ନିଜେ ମାସ୍କ୍ ନ ପିନ୍ଧି ଏରିଜୋନାରେ ଫେସ୍-ମାସ୍କ୍ କାରଖାନା ପରିଦର୍ଶନ କଲେ ଟ୍ରମ୍ପ୍

ଫିନିକ୍ସ୍: ନିଜେ ମାସ୍କ ନ ପିନ୍ଧି ରାଷ୍ଟ୍ରପତି ଟ୍ରମ୍ପ୍ ମଙ୍ଗଳବାର ଦିନ ଏରିଜୋନାସ୍ଥିତ ଏକ ନୂତନ ମେଡିକାଲ୍ ମାସ୍କ୍ କାରଖାନା ପରିଦର୍ଶନ କରିଥିଲେ।

ଅପରାହ୍ଣ ପ୍ରାୟ ୩ଟା ବେଳେ ଏରିଜୋନାର ରାଜଧାନୀ ଫିନିକ୍ସ୍‌ରେ ବିମାନ ଅବତରଣ କରିବା ପରେ ଟ୍ରମ୍ପ୍ ମାସ୍କ୍ ତିଆରି କାରଖାନା ‘ହନିୱେଲ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଇନ୍କ୍‌’ ପରିଦର୍ଶନ କରିଥିଲେ। ସେଠାରେ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ଏନ୍-ନାଇଣ୍ଟିଫାଇଭ୍ ମାସ୍କ୍ ତିଆରି ହେଉଛି। ସୁରକ୍ଷା ଉପକରଣ ଅଭାବ ଦେଖାଦେବା କାରଣରୁ ଏହି କାରଖାନାକୁ ପାଞ୍ଚ ସପ୍ତାହରୁ କମ୍ ସମୟ ମଧ୍ୟରେ ଚାଲୁ କରାଯାଇଛି। ଏଠାରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାସ୍ଥ୍ୟ ଓ ମାନବ ସେବା ନିମନ୍ତେ ମାସ୍କ୍ ଉତ୍ପାଦନ କରାଯାଉଛି।

Image Source: AP News

ସେଠାରେ ଥିବା ପ୍ରଡକ୍ସନ୍ ୱାର୍କର୍‌ମାନେ ମାସ୍କ୍ ପିନ୍ଧିଥିଲେ। ଏହାଛଡ଼ା ସେଠାରେ ଗୋଟାଏ ସାଇନ୍‌ବୋର୍ଡରେ ଲେଖାଯାଇଥିଲା– ସାବଧାନ୍: ଏ ଅଞ୍ଚଳରେ ଫେସ୍‌-ମାସ୍କ ପିନ୍ଧିବା ଆବଶ୍ୟକ। ଆପଣଙ୍କୁ ଧନ୍ୟବାଦ! ହେଲେ କାରଖାନା ପରିଦର୍ଶନ ବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ‘ସେଫ୍‌ଟି ଗଗଲ୍ସ୍’ ପିନ୍ଧିଥିଲେ ମଧ୍ୟ ମାସ୍କ ପିନ୍ଧି ନ ଥ‌ିଲେ।

କେବଳ ଟ୍ରମ୍ପ୍ ନୁହନ୍ତି, ହନିୱେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେରିଅସ୍ ଆଡାମ୍‌କ୍ଜାଇକ୍, ହ୍ବାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ସ ମାର୍କ ମିଡୋଜ୍ ଏବଂ ଅନ୍ୟ କେତେକ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ମାସ୍କ୍ ପରିଧାନ କରି ନ ଥିଲେ।

କିନ୍ତୁ, ହ୍ବାଇଟ୍ ହାଉସ୍ ଛାଡ଼ିବା ବେଳେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏରିଜୋନା କାରଖାନାରେ ସେ ମାସ୍କ ପିନ୍ଧିବାର ସମ୍ଭାବନା ଅଛି।

 

ସମ୍ବନ୍ଧିତ ଖବର