ୱାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚିରାଚରିତ ବାଣିଜ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନ ସମେତ ପଡ଼ୋଶୀ କାନାଡା ଓ ମେକ୍ସିକୋକୁ ଶୁଳ୍କବୃଦ୍ଧି ଧମକ ଦେଇଛନ୍ତି। ଆସନ୍ତା ଜାନୁଆରି ୨୦ରେ କ୍ଷମତାକୁ ଆସିବାର ପ୍ରଥମ ଦିନରୁ ଏହି ୩ଟି ଦେଶର ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକାକୁ ହେଉଥିବା ବେଆଇନ ଦେଶାନ୍ତର ଏବଂ ଡ୍ରଗ ଚୋରାଚାଲାଣକୁ ରୋକା ନଗଲେ ସେ ଏହି ପଦକ୍ଷେପ ନେବେ।
ମେକ୍ସିକୋ ଓ କାନାଡାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ହେବ। ସେହିଭଳି ଚୀନ ଉପରେ ଆଦାୟ ହେଉଥିବା ଅତିରିକ୍ତ ଶୁଳ୍କ ଉପରେ ଆଉ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ସେ ଲାଗୁ କରିବେ। ଟ୍ରମ୍ପଙ୍କ ଏହି ଘୋଷଣା ଉପରୋକ୍ତ ୩ ଦେଶ ସହିତ ବାଣିଜ୍ୟିକ ଉତ୍ତେଜନାକୁ ବୃଦ୍ଧି କରିବା ଆଶଙ୍କା ସୃଷ୍ଟି କରିଛି। ଆମେରିକା ବିଶ୍ବର ସର୍ବବୃହତ୍ ଆମଦାନିକାରୀ ରାଷ୍ଟ୍ର। ଆମେରିକାର ବାର୍ଷିକ ମୋଟ ଆମଦାନୀ (୩.୨ ଲକ୍ଷ କୋଟି ଡଲାର)ରେ ଚୀନ, ମେକ୍ସିକୋ ଓ କାନାଡାର ଅଂଶ ପ୍ରାୟ ୪୦ ପ୍ରତିଶତ। କାନାଡା ଓ ମେକ୍ସକୋ ଜରିଆରେ ଆମେରିକାକୁ ବେଆଇନ ଦେଶାନ୍ତର ହେଉଥିବାବେଳେ ଚୀନରୁ ଫେଣ୍ଟାନିଲ ଡ୍ରଗ ଚୋରାଚାଲାଣ ହେଉଛି। ତେବେ ଆମେରିକା ପ୍ରଶାସନ ଶୁଳ୍କ ବୃଦ୍ଧି କରିଲେ ଏସବୁ ଦେଶ ମଧ୍ୟ ଅନୁରୂପ ପଦକ୍ଷେପ ନେଇପାରନ୍ତି। ଏହାହେଲେ ବାଣିଜ୍ୟ ବାଧାପ୍ରାପ୍ତ ହେବ। ସାମଗ୍ରୀଗୁଡ଼ିକ ମହଙ୍ଗା ହେବ।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ମେକ୍ସିକୋ ଓ ଚୀନକୁ ଶୁଳ୍କବୃଦ୍ଧି ନେଇ ଧମକ ଦେଇଥିଲେ। ସେ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଆବଶ୍ୟକ ଅନୁଭବ କଲେ ଆମଦାନୀ ଶୁଳ୍କକୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ସେ ତାଙ୍କର ପ୍ରଥମ ରାଷ୍ଟ୍ରପତିତ୍ବ ସମୟରେ ଲାଗୁ କରିଥିବା ଶୁଳ୍କଠାରୁ ଏହା ବହୁ ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/trump1.jpg)