ଟ୍ରମ୍ପ ଗୁପ୍ତଚର ଆଇନର ଉଲ୍ଲଂଘନ କରିଥିଲେ, ୧୧ ସେଟ୍ ଗୁପ୍ତ ଫାଇଲ ସାଙ୍ଗରେ ନେଇଯାଇଥିଲେ

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ସମ୍ଭାବ୍ୟ ଗୁପ୍ତଚର ଆଇନ ଓ ଅନ୍ୟ ଆଇନର ଉଲ୍ଲଂଘନ ନେଇ ତଦନ୍ତ କରାଯାଉଛି। ତାଙ୍କ ବିରୋଧରେ ପ୍ରଦତ୍ତ ସର୍ଚ୍ଚ ୱାରେଣ୍ଟରୁ ଏହା ଜଣାପଡ଼ିଛି। ଶୁକ୍ରବାର ଏହି ସର୍ଚ୍ଚ ୱାରେଣ୍ଟକୁ ସାର୍ବଜନୀନ କରାଯାଇଛି ଯେଉଁଥିରୁ ଜଣାପଡ଼ିଛି ଯେ ଏଫ୍‌ବିଆଇ ଏଜେଣ୍ଟମାନେ ଗତ ସୋମବାର ତାଙ୍କ ଫ୍ଲୋରିଡ଼ା-ସ୍ଥିତ ବାସଭବନରେ ଚଢ଼ାଉ କରି ଅନେକ ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଛନ୍ତି।

ଏକ କୋର୍ଟ ଆଦେଶ ଅନୁସାରେ ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁସାରେ ଏଫ୍‌ବିଆଇ ଏଜେଣ୍ଟମାନେ ୧୧ ସେଟ୍ ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଛନ୍ତି, ଯେଉଁଥିରୁ ଚାରୋଟି ଉପରେ ଲେଖାଅଛି ‘କ୍ଲାସିଫାଏଡ୍‌/ଟିଏସ୍/ଏସ୍‌ସିଆଇ’। ଟିଏସ୍ ଅର୍ଥ ଟପ୍ ସିକ୍ରେଟ୍ ଏବଂ ଏସ୍‌ସିଆଇ ଅର୍ଥ ସେନ୍ସିଟିଭ୍ କମ୍ପାର୍ଟମେଣ୍ଟେଡ୍ ଇନ୍‌ଫର୍ମେସନ। ସିକ୍ରେଟ୍ ଓ କନ୍‌ଫିଡେନ୍ସିଆଲ ଭାବେ ବର୍ଗୀକୃତ ଆଉ ତିନି ସେଟ୍ ଡକୁମେଣ୍ଟ ମଧ୍ୟ ଏଫ୍‌ବିଆଇ ଏଜେଣ୍ଟମାନେ ଜବତ କରିଥିଲେ। ଏ ପ୍ରକାର ଦଲିଲକୁ ହ୍ବାଇଟ୍ ହାଉସ୍ ବାହାରକୁ ଆଣିବା ବେଆଇନ। ଏହାକୁ କେବଳ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେ କ୍ଷମତାପ୍ରାପ୍ତ ଅଧିକାରୀମାନେ ଦେଖିପାରିବେ। ଜବତ ଫାଇଲଗୁଡ଼ିକରେ ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ମଧ୍ୟ ରହିଥିବା କୁହାଯାଉଛି। ନିର୍ଦ୍ଦିଷ୍ଟ ପ୍ରମାଣ ଭିତ୍ତିରେ କୋର୍ଟରୁ ୱାରେଣ୍ଟ ନେଇ ଏଫ୍‌ବିଆଇ ଟ୍ରମ୍ପଙ୍କ ଘରେ ଚଢ଼ାଉ କରିଥିଲା।

ତେବେ ଏ ବାବଦରେ ଟ୍ରମ୍ପ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଯେତେବେଳେ ବିଦାୟ ନେଲେ ସେତେବେଳେ ସେ କ୍ଲାସିଫାଏଡ୍ ବୋଲି ଲେଖାଥିବା ୩୩ ନିୟୁତ ପୃଷ୍ଠା ସାଙ୍ଗରେ ନେଇଯାଇଥିଲେ। କାହିଁକି ତାଙ୍କ ଘର ଉପରେ ତ ଚଢ଼ାଉ କରାଗଲାନି?

ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପଙ୍କୁ କାଗଜପତ୍ର ଫେରାଇବା ପାଇଁ ଯଥେଷ୍ଟ ସମୟ ଓ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ନ ଫେରାଇବାରୁ ଏଫ୍‌ବିଆଇ ଦ୍ବାରା ଚଢ଼ାଉ କରିବାକୁ ପଡ଼ିଲା।

ସମ୍ବନ୍ଧିତ ଖବର