ଓ୍ଵାସିଂଟନ୍: ପିୟୋଙ୍ଗ୍ୟାଙ୍ଗ୍ ତା’ର ପାରମାଣବିକ ଓ କ୍ଷେପଣାସ୍ତ୍ର ପ୍ରକଳ୍ପ ଧ୍ୱଂସ କରୁଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍-ଉନ୍ଙ୍କ ସହ ଫେବ୍ରୁଆରି ଶେଷ ଆଡ଼କୁ ଦ୍ୱିତୀୟ ଶିଖର ବୈଠକ ଆୟୋଜନ କରିବାକୁ ଯାଉଛନ୍ତି ବୋଲି ହ୍ଵାଇଟ୍ ହାଉସ୍ କହିଛି। ପ୍ରଥମ ଶିଖର ବୈଠକରେ ଦୁଇ ନେତା ଗତ ବର୍ଷ ଜୁନ୍ ୧୨ ତାରିଖ ଦିନ ସିଙ୍ଗାପୁର ଠାରେ ଭେଟାଭେଟି ହୋଇଥିଲେ।
ଦୁଇ ନେତାଙ୍କ ଦ୍ୱିତୀୟ ବୈଠକର ସାକ୍ଷାତସ୍ଥଳୀ ସମ୍ପର୍କରେ ହ୍ଵାଇଟ୍ ହାଉସ୍ ତରଫରୁ କୌଣସି ସ୍ଥାନ ନିରୂପଣ ହୋଇନାହିଁ।
ତାଙ୍କ ଦେଶର ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମଗୁଡ଼ିକୁ ନଷ୍ଟ କରିବା ନିମନ୍ତେ କିମ୍ ଜୋଙ୍ଗ୍-ଉନ୍ଙ୍କ ପ୍ରତିଜ୍ଞା ପୂରଣ ନ ହୋଇଥିବା ବିଷୟ ସମେତ ଅନ୍ୟାନ୍ୟ ବିଷୟ ଆଲୋଚନା କରିବାକୁ ଉତ୍ତର କୋରିଆର ଦୂତ କିମ୍ ୟୋଙ୍ଗ୍ ଚୋଲ୍ଙ୍କୁ ଟ୍ରମ୍ପ୍ ଶୁକ୍ରବାର ଦିନ ଭେଟିବା ପରେ ଏହି ଘୋଷଣା କରାଯାଇଛି।
ଓଭାଲ୍ ଅଫିସ୍ରେ ଉତ୍ତର କୋରିଆ କମ୍ୟୁନିଷ୍ଟ୍ ସରକାରଙ୍କ ଜଣେ ଉଚ୍ଚସ୍ତରୀୟ ଅଧିକାରୀ କିମ୍ ୟୋଙ୍ଗ୍ ଚୋଲ୍ଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍ ବସି ଆଲୋଚନା କରିଥିବା କଥା ହ୍ଵାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରି ସାରା ସାଣ୍ଡର୍ସ୍ କହିଛନ୍ତି।
ସାମ୍ବାଦିକମାନଙ୍କୁ ପ୍ରେସ୍ ସେକ୍ରେଟେରି କହିଛନ୍ତି: ଘୋଷରା କରାଯିବାକୁ ଥିବା କୌଣସି ପରବର୍ତ୍ତୀ ତାରିଖରେ ରାଷ୍ଟ୍ରପତି ଚେୟାର୍ମ୍ୟାନ୍ କିମ୍ଙ୍କ ସହ ସାକ୍ଷାତ୍ କରିବାକୁ ଚାହିଁ ରହିଛନ୍ତି।