ୱାସିଂଟନ: ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ କାଠଗଡ଼ାକୁ ଟଣାଯାଇଛି। ଏପରି ଭାବେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆମେରିକାରେ ପ୍ରଥମ, ମାତ୍ର ବିଶ୍ବରେ ନୁହେଁ। ଗତ ସପ୍ତାହରେ ନ୍ୟୁୟର୍କରେ ବିଚାରଣାର ସମ୍ମୁଖୀନ ହୋଇଥିବା ଟ୍ରମ୍ପ ଏହି ଘଟଣାକୁ ନେଇ କହିଛନ୍ତି ଯେ ଆମେରିକା ଏବେ ଏକ ତୃତୀୟ ବିଶ୍ବର ଦେଶ ପାଲଟିଛି। ତେବେ ରିପବ୍ଲିକାନମାନେ ତାଙ୍କର ଏହି ଉକ୍ତିକୁ ଗ୍ରହଣ କରିନାହାନ୍ତି। ସେମାନେ କହିଛନ୍ତି ଟ୍ରମ୍ପ ଦୋଷୀସାବ୍ୟସ୍ତ ହେବା ଆମେରିକାରେ ପ୍ରଥମ ହୋଇପାରେ, ମାତ୍ରରେ ବିଶ୍ବରେ ଏମିତି ଘଟଣା ଅନେକ ଘଟିଛି। ଆମେରିକା କେବେହେଲେ ତୃତୀୟ ବିଶ୍ବର ଏକ ବାନାନା ରିପବ୍ଲିକ୍ ହୋଇ ନ ପାରେ। ଟ୍ରମ୍ପ ବର୍ତ୍ତମାନ ବିଶ୍ବର ସେହି ନେତାମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଗଣା ହେଉଛନ୍ତି ଯେଉଁମାନେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ତାଙ୍କ କାର୍ଯ୍ୟକାଳ ଅନ୍ତେ କାଠଗଡ଼ାକୁ ଟଣା ହୋଇଛନ୍ତି। ଏହି ତାଲିକାରେ ରହିଛନ୍ତି ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି, ଯାହାଙ୍କ ବିରୋଧରେ ତିନି ଡଜନରୁ ଅଧିକ ଅପରାଧିକ ମାମଲା ରହିଛି ଏବଂ ଯିଏ ୨୦୧୨ରେ ଏକ ଟିକସ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ମଧ୍ୟ ୨୦୨୦ରେ ଦୁର୍ନୀତି ଅଭିଯୋଗରେ କାଠଗଡ଼ାକୁ ଟଣାଯାଇଥିଲା। ପୂର୍ବତନ ତାଇୱାନ ରାଷ୍ଟ୍ରପତି ଚେନ ସୁଇବିୟାନ ମଧ୍ୟ ୨୦୦୯ରେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଫ୍ରାନ୍ସ, ଦକ୍ଷିଣ କୋରିଆ ଓ ବ୍ରାଜିଲ ପରି ଦେଶର ନେତାମାନେ ଅପରାଧ ଅଭିଯୋଗରେ କଠଗଡ଼ାକୁ ଟଣା ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ପ୍ରାୟ ୮୦ଟି ଦେଶର ପୂର୍ବତନ ନେତାମାନେ ଜେଲ ଯାଇଛନ୍ତି ବା ଦୋଷୀସାବ୍ୟସ୍ତ ହୋଇଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଲୁଜ୍ ଇନାସିଓ ଲୁଲା ଦା ସିଲ୍ଭା ଗତ ଜାନୁଆରିର ଜୈର୍ ବୋଲସୋନାରୋଙ୍କୁ ହରାଇ ପୁନଶ୍ଚ କ୍ଷମତାକୁ ଫେରିଛନ୍ତି। କିନ୍ତୁ ତାଙ୍କୁ ୨୦୧୮ରେ ଦୁର୍ନୀତି ଅପରାଧରେ ୧୨ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ପୂର୍ବତନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନିକୋଲାସ ସାର୍କୋଜିଙ୍କୁ ୨୦୨୧ରେ ଏକବର୍ଷର ଜେଲଦଣ୍ଡ ଦିଆଯାଇଥିଲା। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଜିଉଁ ହାଇଙ୍କୁ ୨୦୨୧ରେ ଦୁର୍ନୀତି ପାଇଁ ୨୪ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇ ପରେ କ୍ଷମା ଦିଆଯାଇଥିଲା। ପାକିସ୍ତାନ ଓ ଆର୍ଜେଣ୍ଟିନାର ନେତାମାନେ ବି ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି।