ୱାସିଂଟନ: ବିଲିୟନେୟାର ଉଦ୍ୟୋଗୀ ଏଲନ୍ ମସ୍କ ଓ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଟିକସ ହ୍ରାସ ଓ ଖର୍ଚ୍ଚ ବିଲ୍‌କୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପଙ୍କ ଏହି ‘ବିଗ୍, ବିଉଟିଫୁଲ ବିଲ୍’  ଆମେରିକୀୟ ସିନେଟ୍‌ରେ ପାରିତ ହେଲେ ଏହାକୁ ଭୀଷଣ ବିରୋଧ କରାଯିବ ଏବଂ  ଏକ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ଗଠନ କରିବେ ବୋଲି ମସ୍କ ଆଜି ଘୋଷଣା କରିଛନ୍ତି।   ମସ୍କଙ୍କ ଏଭଳି ଘୋଷଣାର କିଛି ଘଣ୍ଟା ପରେ ଏହି ବିଲ୍‌ ସିନେଟ୍‌ରେ ଗୃହୀତ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଆଜି ଧମକ ଦେଇ କହିଛନ୍ତି,  ଟେସ୍‌ଲା ଓ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କୁ ଦେଶାନ୍ତର କରାଯିବା ସମ୍ଭାବନା ରହିଛି ଏବଂ ଏହା ଉପରେ  ମଧ୍ୟ ସେ ବିଚାର କରିବେ। ମସ୍କଙ୍କୁ ଦେଶରୁ ହଟାଇବା ସମ୍ପର୍କରେ ସାମ୍ବାଦିକମାନେ ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ,  ଆମକୁ ଏହା ଉପରେ ବି ନଜର ପକାଇବାକୁ ପଡ଼ିବ। ସରକାରୀ ସବ୍‌ସିଡି ଏବଂ ଇଲେକ୍ଟ୍ରିକ୍ ଯାନ ସଂକ୍ରାନ୍ତ ଆଦେଶକୁ ନେଇ ମସ୍କ ଆଜି ଟ୍ରମ୍ପଙ୍କୁ  ସମାଲୋଚନା କରିବାର କିଛି ସମୟ ପରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି। ‘ଟ୍ରୁଥ୍ ସୋସିଆଲ୍‌’ରେ  ମଧ୍ୟ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମସ୍କଙ୍କୁ ତାଙ୍କ କାରବାର ବନ୍ଦ କରି ଦକ୍ଷିଣ ଆଫ୍ରିକାକୁ ଫେରିବାକୁ ପଡ଼ିପାରେ। ଏହି ବୟାନ ଆମେରିକାରେ ତମ୍ବିତୋଫାନ ସୃଷ୍ଟି କରିଛି।

Advertisment

କାରବାର ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡ଼ିପାରେ
‘ବିଗ୍, ବିୟୁଟିଫୁଲ୍ ବିଲ୍’କୁ ମସ୍କଙ୍କ ଚ୍ୟାଲେଞ୍ଜ
‘ଆମେରିକା ପାର୍ଟି’ ଆରମ୍ଭ କରିବେ 

ସୂଚନାଯୋଗ୍ୟ, ଖର୍ଚ୍ଚ ଓ ଟିକସ କାଟ ବିଲ୍‌କୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପ୍ରଥମ ବିବାଦ ପରେ ମସ୍କ ଅପେକ୍ଷାକୃତ ନିରବ ରହିବାକୁ ପସନ୍ଦ କରିଥିଲେ। ସିନେଟ୍‌ରେ ବିତର୍କ ଓ  ଭୋଟିଂ ପରେ ବିଲ୍‌ ଗୃହୀତ ହୋଇଥିବାରୁ ମସ୍କ ରିପବ୍ଲିକାନ୍ ସମର୍ଥିତ ବିଲ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେ ଏହାକୁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ବିନାଶକାରୀ ବୋଲି କହିଛନ୍ତି। ଏହି ଖର୍ଚ୍ଚ ବିଲ୍ ବିରୋଧରେ ‘ଆମେରିକା ପାର୍ଟି’ ଗଠନ କରାଯିବ। ଆମ ଦେଶରେ ଡେମୋକ୍ରାଟ୍-ରିପବ୍ଲିକାନ୍ ପାର୍ଟିଦ୍ବୟର ଆଉ ଏକ ବିକଳ୍ପ ଦରକାର ବୋଲି ମସ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି। ଯେଉଁ ରିପବ୍ଲିକାନ ସାଂସଦମାନେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଟାର୍ଗେଟ୍‌ କରି ମସ୍କ କହିଛନ୍ତି ଯେ ଯେଉଁମାନେ ଖର୍ଚ୍ଚ ହ୍ରାସ ପାଇଁ ପ୍ରଚାର କରୁଛନ୍ତି କିନ୍ତୁ ବିଲ୍‌କୁ ସମର୍ଥନ କରୁଛନ୍ତି, ସେମାନେ ଲଜ୍ଜାରେ ମୁଣ୍ଡ ନୁଆଁଇବା ଉଚିତ। ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା  ରହିଥିବା ମସ୍କ ଆହୁରି ଧମକ ଦେଇଛନ୍ତି ଯେ ଯେଉଁମାନେ ଏହି ବିଲ୍‌କୁ ସମର୍ଥନ କରିବେ ସେମାନେ ନିଶ୍ଚିତ ଭାବେ ଆସନ୍ତା ବର୍ଷ ସେମାନଙ୍କର ପ୍ରାଥମିକ ନିର୍ବାଚନରେ ହାରିବେ। ମସ୍କ ପୂର୍ବରୁ କହିଥିଲେ ଯେ ଟିକସ ହ୍ରାସ ଓ ବ୍ୟୟ ବିଲ୍ ଜାତୀୟ ଋଣ ବୃଦ୍ଧି କରିବ ଏବଂ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର କାର୍ଯ୍ୟ ମାଧ୍ୟମରେ ସରକାର ହାସଲ କରିଥିବା ସଞ୍ଚୟକୁ ନଷ୍ଟ କରିଦେବ। ସିନେଟ୍‌ରେ ଏହି ବିଲ୍ ପାରିତ କରିବା ପାଇଁ ରିପାବ୍ଲିକାନ୍‌ମାନେ ଏକଜୁଟ୍‌ ହେବା ମସ୍କଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ହେବ।