ଇମ୍ରାନଙ୍କୁ ସତର୍କ କରାଇଲେ ଟ୍ରମ୍ପ୍‌, ଭାରତ ବିରୋଧୀ ବୟାନ ଦିଅ ନାହିଁ

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩୦ ମିନିଟ୍‌ ଧରି ଫୋନ୍‌ରେ କଥାବାର୍ତ୍ତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। ମୋଦୀଙ୍କ ସହ ୩୦ ମିନିଟ୍‌ର କଥାବାର୍ତ୍ତା ସମୟରେ ମୋଦୀ ପଡ଼ୋଶୀ ରାଷ୍ଟ୍ରଦ୍ବାରା ଭାରତ ବିରୋଧରେ ଅତ୍ୟଧିକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦିଆଯାଉଥିବା ପ୍ରସଙ୍ଗ ଉଠାଇଥିଲେ। ପରେ ଏହି ପ୍ରସଙ୍ଗରେ ଟ୍ରମ୍ପ୍‌ ଇମ୍ରାନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଭାରତ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ନ ଦେବାପାଇଁ ଟ୍ରମ୍ପ୍‌ ଇମ୍ରାନ୍‌ ସତର୍କ କରାଇ ଦେଇଥିବା ହ୍ବାଇଟ ହାଉସ୍‌ ସୂତ୍ରରୁ ଜଣାପଡ଼ିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ଅବସାନ ଜରୁରୀ ବୋଲି ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷେ ଇମ୍ରାନ୍‌ ଟ୍ରମ୍ପ୍‌ଙ୍କୁ ଫୋନ୍‌ କଥାବାର୍ତ୍ତାରେ କହିଛନ୍ତି , ଭାରତ ସରକାର ଫାସିବାଦୀ ଏବଂ ନିଜକୁ ସର୍ବୋଚ୍ଚ ବୋଲି ଭାବୁଛନ୍ତି। ଭାରତ ସରକାର ପକ୍ଷରୁ ପାକିସ୍ତାନକୁ ବାରମ୍ବାର ଧମକ ଦିଆଯାଉଛି ଏବଂ ଭାରତରେ ଥିବା ସଂଖ୍ୟାଲଘୁମାନଙ୍କୁ ମଧ୍ୟ ଧମକ ଦିଆଯାଉଛି ବୋଲି ଇମ୍ରାନ୍‌ ଅଭିଯୋଗ କରିଛନ୍ତି। ‌ ତେବେ କଶ୍ମୀରକୁ ନେଇ ବଢ଼ୁଥିବା ଉତ୍ତେଜନାକୁ ରୋକିବା ଦିଗରେ ପାକିସ୍ତାନର ପଦକ୍ଷେପ ସକରାତ୍ମକ ହେବା ଆବଶ୍ୟକ ବୋଲି ଟ୍ରମ୍ପ୍‌ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର