୍କର ସମର୍ଥକମାନେ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ ମଧ୍ୟକୁ ପ୍ରବେଶ କରି ପୁଲିସ ସହ ସଂଘର୍ଷ କରିବାରୁ ଗୁଳି ଚୋଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଯାଞ୍ଚ ହୋଇ ନ ଥିବା ଭିଡିଓଗୁଡ଼ିକରେ ଦେଖାଯାଉଛି ଯେ, ପ୍ରତିବାଦରେ ଭାଗ ନେଇ କ୍ୟାପଟଲ୍‌ରେ ପ୍ରବେଶ କରିଥିବା ଜଣେ ମହିଳା ଗୁଳି ଚୋଟରେ ରକ୍ତଜର୍ଜରିତ ହୋଇଛନ୍ତି।

ଜରୁରୀ ପରିସ୍ଥିତି ମୁକାବିଲା ୟୁନିଟ୍‌ ସହ ସମ୍ପୃକ୍ତ ଜଣେ ବ୍ୟକ୍ତି କହିଛନ୍ତି, ଗୁଳିଚୋଟ ଖାଇଥିବା ଜଣେ ପୀଡ଼ିତାଙ୍କୁ କ୍ୟାପିଟଲ୍‌ ଅଟ୍ଟାଳିକା ମଧ୍ୟରୁ ସ୍ଥାନାନ୍ତର କରାଯାଇଛି। ଏହି ଉତ୍ତେଜନାପୂର୍ଣ୍ଣ ପ୍ରତିବାଦ ଯୋଗୁଁ ସୃଷ୍ଟି ହୋଇଥିବା ସଂଘର୍ଷରେ ଅନ୍ୟ କେତେଜଣ ମଧ୍ୟ ଆହତ ହୋଇଛନ୍ତି।
‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ ରିପୋର୍ଟ ଅନୁସାରେ, ଜଣେ ଶ୍ୱେତାଙ୍ଗୀ ମହିଳାଙ୍କ କାନ୍ଧରେ ଗୁଳି ଚୋଟ ଲାଗିଛି ବୋଲି ପୁଲିସ କହିଛି। ଅତି ସଙ୍କଟାପନ୍ନ ସ୍ୱାସ୍ଥ୍ୟାବସ୍ଥାରେ ସେ ଏକ ସ୍ଥାନୀୟ ଡାକ୍ତରଖାନାରେ ଥିଲେ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ପରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ଓ୍ଵାସିଂଟନ୍‌ ପୁଲିସ ବିଭାଗର ଜଣେ ମୁଖପାତ୍ରୀ କହିଛନ୍ତି।

Image Courtesy of Zee News

ପ୍ରାପ୍ତ ସୂଚନା ଅନୁସାରେ, ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଥିବା ପ୍ରତିବାଦକାରୀମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ରେ ଏକତ୍ର ହୋଇ ‘ଲକ୍‌ଡାଉନ୍‌’ ପରିସ୍ଥିତି ସୃଷ୍ଟି କରିଥିଲେ। ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ପରିବର୍ତ୍ତେ ତାଙ୍କୁ ବିଜୟୀ କରାଯାଉ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କରିଥିବା ଦାବିକୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ୍‌ ପ୍ରତ୍ୟାଖ୍ୟାନ କରିବା ଏବଂ ନିର୍ବାଚନର ଫଳାଫଳକୁ ପରିବର୍ତ୍ତନ କରିବା ଦାବିକୁ ସିନେଟ୍‌ର ରିପବ୍ଲିକାନ୍‌ ନେତାମାନେ କଂଗ୍ରେସ୍‌ରେ ନିନ୍ଦା କରିବା ଯୋଗୁଁ ଟ୍ରମ୍ପ୍‌ଙ୍କର ଶହ ଶହ ସମର୍ଥକ ବଳପୂର୍ବକ ଓ୍ଵାସିଂଟନ୍‌ସ୍ଥିତ କ୍ୟାପିଟଲ୍‌ ହିଲ୍‌ ଅଟ୍ଟାଳିକା ମଧ୍ୟକୁ ପ୍ରବେଶ କରିଥିଲେ।

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ୨୦୨୦ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି-ନିର୍ବାଚିତ ଡେମୋକ୍ରାଟିକ୍‌ ଜୋ ବାଇଡେନ୍‌ଙ୍କ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଏ ଭଳି ସଂଘର୍ଷ ଘଟିଛି। ପ୍ରତିବାଦକାରୀମାନେ ଅଟ୍ଟାଳିକା ମଧ୍ୟରେ ଝରକା ଭଙ୍ଗାରୁଜା କରିବାରୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।

ପରିସ୍ଥିତି ଉଗ୍ର ତଥା ଅଣାୟତ୍ତ ହେବାରୁ ଓ୍ଵାସିଂଟନ୍‌ ମେୟର୍‌ ମ୍ୟୁରିଏଲ୍‌ ବାଓଜର୍‌ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ସମଗ୍ର ସହରରେ କର୍ଫ୍ୟୁ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର