ୱାସିଂଟନ: ଭାରତ ଉପରେ ଲଗାଯାଇଥିବା ଶୁଳ୍କ ଆହୁରି ବଢ଼ାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏଥି ସହିତ ରୁଷ୍‌ ତେଲ କିଣାରୁ ଭାରତ ବିପୁଳ ଲାଭ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଚାପରେ ରଖି ବାଣିଜ୍ୟ ରାଜିନାମା ହାସଲ କରିବା ଲାଗି ଟ୍ରମ୍ପ କରୁଥିବା ଉଦ୍ୟମ ଫଳପ୍ରଦ ହେଉନଥିବାରୁ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ଟ୍ରମ୍ପ ଜଣାଇଛନ୍ତି ଯେ ଭାରତ କେବଳ ରୁଷ୍‌ରୁ ବିପୁଳ ତେଲ କିଣୁନାହିଁ। ସେହି ତେଲକୁ ‌ଖୋଲା ବଜାରରେ ବିକ୍ରି କରି ବିପୁଳ ଲାଭ ବି କରୁଛି। ରୁଷ୍‌ ଯୁଦ୍ଧ ଦ୍ବାରା ୟୁକ୍ରେନ୍‌ରେ କେତେ ଲୋକ ପ୍ରାଣ ହରାଉଛନ୍ତି, ତାହାକୁ ସେମାନେ ଖାତିର କରୁନାହାନ୍ତି। ସେଥିପାଇଁ ମୁଁ ଭାରତ ଉପରେ ଶୁଳ୍କକୁ ଆହୁରି ବହୁତ ବଢ଼ାଇବି ବୋଲି ଟ୍ରମ୍ପ କହିଛନ୍ତି। 

Advertisment

ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟ୍ରମ୍ପ ଚାପ ପକାଉଥିବା ବେଳେ ସେହି ଦେଶରୁ ତେଲ କିଣୁଥିବାରୁ ଭାରତକୁ ସେ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ରୁଷ୍‌ ସହ ସମ୍ପର୍କ ରଖିବା ଏବଂ ବ୍ରିକ୍ସରେ ଯୋଗଦେଇଥିବାରୁ ଗତ ସପ୍ତାହରେ ସେ ଭାରତକୁ କଡ଼ା ଭର୍ତ୍ସନା କରିଥିଲେ। ରୁଷ୍‌ ସହ ଭାରତର ସମ୍ପର୍କ ବହୁ ପୁରୁଣା ହୋଇଥିବା ବେଳେ ଆମେରିକା କେବେବି ଏଭଳି ଢଙ୍ଗରେ ଭାରତକୁ ଟାର୍ଗେଟ୍‌ କରିନଥିଲା। ଓଲଟା ତାହା ଏସିଆରେ ଚୀନ୍‌ର ଆଧିପତ୍ୟକୁ ଗୌଣ କରିବା ଲାଗି ଭାରତକୁ ବ୍ୟବହାର କରୁଥିଲା। କିନ୍ତୁ ଟ୍ରମ୍ପଙ୍କ ଅମଳରେ ଆମେରିକାର ସେହି ରଣନୀତି ବଦଳିଯାଇଛି।