ତାଜମହଲ ଆମକୁ ବିମୋହିତ କରିଛି, ଏହା ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରମାଣ : ଟ୍ରମ୍ପ

ନୂଆଦିଲ୍ଲୀ : ମୋଗଲ-ଭାରତୀୟ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ତାଜମହଲ ପରିଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ।
ଏହି ଅବସରରେ ତାଜମହଲ ପରିସରରେ ରଖାଯାଇଥିବା ପରିଦର୍ଶକ ପୁସ୍ତିକାରେ ଟ୍ରମ୍ପ ଦମ୍ପତ୍ତି ସ୍ୱାକ୍ଷର କରିବା ସହ ଲେଖିଛନ୍ତି, “ତାଜମହଲ ଆମକୁ ବିମୋହିତ କରିଛି । ଏହା ସମୃଦ୍ଧ ଓ ବିବିଧତାରେ ପରିପୂର୍ଣ୍ଣ ଭାରତୀୟ ସଂସ୍କୃତିକୁ ଯୁଗେ ଯୁଗେ ପ୍ରମାଣିତ କରିଆସିଛି ।”
ଟ୍ରମ୍ପ ଦମ୍ପତ୍ତିଙ୍କ ତାଜମହଲ ଭ୍ରମଣର ଆଉ ଏକ ନିଆରା କଥା ହେଉଛି ସେମାନେ ପ୍ରସିଦ୍ଧ ଡାଏନା ବେଞ୍ଚ ନିକଟରେ ଛିଡ଼ାହୋଇ ଫଟୋ ଉଠାଇଥିଲେ ମଧ୍ୟ ସେଥିରେ ବସିନଥିଲେ । ୧୯୯୨ ମସିହାରେ ବ୍ରିଟେନର ତତକାଳୀନ ଯୁବରାଣୀ ଡାଏନା ଏକୁଟିଆ ଏଠାରେ ବସି ଫଟୋ ଉଠାଇଥିଲେ । ତାପରଠାରୁ ଏହା ଡାଏନା ବେଞ୍ଚ ଭାବେ ପରିଚିତ ହୋଇଛି । ଭାରତକୁ ଆସୁଥିବା ରାଷ୍ଟ୍ରମୁଖ୍ୟ ଓ ପ୍ରସିଦ୍ଧ ବ୍ୟକ୍ତିମାନେ ଏଠାରେ ବସି ଫଟୋ ଉଠାନ୍ତି ।


ଏହା ପୂର୍ବରୁ ଆଗ୍ରା ଏୟାରବେସରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।
ତାଙ୍କର ଏହି ଗସ୍ତ ପାଇଁ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଆଗ୍ରା ସହର ବିଶେଷକରି ତାଜମହଲ ଆଖପାଖରେ ପ୍ରବଳ ମାଙ୍କଡ଼ ଥିବାରୁ ସେମାନେ ଯେପରି ସମସ୍ୟାସୃଷ୍ଟି ନକରନ୍ତି ତାହାଉପରେ ରାଜ୍ୟପ୍ରଶାସନ ବିଶେଷ ଦୃଷ୍ଟି ରଖିଛି । ତାଜମହଲ ଆଖପାଖରେ ଥିବା ବିଭିନ୍ନ କୋଠାର ଛାତରେ ପ୍ରାୟ ୧୨୫ ପୁଲିସକର୍ମୀଙ୍କୁ ମାଙ୍କଡ଼ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ସହିତ ୫ଟି ଲଙ୍ଗୁର (ହନୁ ମାଙ୍କଡ଼)ଙ୍କୁ ନିୟୋଜିତ କରାଯାଇଛି । ଏହି ଅବସରରେ ସାଧାରଣ ଦର୍ଶକଙ୍କ ପାଇଁ ତାଜମହଲକୁ ବନ୍ଦ ରଖାଯାଇଥିଲା ।

ସମ୍ବନ୍ଧିତ ଖବର