ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଆଫଗାନିସ୍ତାନକୁ ଏକ ଖୋଲା ଧମକ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ଯଦି ଆଫଗାନିସ୍ତାନ ବାଗ୍ରାମ ଏୟାରବେସ୍ ଆମେରିକାକୁ ନ ଫେରାଏ ତେବେ  ଏହାର ପରିଣାମ ଭୋଗିବାକୁ ପଡିବ। ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, "ଯଦି ଆଫଗାନିସ୍ତାନ ବାଗ୍ରାମ ଏୟାରବେସ୍  ଆମେରିକାକୁ ନଫେରାଏ ତେବେ ଅଘଟଣ ଘଟିବ। ଏହି ବିବୃତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏହି ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିକୁ ପୁନର୍ବାର ଦଖଲ କରିବାକୁ ଚେଷ୍ଟା କରୁଛି।

Advertisment

୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦୀ ବିରୋଧୀ ଅଭିଯାନ ପାଇଁ ଆମେରିକୀୟ ସେନା ଦ୍ୱାରା ବାଗ୍ରାମ ବାୟୁସେନା ଘାଟି ବ୍ୟବହାର କରାଯାଉଥିଲା। ତଥାପି, ୨୦୨୧ ମସିହାରେ ଆମେରିକା ସେନା ସ୍ବଦେଶ ଫେରିବା ପରେ, ଏହି ଘାଟି  ଇସଲାମିକ ଗୋଷ୍ଠୀ ତାଲିବାନ ହାତରେ ପଡ଼ିଥିଲା। ଗୁରୁବାର ଟ୍ରମ୍ପ୍ କହିଥିଲେ ଯେ, ଆମେରିକା ବାୟୁସେନା ଘାଟିର ନିୟନ୍ତ୍ରଣ ଫେରି ପାଇବାକୁ ଚାହୁଁଛି, ଏବଂ ଶୁକ୍ରବାର ସେ ସାମ୍ବାଦିକମାନଙ୍କୁ କହିଥିଲେ, ଏହି ପ୍ରସଙ୍ଗରେ ଆଫଗାନିସ୍ତାନ ସହିତ ଆଲୋଚନା ଚାଲିଛି। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଜାକିର ଜଲାଲ ଗୁରୁବାର ଏକ୍ସରେ ଲେଖିଛନ୍ତି, "ଆଫଗାନିସ୍ତାନ ଏବଂ ଆମେରିକା ସଂଯୋଗ ହେବା ଉଚିତ୍, କିନ୍ତୁ ଏଥିପାଇଁ କୌଣସି ଆମେରିକୀୟ ସାମରିକ ଉପସ୍ଥିତିର ଆବଶ୍ୟକତା ନାହିଁ।

ବାଗ୍ରାମ ବାୟୁସେନା ଘାଟିକୁ ଆଫଗାନିସ୍ତାନର ସବୁଠାରୁ ବଡ଼ ଏବଂ ସବୁଠାରୁ ରଣନୈତିକ ସାମରିକ ଘାଟି ଭାବରେ ବିବେଚନା କରାଯାଇଥାଏ। ଏହା କେବଳ ଆମେରିକାର ଆତଙ୍କବାଦ ବିରୋଧୀ ଅଭିଯାନର ଏକ କେନ୍ଦ୍ର ନୁହେଁ ବରଂ ମଧ୍ୟ ଏସିଆରେ ଆମେରିକୀୟ ପ୍ରାଧାନ୍ୟର ପ୍ରତୀକ ମଧ୍ୟ। ବର୍ତ୍ତମାନ ଏହା ତାଲିବାନ ନିୟନ୍ତ୍ରଣରେ ରହିଛି। ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ନୂତନ ଉତ୍ତେଜନା ସୃଷ୍ଟି କରୁଛି। ଏଥିରେ ହଜାରରେ ଅଧିକ  ସୈନିକ ରହିଛନ୍ତି।

ବାଗ୍ରାମ ବାୟୁସେନା ଘାଟି ଆଫଗାନିସ୍ତାନର ପରୱାନ ପ୍ରଦେଶରେ ଅବସ୍ଥିତ। ଏହାର ଲମ୍ବା ଏବଂ କଂକ୍ରିଟ୍ ରନୱେ ଯୋଗୁଁ ଏଠାରେ ଏଫ-୧୬ଭଳି ଲଢୁଆ ବିମାନ ଏବଂ ଭାରୀ ମାଲବାହୀ ବିମାନ ଅବତରଣ କରିପାରିବ।

ଏହି ଏୟାରବେସର ପ୍ରଥମ ପ୍ରମୁଖ ଅଂଶ ସୋଭିଏତ୍ ଯୁଗରେ, ୧୯୫୦ ରୁ ୧୯୮୦ ମଧ୍ୟରେ ନିର୍ମିତ ହୋଇଥିଲା। ୯/୧୧ ଆକ୍ରମଣ ପରେ,ଆମେରିକା ଏହି ସ୍ଥାନକୁ ଦଖଲ କରିଥିଲା। ୨୦୨୧ ମସିହାରେ ଆମେରିକା ଏବଂ ନାଟୋ ସେନା ପ୍ରତ୍ୟାହାର ପରେ,ଏହି ସ୍ଥାନ ଖାଲି କରାଯାଇଥିଲା ଏବଂ ପରେ ତାଲିବାନ ନିୟନ୍ତ୍ରଣକୁ ଆସିଥିଲା। ଯେତେବେଳେ ଆମେରିକା ଏହି ସ୍ଥାନ ଖାଲି କରିଥିଲା,ସେତେବେଳେ ବହୁ ପରିମାରେ ଅସ୍ତ୍ରଶସ୍ତ୍ର ଛାଡି ଯାଇଥିଲା।