ୱାଶିଂଟନ୍ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପାରସ୍ପରିକ ଟିକସ(ରେସିପ୍ରୋକାଲ ଟ୍ୟାକ୍ସ) ଲାଗୁ କରିବାକୁ କହିଛନ୍ତି। ବୁଧବାର ଏହି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଭାରତ ଆମ ଉପରେ ଅଧିକ ଟିକସ ଲାଗୁ କରୁଛି, ତେବେ ଆମେ ମଧ୍ୟ ଭାରତ ଉପରେ ସମାନ ଟିକସ ଲଗାଇ ପାରିବୁ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଅଧିକ ଟିକସ ଲାଗୁ କରୁଛି କିନ୍ତୁ ଆମେ ସେପରି କରୁନାହୁଁ।
ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ଏହି ବିବୃତି ଆସିଛି। ଟ୍ରମ୍ପ ଏହା ପୂର୍ବରୁ ଭାରତକୁ ଏକ ଶୁଳ୍କ ରାଜା(ଟେରିଫ୍ କିଙ୍ଗ୍) ବୋଲି କହି ସମାଲୋଚନା କରିଥିଲେ। ଆମେରିକାର ଡଲାର ବ୍ୟତୀତ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କଲେ ଟ୍ରମ୍ପ ସେମାନଙ୍କ ରପ୍ତାନି ଉପରେ ଶତପ୍ରତିଶତ ଟିକସ ଲାଗୁ କରିବାକୁ ବ୍ରିକ୍ସ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ, ଟିକସ ମାମଲାରେ ପାରସ୍ପରିକ ଟ୍ୟାକ୍ସ ଗୁରୁତ୍ୱପୂର୍ଣ୍ଣ କାରଣ ଯଦି କେହି ଆମ ଉପରେ ଡ୍ୟୁଟି ଲଗାନ୍ତି ତେବେ ଆମେ ମଧ୍ୟ ତାହା କରିବା ଉଚିତ୍। ସେ କହିଛନ୍ତି, ଭାରତ, ଚୀନ୍, ବ୍ରାଜିଲ ପରି ଅନେକ ଦେଶ ବହୁତ ଅଧିକ ଶୁଳ୍କ ଆଦାୟ କରୁଛନ୍ତି। ଯଦି ସେମାନେ ଆମେରିକା ଶୁଳ୍କ ଲାଗୁ କରୁବୋଲି ଚାହାଁନ୍ତି, ତାହା ଠିକ୍, ଆମେ ସେମାନଙ୍କ ଉପରେ ସମାନ ଶୁଳ୍କ ଲାଗୁ କରିବୁ।
ଭାରତ ସହିତ ଡୋନାଲ୍ଡ ଟ୍ରମ୍ପ ମଧ୍ୟ କାନାଡାକୁ ଚେତାବନୀ ଦେଇଛନ୍ତି ଯେ, ଯଦି କାନାଡା ଆମେରିକାରେ ଡ୍ରଗ୍ସ ଏବଂ ବେଆଇନ ପ୍ରବାସୀ ଭାରତୀୟଙ୍କ ପ୍ରବେଶକୁ ବନ୍ଦ ନ କରେ ତେବେ କାନାଡା ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ କରାଯିବ।
ଅଧିକ ପଢ଼ନ୍ତୁ: ଆମ୍ବେଦକରଙ୍କ ସଂପର୍କିତ ବୟାନ ପାଇଁ ଶାହାଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମ ଉପରେ ମଧ୍ୟ ଅଧିକ ଶୁଳ୍କ ଲାଗୁ କରିଥିଲେ। ଏହି କାରଣରୁ, ବାଦାମ ଏବଂ ସେଓ ପରି ଆମେରିକୀୟ ଉତ୍ପାଦ ଉପରେ ଭାରତ ସମାନ ପଦକ୍ଷେପ ଗ୍ରହଣ କରିଥିଲା। ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ଟ୍ରମ୍ପ ପୁଣିଥରେ ଭାରତକୁ ଟାର୍ଗେଟ କରନ୍ତି, ତେବେ ସମାନ ବାଣିଜ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅଟୋମୋବାଇଲ୍, ଟେକ୍ସଟାଇଲ୍ ଏବଂ ଫାର୍ମାସ୍ୟୁଟିକାଲ୍ସ ସେକ୍ଟରଗୁଡିକ ଟ୍ରମ୍ପଙ୍କ ପାରସ୍ପରିକ ବାଣିଜ୍ୟ ନୀତି ଅନୁଯାୟୀ ଅଧିକ ଶୁଳ୍କର ସମ୍ମୁଖୀନ ହୋଇପାରନ୍ତି।
ଅଧିକ ପଢ଼ନ୍ତୁ: \ଇଗୋରଙ୍କ ମୃତ୍ୟୁ ପରେ ରକ୍ତମୁଖା ହେଲା ରୁଷ୍; ନେବ ପ୍ରତିଶୋଧ
ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ନୀତି ଯୋଗୁ ବାଣିଜ୍ୟ ବ୍ୟାଘାତରୁ ରପ୍ତାନି ସୁଯୋଗରୁ ଭାରତ ମଧ୍ୟ ଉପକୃତ ହୋଇପାରିବ। ଚୀନ୍, ମେକ୍ସିକୋ ଏବଂ କାନାଡା ଭଳି ପ୍ରମୁଖ ବାଣିଜ୍ୟ ଭାଗିଦାରୀ ଉପରେ ଟ୍ରମ୍ପଙ୍କ ଶୁଳ୍କ ବାଣିଜ୍ୟ ପ୍ରବାହକୁ ବଦଳାଇପାରେ। ଏହା ଭାରତ ପାଇଁ ସୁଯୋଗ ସୃଷ୍ଟି କରିବ।