ୱାସିଂଟନ୍: ଆମେରିକାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏଥର ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପାର୍ଟି ଅତ୍ୟନ୍ତ ଆକ୍ରମଣାତ୍ମକ ରଣକୌଶଳ ଅବଲମ୍ବନ କରିଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟପକ୍ଷେ ପୁନଃ ରାଷ୍ଟ୍ରପତି ହେବାପାଇଁ ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ଦଳକୁ ସୁଦୃଢ଼ କରିବା ସହ ଆମେରିକାରେ ଜାତୀୟତାବାଦୀ ରାଜନୀତିକୁ ଅଧିକ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। କରୋନା ମୁକାବିଲାଠାରୁ ଆରମ୍ଭ କରି ସାମ୍ପ୍ରତିକ ରଙ୍ଗଭେଦ ହିଂସା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଟ୍ରମ୍ପ୍ଙ୍କ ବିଫଳତାକୁ ଜୋ ବାଇଡେନ୍ ଅସ୍ତ୍ର କରିବା ସହ ଯୋଜନାବଦ୍ଧ ଭାବେ ଘେରିଛନ୍ତି। ଏବେ ଚୀନ୍ ସହ ଆମେରିକାର ସମ୍ପର୍କ ଅତି ତିକ୍ତ ହୋଇଉଠିଛି ଏବଂ କୋଭିଡ୍ ମହାମାରୀ ଆାମେରିକାର ଅର୍ଥନୀତି ପାଇଁ ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଟ୍ରମ୍ପ୍ଙ୍କ ପ୍ରଶାସନିକ ବିଫଳତାକୁ ମଧ୍ୟ ଅସ୍ତ୍ର କରି ଜୋ ବାଇଡେନ୍ ତାଙ୍କ ପ୍ରଚାର ଆରମ୍ଭ କରିଦେଇଛନ୍ତି।
କୋଭିଡ୍-୧୯ ମୁକାବିଲାରେ ଟ୍ରମ୍ପ୍ ସମ୍ପୂର୍ଣ୍ଣ ବିଫଳ ଏବଂ ତାଙ୍କର ବେପରୁଆ ନୀତି ଯୋଗୁଁ ଆମେରିକା ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି।
ଆମେରିକାରେ ସାମାଜିକ ଶାନ୍ତି ଓ ସଂହତି ନଷ୍ଟ କରିବା ଭଳି ପଦକ୍ଷେପ ନେଇ ଟ୍ରମ୍ପ୍ ବିପଦ ସୃଷ୍ଟି କରିଛନ୍ତି ଏବଂ ସମ୍ପ୍ରତି ରଙ୍ଗଭେଦ ହିଂସାରେ ସମଗ୍ର ଦେଶ ଏକ ଯୁଦ୍ଧକ୍ଷେତ୍ର ପାଲଟି ଯାଇଛି।
ଦେଶର ସମସ୍ୟା ନେଇ ଗମ୍ଭୀର ହେବା ପରିବର୍ତ୍ତେ ଟ୍ରମ୍ପ୍ ତାଙ୍କର ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।‘ନେତୃତ୍ବର ବିଫଳତା ଯୋଗୁଁ ଆମେରିକାରେ ଦୁର୍ଦ୍ଦିନ ବଢ଼ୁଛି କିନ୍ତୁ ମୁଁ ଏହାର ସରଳ ସମାଧାନ କରିପାରିବି’ ବୋଲି ଜୋ ବାଇଡେନ୍ କହିଛନ୍ତି।
ଆମେରିକୀୟ ନାଗରିକଙ୍କ ସ୍ବାର୍ଥର ସୁରକ୍ଷା ଦିଗରେ ଟ୍ରମ୍ପ୍ ବିଫଳ ହୋଇଛନ୍ତି । ଯଦି ସେ ଉଚିତ୍ ନିଷ୍ପତ୍ତି ନେଇଥାନ୍ତେ ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ (କରୋନା ରୋଗୀ)ଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା।
ଟ୍ରମ୍ପ୍ ରାଷ୍ଟ୍ରପତି ଭାବେ ତାଙ୍କ କାର୍ଯ୍ୟ ଠିକ୍ରେ ସମ୍ପାଦନ କରିପାରୁନଥିବାରୁ ଅନେକ ଆମେରିକୀୟଙ୍କ ଜୀବନ ଅକାରଣରେ ଚାଲି ଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ ଆଳରେ ଟ୍ରମ୍ପ୍ ନିଜର ଅପାରଗତାକୁ ଘୋଡ଼ାଉଛନ୍ତି।
ଆମେ ଏଭଳି ଏକ ରାଷ୍ଟ୍ରପତି ଚାହୁଛୁ ଯିଏ ବିଜ୍ଞାନରେ ବିଶ୍ବାସ ରଖୁଥିବେ ଏବଂ ବିଭାଜନ ବଦଳରେ ଏକତାକୁ ପ୍ରୋତ୍ସାହନ ଦେବେ। ଟ୍ରମ୍ପ୍ କରୋନା ମୁକାବିଲା ବିଫଳତା ନିମନ୍ତେ ଉତ୍ତରଦାୟୀ ରହିବା ଉଚିତ।
ଦେଶର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ ବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ସ୍ବାସ୍ଥ୍ୟ ବୀମା ଯୋଜନାକୁ ରଦ୍ଦ କରି ବଡ଼ ଅନର୍ଥ ଘଟାଇଛନ୍ତି ।
ପ୍ରତିଦିନ ରାଷ୍ଟ୍ରପତି ଟ୍ରମ୍ପ୍ ନିଜର ଅପାରଗତା ପାଇଁ ଦେଶକୁ ଲଜ୍ଜିତ କରୁଛନ୍ତି ଏବଂ ରାଷ୍ଟ୍ରପତି ପଦର ଗରିମା ନଷ୍ଟ କରୁଛନ୍ତି।
ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ଲୋକଙ୍କ ଭାବନାକୁ ସମ୍ମାନ ଦେଇ କାମ କରୁଥିବା ଲୋକ ହିଁ ରାଷ୍ଟ୍ରପତି ହେବା ଆବଶ୍ୟକ ବୋଲି ବାଇଡେନ୍ କହିଛନ୍ତି।