ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେବେ ଟ୍ରମ୍ପ୍‌

ଓ୍ଵାସିଂଟନ୍‌/ଜେରୁଜେଲମ୍‌: ବୁଧବାର ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେବେ। ତା’ଛଡ଼ା ଆମେରିକୀୟ ଦୂତାବାସକୁ ସେ ପ୍ରାଚୀନ ସହରକୁ ଉଠାଇ ନେବାର ବ୍ୟବସ୍ଥା ମଧ୍ୟ କରିବେ। ଏ କଥା ଘୋଷଣା କରିଛନ୍ତି ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ। ୟୁଏସ୍‌ ପଲିସିରେ ଏ ପ୍ରସଙ୍ଗ ଦଶ ବର୍ଷ ହେବ ଆଲୋଚନା ଚାଲିଥିଲା। ମଧ୍ୟପ୍ରାଚ୍ୟରେ ହିଂସାକାଣ୍ଡ ବଢୁଥିବାରୁ ଏ ଭଳି ନିଷ୍ପତ୍ତି ନିଆଯାଇଥିବା କଥା ସେ ଅଧିକାରୀ ଜଣକ କହିଛନ୍ତି।

ଆରବ ରାଜଧାନୀରେ ବିରୋଧୀମାନଙ୍କ ପ୍ରତିବାଦ ଚିତ୍କାର ସତ୍ତ୍ୱେ ଟ୍ରମ୍ପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭାଷଣରେ ଏ କଥା ଘୋଷଣା କରିବେ। ତେଲ୍‌ ଅବିବ୍‌ରୁ ଦୂତାବାସ ଉଠାଇ ନେବାକୁ ସେ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌କୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ତିନିରୁ ଚାରି ବର୍ଷ ଲାଗିବ। କିନ୍ତୁ, ସ୍ଥାନାନ୍ତର ପ୍ରକ୍ରିୟା କେତେବେଳେ ଆରମ୍ଭ ହେବ ଟ୍ରମ୍ପ୍‌ ତାହା ନିର୍ଦ୍ଧାରଣ କରିବେ ନାହିଁ।

Image Courtesy of CNBC

ଆମେରିକୀୟ ରାଷ୍ଟ୍ରଦୂତମାନେ ରହିବା ନିମନ୍ତେ ଜେରୁଜେଲମ୍‌ରେ ଦୂତାବାସ ତିଆରି, ସୁରକ୍ଷା ବ୍ୟବସ୍ଥା ଓ ବାସସ୍ଥାନ ଆଦି ସରିନାହିଁ। ତେଣୁ ଏବେ ଦୂତାବାସ ସ୍ଥାନାନ୍ତରରେ ବିଳମ୍ବ ଘଟିବ। ସେଥିପାଇଁ ଟ୍ରମ୍ପ୍‌ ଏକ ଜାତୀୟ ନିରାପତ୍ତା ଦଲିଲ ସ୍ୱୀକାର କରିବେ।

ତଥାପି ଟ୍ରମ୍ପ୍‌ ସମଗ୍ର ଜେରୁଜେଲମ୍‌କୁ ନିଜର ରାଜଧାନୀ ବୋଲି ଇସ୍ରାଏଲ୍‌ କରୁଥିବା ଦାବିକୁ ସମର୍ଥନ କରିଛନ୍ତି। କିନ୍ତୁ ଏଥି ପୂର୍ବରୁ ଆମେରିକା ପଲିସି କରିଥିଲା ଯେ ଜେରୁଜେଲମ୍‌କୁ ସହର ମାନ୍ୟତା ମିଳିବା ପାଇଁ ପାଲେଷ୍ଟାନୀୟମାନଙ୍କ ସହ ବୁଝାମଣା କରାଯିବ। ପାଲେଷ୍ଟାନୀୟମାନେ ପୂର୍ବ ଜେରୁଜେଲମ୍‌କୁ ସେମାନଙ୍କ ଭବିଷ୍ୟତ ଦେଶର ରାଜଧାନୀ କରିବାକୁ ଚାହୁଁଛନ୍ତି। ଟ୍ରମ୍ପ୍‌ଙ୍କ ଏବକାର ନିଷ୍ପତ୍ତି ଏହାର ବିରୁଦ୍ଧାଚରଣ କରୁଛି।
ସମଗ୍ର ଜେରୁଜେଲମ୍‌ ଉପରେ ଇସ୍ରାଏଲ୍‌ର ସାର୍ବଭୌମତ୍ୱକୁ ଆନ୍ତର୍ଜାତିକ ସମୁଦାୟ ଅନୁମୋଦ ଦେଉ ନାହାନ୍ତି। ସେଠାରେ ମୁସଲମାନ, ଇହୁଦୀ ଏବଂ ଖ୍ରୀଷ୍ଟଧର୍ମର ପବିତ୍ର ସ୍ଥଳୀମାନ ରହିଛି।

Image Courtesy of wbur.org

କିନ୍ତୁ, ଏହା ଟ୍ରମ୍ପ୍‌ଙ୍କ ନିର୍ବାଚନ ପ୍ରଚାର ଅଭିଯାନର ପ୍ରତିଶ୍ରୁତି ମୁତାବକ ହେବାକୁ ଯାଉଛି। ଏ ମାମଲା ଦୁଇ ପକ୍ଷଙ୍କ ମଧ୍ୟରେ ଚୂଡ଼ାନ୍ତ ଆଲୋଚନାର ପରିଣତି ନୁହେଁ ବୋଲି ଅଧିକାରୀଜଣକ କହିଛନ୍ତି।

ମଙ୍ଗଳବାର ଦିନ ପାଲେଷ୍ଟାନୀୟ ରାଷ୍ଟ୍ରପତି ମହମଦ ଅବ୍ଦାସ୍‌, ଜୋର୍ଡାନ୍‌ର ରାଜା ଅବ୍ଦୁଲ୍ଲା, ଇଜିପ୍ଟ୍‌ର ରାଷ୍ଟ୍ରପତି ଅବଦେଲ୍‌ ଫତା ଅଲ୍‌-ସିସି ଏବଂ ସାଉଦି ରାଜା ସଲମନ୍‌ ସଭିଏଁ ଟ୍ରମ୍ପ୍‌ଙ୍କ ଟେଲିଫୋନ୍‌ କଲ୍‌ ପାଇଥିଲେ। ଜେରୁଜେଲମ୍‌ ସଂକ୍ରାନ୍ତରେ ଆମେରିକା ଗ୍ରହଣ କରିଥିବା ଏକତରଫା ପଦକ୍ଷେପ ଏ ଅଞ୍ଚଳରେ ଆମେରିକା ଚଳାଇଥିବା ଶାନ୍ତିର ପ୍ରୟାସକୁ ନଷ୍ଟ କରିବ ବୋଲି ସେମାନେ ଏକଜୁଟ ହୋଇ କହିଛନ୍ତି।

Image Courtesy of Now The End Begins

ଜେରୁଜେଲମ୍‌କୁ ଆମେରିକୀୟ ଦୂତାବାସ ସ୍ଥାନାନ୍ତର ସଂକ୍ରାନ୍ତରେ ଟ୍ରମ୍ପ୍‌ ଦୀର୍ଘବର୍ଷ ହେବ ଆମେରିକାର ଘନିଷ୍ଠ ବନ୍ଧୁ ସାଜିଥିବା ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନିୟାହୁଙ୍କ ସହ କଥାବାର୍ତ୍ତା କରିଛନ୍ତି।

କିନ୍ତୁ, ଏହାର ପରିଣାମ ବିପଜ୍ଜନକ ବୋଲି ଆରବ ଦେଶମାନେ କହୁଛନ୍ତି। ଜେରୁଜେଲମ୍‌ର ଅଭ୍ୟନ୍ତରିଣ ବ୍ୟବସ୍ଥା ଠିକ୍‌ ନାହିଁ। ଏ ସମୟରେ ନିଜ ନିର୍ବାଚନ ପ୍ରଚାର ପ୍ରତିଶ୍ରୁତିକୁ ରଖିବାକୁ ଟ୍ରମ୍ପ୍‌ ବଡ଼ ଅଧୈର୍ଯ୍ୟ ହୋଇ ନିଷ୍ପତ୍ତି ନେଇଥିବା କଥା କେତେକ ଆରବୀୟ ଅଧିକାରୀ କହୁଛନ୍ତି। ସାଉଦି ରାଜା ସଲ୍‌ମନ୍‌ କହିଛନ୍ତି ଯେ ଜେରୁଜେଲ୍‌ମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେବା ନିମନ୍ତେ ଟ୍ରମ୍ପ୍‌ କରିଥିବା ଘୋଷଣା ବିଶ୍ୱର ସମଗ୍ର ମୁସଲମାନମାନଙ୍କ ଭାବନାକୁ ଉତ୍ତେଜିତ କରିପାରେ।

ସମ୍ବନ୍ଧିତ ଖବର