ଜାପାନରୁ ଉତ୍ତର କୋରିଆକୁ ଟ୍ରମ୍ପ୍‌ଙ୍କ ଚେତାବନୀ

ନ ସୁଧୁରିଲେ ପସ୍ତାଇବ: ଉତ୍ତର କୋରିଆ ପରମାଣୁ ଅସ୍ତ୍ରର ମୁକାବିଲା ପାଇଁ ଆମେରିକା ରଣନୀତି ତୟାର

ଟୋକିଓ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ୧୧ ଦିନିଆ ଏସିଆ ଗସ୍ତ ଜାପାନରୁ ଆରମ୍ଭ ହୋଇଛି। ଗତକାଲି ଟ୍ରମ୍ପ୍‌ ଜାପାନରେ ପହଞ୍ଚିଥିବା ବେଳେ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜାପାନ ଆମେରିକାର ପ୍ରକୃତ ବନ୍ଧୁ ଏବଂ ଦୁଇ ଦେଶର ନାଗରିକ ପରସ୍ପରକୁ ବହୁତ ଶ୍ରଦ୍ଧା ସମ୍ମାନ କରନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଜାପାନରୁ ସିଧାସଳଖ ଉତ୍ତର କୋରିଆକୁ ଚୋତବନୀ ଦେଇ ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକାର ଶକ୍ତିର ଭୁଲ୍‌ ଆକଳନ କରୁଥିବା ରାଷ୍ଟ୍ର (ଉତ୍ତର କୋରିଆ) ପସ୍ତାଇବ। ଆମେରିକା ନିଜର ସୁରକ୍ଷା ପାଇଁ କେବେ ବି ପଛଘୁଞ୍ଚା ଦେଇନାହିଁ ଏବଂ ଆମେରିକା ବିରୋଧରେ ପ୍ରତ୍ୟେକଟି ପଦକ୍ଷେପକୁ ଦମନ କରାଯିବ ବୋଲି ସେ କହିଛନ୍ତି। ଉତ୍ତର କୋରିଆ ପଟୁ ଜାପାନ ପ୍ରତି ବଡ଼ ଧରଣର ବିପଦ ସମ୍ଭାବନା ରହିଥିବାରୁ ପ୍ରଧାନମନ୍ତ୍ରୀ ଆବେ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ ଏ ସଂପର୍କରେ ବିସ୍ତତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଚୀନ୍‌ ଉପରେ ଏବେ ଆମେରିକାର ଭରସା ତୁଟିଯାଇଛି ଏବଂ ଉତ୍ତର କୋରିଆକୁ ନିରସ୍ତ୍ର କରିବା ପାଇଁ ଜାପାନ ଉପରେ ହିଁ ଆମେରିକା ସର୍ବାଧିକ ନିର୍ଭରଶୀଳ ହୋଇଛି।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି। ଉତ୍ତର କୋରିଆର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପକୁ ରୋକିବାରେ ଚୀନ୍‌ କୌଣସି ପଦକ୍ଷେପ ନେଉନଥିବାରୁ ଏଥିରେ ଟ୍ରମ୍ପ୍‌ କ୍ଷୁବ୍ଧ ଥିବା ବେଳେ ଏବେ ତାଙ୍କର ଚୀନ୍‌ ଗସ୍ତ କିଭଳି ପରିଣାମ ଆଣିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଉତ୍ତର କୋରିଆର ପରମାଣୁ, ରାସାୟନିକ ଏବଂ ଜୈବିକ ଅସ୍ତ୍ରର ମୁକାବିଲା ପାଇଁ ଏବେ ଆମେରିକା ପ୍ରତିରକ୍ଷା ବିଭାଗ ତା’ର ରଣନୀତି ଚୂଡ଼ାନ୍ତ କରିସାରିଛି। ଆବଶ୍ୟକସ୍ଥଳେ ଉତ୍ତର କୋରିଆର ସମସ୍ତ ପରମାଣୁ ଅସ୍ତ୍ରକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଆମେରିକା ତା’ର କମାଣ୍ଡୋ ବାହିନୀକୁ ଉତ୍ତର କୋରିଆରେ ଅବତରଣ କରାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଟ୍ରମ୍ପ୍‌ ଜାପାନ ଗସ୍ତ ପରେ ଦକ୍ଷିଣ କୋରିଆ, ଚୀନ୍‌, ଭିଏତନାମ ଏବଂ ଫିଲିପାଇନ୍‌ସ ଗସ୍ତ କରିବେ। ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଏବଂ ତାଙ୍କ ଝିଅ ତଥା ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି। ବିଗତ ୨୫ ବର୍ଷ ମଧ୍ୟରେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ଲମ୍ବା ଏସିଆ ଗସ୍ତ ପ୍ରଥମ। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ଥିବାରୁ ଗସ୍ତ ସମୟରେ ସମସ୍ତ ରାଷ୍ଟ୍ରରୁ ଟ୍ରମ୍ପ୍‌ ଉତ୍ତର କୋରିଆ ଉପରେ ଚାପ ସୃଷ୍ଟି କରିବେ ବୋଲି ଜଣାପଡ଼ିଛି। ଉତ୍ତର କୋରିଆ ବିରୋଧରେ ଶକ୍ତିଶାଳୀ ମୋର୍ଚ୍ଚା ଗଠନ ପାଇଁ ଟ୍ରମ୍ପ୍‌ ଜାପାନ ଓ ଦକ୍ଷିଣ କୋରିଆକୁ ଏବେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହି ଗସ୍ତ ଅବସରରେ ସେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଫିଲିପାଇନ୍‌ସରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀ ଅବସରରେ ଆଲୋଚନା କରିବେ। ଦକ୍ଷିଣ କୋରିଆରେ ଅବସ୍ଥିତ ଆମେରିକାର ସୈନ୍ୟ ଶିବିରକୁ ମଧ୍ୟ ଟ୍ରମ୍ପ୍‌ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ କୋରିଆ ସହ ଆମେରିକାର ମିଳିତ ରଣନୀତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଦକ୍ଷିଣ କୋରିଆରେ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ସମ୍ବନ୍ଧିତ ଖବର