ଧମକାଇଲେ ଟ୍ରମ୍ପ୍, ଭାରତର ଅଗ୍ରାଧିକାର ମାନ୍ୟତା ଛଡ଼ାଇ ନେବୁ

ୱାସିଂଟନ/ନୂଆଦିଲ୍ଲୀ: ଚୀନ୍‌ ସହିତ ବାଣିଜ୍ୟ ଲଢ଼େଇ ଚଳାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଭାରତ ଉପରେ ନଜର ପକାଇଛନ୍ତି। ବାଣିଜ୍ୟ କାରବାରରେ ଭାରତକୁ ‌ଦିଆଯାଉଥିବା ମାନ୍ୟତାକୁ ପ୍ରତ୍ୟାହାର କରିନେବାକୁ ଧମକ ଦେଇଛନ୍ତି। ପ୍ରାୟ ୬୦ ଦିନ ପରେ ଏହି ମାନ୍ୟତା ପ୍ରତ୍ୟାହାର କରିନିଆଯିବ ବୋଲି ସେ କହିଛନ୍ତି। ଯଦି ଟ୍ରମ୍ପ୍ ସେଭଳି ପଦକ୍ଷେପ ନେବେ ତେବେ ଭାରତ ପ୍ରଭାବିତ ହେବ। ଆମେରିକା ପକ୍ଷରୁ ଜେନେରାଲାଇଜଡ୍‌ ସିଷ୍ଟମ୍ ଅଫ୍‌ ପ୍ରିଫରେନ୍ସ (ଜିଏସ୍‌ପି) ଅଧୀନରେ କେତେକ ସାମଗ୍ରୀକୁ ବିନା ଶୁଳ୍କରେ କିମ୍ବା ନାମମାତ୍ର ଶୁଳ୍କରେ ରପ୍ତାନି କରିବାର ଅନୁମତି ଭାରତକୁ ପ୍ରଦାନ କରାଯାଇଛି। ଭାରତ ଠାରୁ ସେହି ମାନ୍ୟତା ପ୍ରତ୍ୟାହାର କରିନିଆଯିବ ବୋଲି ଟ୍ରମ୍ପ୍ ଧମକ ଦେଇଛନ୍ତି। ୧୯୭୬ ମସିହାରୁ ଭାରତକୁ ଆମେରିକା ଏହି ସୁବିଧା ପ୍ରଦାନ କରି ଆସୁଛି। ଆମେରିକାର ହାଉସ୍‌ ଅଫ୍ ରିପ୍ରେଜେଣ୍ଟେଟିଭ୍‌ର ବାଚସ୍ପତି ନାନ୍‌ସି ପେଲୋସିଙ୍କୁ ଏକ ପତ୍ର ଲେଖି ଟ୍ରମ୍ପ୍ ଜଣାଇଛନ୍ତି ଯେ, ଭାରତ ଯେଭଳି ଆମେରିକା ବଜାରକୁ ହାସଲ କରୁଛି, ଆମେରିକା ମଧ୍ୟ ସେଭଳି ଭାରତୀୟ ବଜାର ହାସଲ କରିବାକୁ ଚାହୁଁଛି। ବାଣିଜ୍ୟ କାରବାରରେ ଏଭଳି ସମାନତା ଆଣିବା ପାଇଁ ଭାରତ କୌଣସି ପ୍ରତିଶ୍ରୁତି ଦେଉନାହିଁ। ସେଥିପାଇଁ ଭାରତ ଠାରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିବାକୁ ମୁଁ ମନସ୍ଥ କରିଛି ବୋଲି ଟ୍ରମ୍ପ୍ ଜଣାଇଛନ୍ତି। ତୁର୍କୀ ଠାରୁ ମଧ୍ୟ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରି ନିଆଯିବ ବୋଲି ଟ୍ରମ୍ପ୍ କହିଛନ୍ତି।

ଆମେରିକାର ଏଭଳି ନିଷ୍ପତ୍ତି ନେବାର ଧମକ ପଛରେ କେ‌ତୋଟି କାରଣ ରହିଛି। ସେଗୁଡ଼ିକ ମଧ୍ୟରୁ ‌ଗୋଟିଏ ହେଲା ଆଣ୍ଠୁ ପ୍ରତିରୋପଣରେ ବ୍ୟବହାର ହେଉଥିବା ଉପକରଣ ଏବଂ ହୃଦରୋଗୀ ଚିକିତ୍ସାରେ ବ୍ୟବହୃତ ଷ୍ଟେଣ୍ଟ୍‌ ମୂଲ୍ୟର ସର୍ବୋଚ୍ଚ ସୀମା ଭାରତ ସରକାର ଧାର୍ଯ୍ୟ କରିଛନ୍ତି। ଏହା ଦ୍ବାରା ଆମେରିକୀୟ କଂପାନିଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଆମେରିକା ଚାହୁଁଛି ଭାରତ ଲଗାଇଥିବା ସୀମାକୁ ହଟାଇ ନେଉ। କିନ୍ତୁ ଭାରତ ସେହି ପ୍ରସ୍ତାବକୁ ଗ୍ରହଣ କରୁନାହିଁ। ଏତଦବ୍ୟତୀତ ଭାରତର ଇ-କମର୍ସ ନୀତି ଏବଂ ଭାରତ ଭିତରେ ତଥ୍ୟ ସଂରକ୍ଷିତ ରଖିବାର ଜିଦ୍‌କୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ। ଭାରତ ନିଜ ଅର୍ଥନୀତିକୁ ସୁରକ୍ଷିତ ରଖିବାକୁ ଏଭଳି ନୀତି ପ୍ରଣୟନ କରିଥିବା ବେଳେ ଆମେରିକା ଭାବୁଛି ଯେ କେବଳ ଆମେରିକୀୟ କଂପାନିଗୁଡ଼ିକୁ ହଇରାଣ କରିବା ପାଇଁ ଭାରତ ଏଭଳି ନୀତି ସବୁ ଆଣୁଛି। ସେହିଭଳି ଭାରତୀୟ ବଜାରକୁ ଆମେରିକା ହାସଲ କରିବାକୁ ଚାହୁଁଥିଲା। ତେଣୁ ଭାରତ ଏହାର ବଜାରକୁ ଆମେରିକା ପାଇଁ ଅଧିକ ଖୋଲା କରୁ ବୋଲି ଦାବି କରୁଥିଲା। ଜିଏସ୍‌ପି ମାନ୍ୟତା ଛଡ଼ାଇ ନିଆଯିବ ବୋଲି ଆମେରିକା ଧମକ ଦେବା ପରେ ଭାରତ ପକ୍ଷରୁ ଏକ ପ୍ରସ୍ତାବ ଆମେରିକା ପାଖକୁ ପଠାଯାଇଥିଲା। କୃଷିଜାତ ସାମଗ୍ରୀ, ଦୁଗ୍ଧ ଏବଂ କୁକୁଡ଼ା ବଜାରକୁ ଆମେରିକା ପାଇଁ ଖୋଲିବାକୁ ଭାରତ ପ୍ରସ୍ତାବ ଦେଇଥିଲା। ସେହି ପ୍ରସ୍ତାବ ଯଥେଷ୍ଟ ନୁହେଁ ବୋଲି କହି ଆମେରିକା ଖାରଜ କରିଦେଇଥିଲା।

ଆମେରିକାର ଜିଏସପି ସୁବିଧାର ଭାରତ ଏକ ବଡ଼ ହିତାଧିକାରୀ। ବର୍ଷକୁ ଭାରତର ପାଖାପାଖି ୫.୬ ବିଲିଅନ ଡଲାର ମୂଲ୍ୟର ୨୦୦୦ ପ୍ରକାର ସାମଗ୍ରୀ ରପ୍ତାନି ଉପରେ ଆମେରିକା ଶୁଳ୍କ ଲାଗୁ କରୁନାହିଁ। ଆମେରିକାକୁ ଭାରତ କରୁଥିବା ମୋଟ ରପ୍ତାନିର ଏହା ପ୍ରାୟ ୧୨ ପ୍ରତିଶତ। ଏହି ଉତ୍ପାଦ ଗୁଡ଼ିକ ମଧ୍ୟରେ ମୋଟର ଯାନ ଯନ୍ତ୍ରାଂଶ, ଗହଣା, ହସ୍ତଶିଳ୍ପ, କାର୍ପେଟ, ସାମୁଦ୍ରିକ ଉତ୍ପାଦ ଏବଂ ଗ୍ରାନାଇଟ ଆଦି ରହିଛି। ଭାରତର ରପ୍ତାନିକୁ ଆମେରିକା ପ୍ରଦାନ କରୁଥିବା ଶୁଳ୍କ ରିହାତି ପ୍ରତ୍ୟାହାର କରି ନିଆଗଲେ ଭାରତ ସେମିତି କିଛି ଆର୍ଥିକ କ୍ଷତିର ସମ୍ମୁଖୀନ ହେବନାହିଁ ବୋଲି କହିଛି। ବାଣିଜ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଟିକସ ରିହାତି ବାବଦରେ ଭାରତକୁ ଏବେ ପ୍ରାୟ ୨୦୦ରୁ ୨୫୦ ନିୟୁତ ଡଲାରର ଲାଭ ମିଳୁଛି। ଏହା ସେମିତି କିଛି ନିଦ ହଜାଇ ଦେବା ଭଳି ସଂଖ୍ୟା ନୁହେଁ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ଆମେରିକାର ଏହି ଧମକ ଉପରେ ମତ ରଖି ବାଣିଜ୍ୟ ସଚିବ ଅନୁପ ୱାଧୱାନ କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର କରାଗଲେ ଭାରତ ବେଶି ପ୍ରଭାବିତ ହେବ ନାହିଁ। ଆମେ ସେମାନଙ୍କୁ ଏକ ସନ୍ତୁଳିତ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ତାହାକୁ ଆମେରିକା ଗ୍ରହଣ କଲାନାହିଁ। ଏବେ ଆମେରିକା ସହିତ ଅଣ-ଜିଏସ୍‌ପି କାରବାର ବଢ଼ାଇବା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। କିଛି ଦିନ ତଳେ ଭାରତକୁ ଏକ ଉଚ୍ଚ ଟିକସ ଆଦାୟକାରୀ ଦେଶ ବୋଲି ଟ୍ରମ୍ପ୍ କହିଥିଲେ। ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ସଚିବ କହିଛନ୍ତି ଯେ, ମୁଁ ସେଥିରେ ଏକମତ ନୁହେଁ। ବିଶ୍ବ ବାଣିଜ୍ୟ ସଂଗଠନ ନିୟମ ଅନୁସାରେ ଆମେ ଟିକସ ଲଗାଉଛୁ ‌ବୋଲି ସେ କହିଛନ୍ତି।

ଜିଏସ୍‌ପି ମାନ୍ୟତା କ’ଣ?
ଆମେରିକା ତରଫରୁ ୧୯୭୬ ମସିହାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଜିଏସ୍‌ପି ବା ଜେନେରାଲାଇଜଡ୍‌ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ ଆରମ୍ଭ କରାଯାଇଥିଲା। ସେହିଦିନ ଠାରୁ ଭାରତକୁ ଏହି ମାନ୍ୟତା ମିଳିଥିଲା। ବିଶ୍ବର ୧୨୯ଟି ଦେଶକୁ ଏହି ମାନ୍ୟତା ମିଳିଛି। ଏସବୁ ଦେଶ ଆମେରିକାକୁ ୪୮୦୦ ପ୍ରକାର ସାମଗ୍ରୀକୁ ବିନା ଶୁଳ୍କ କିମ୍ବା ଅତି କମ୍ ଶୁଳ୍କରେ ରପ୍ତାନି କରି ଲାଭବାନ ହେଉଛନ୍ତି। ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକରୁ ଦାରିଦ୍ର୍ୟ ଦୂର କରିବାକୁ ଆମେରିକା ଜିଏସ୍‌ପି ବ୍ୟବସ୍ଥା ପ୍ରଚଳନ କରିଥିଲା।

ସମ୍ବନ୍ଧିତ ଖବର