ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସିବେ । ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ତେବେ ଏହା ପୂର୍ବରୁ ଆମେରିକା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଏହାର ମୂଲ୍ୟ ୧.୮ ବିଲିୟନ ଡଲାର ବା ୧୮୬ କୋଟି ଟଙ୍କା ହେବ । ଆମେରିକାର ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏହି ନିଷ୍ପତ୍ତି ସଂପର୍କରେ ଆମେରିକା କଂଗ୍ରେସକୁ ଜଣାଇଛି । ଋଷିଆ ଦ୍ୱାରା ଭାରତକୁ ଏସ୪୦୦ ବିକ୍ରିକୁ ତାଳ ଦେବା ପାଇଁ ଆମେରିକା ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ପରିବର୍ତ୍ତିତ ବିଶ୍ୱ ଭୂ-ରାଜନୈତିକ ପରିସ୍ଥିତିରେ ଆମେରିକା ଓ ଭାରତ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି । ବିଶେଷକରି ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ସହ ସୁସମ୍ପର୍କ ରକ୍ଷା କରିଛନ୍ତି । ବିଶ୍ୱରେ ଚୀନର ପ୍ରଭାବକୁ ଅଟକେଇବାକୁ ଆମେରିକା ଭାରତକୁ ନିଜର ପ୍ରମୁଖ ସାମରିକ ସହଯୋଗୀର ମାନ୍ୟତା ଦେଇଛି । ଏ ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ଭାରତ ଗସ୍ତର ଗୁରୁତ୍ୱ ରହିଛି ।
ସୂଚନାଯୋଗ୍ୟ ଯେ ନିଜର ଏହି ପ୍ରଥମ ଭାରତ ଗସ୍ତ କାଳରେ ଟ୍ରମ୍ପ ନୂଆଦିଲ୍ଲୀ ଓ ଅହମଦାବାଦରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ଟ୍ରମ୍ପ ରାଜନୈତିକ ନେତା, ଶିଳ୍ପପତି ଆଦି ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/donald-trump-01-as-ap-181018_hpMain_16x9_992.jpg)