ଟ୍ରମ୍ଫଙ୍କ ମାଡରେ ପାକ୍‌ ସେନା ଘାଇଲା! ଭାରତ ସହ ଶାନ୍ତି ବାଧ୍ୟବାଧକତା ପାଲଟିଛି

ଇସ୍‌ଲାମାବାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଅର୍ଥନୈତିକ କଟକଣା ମାଡରେ ଘାଇଲା ହୋଇଛି ପାକିସ୍ତାନ ସେନା। ବର୍ତ୍ତମାନ ପାକ୍‌-ସେନା ଭାରତ ସହ ସଂପର୍କରେ ଉନ୍ନତି ଚାହାନ୍ତି ବୋଲି ସୂଚନା ମିଳିଛି।

ସୂତ୍ର ଅନୁସାରେ ଆମେରିକା ପାକିସ୍ତାନକୁ ଦେଉଥିବା ୨ ବିଲିୟନ୍‌ ଡଲାରର ସୁରକ୍ଷା ଅନୁଦାନ ବନ୍ଦ କରିଦେବା ପରେ ପାକିସ୍ତାନର ଆର୍ଥିକ ଅବସ୍ଥା ସଂକଟଜନକ ସ୍ଥିତିକୁ ଗତି କରିଛି। ତେଣେ ଚୀନ୍‌ ପାକିସ୍ତାନକୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ସଂପର୍କରେ ଉନ୍ନତି ଆଣିବାକୁ ଚାପ ଦେଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ଶୀର୍ଷସ୍ତରୀୟ ଜେନେରାଲ୍‌ମାନେ ଭାରତ ସହ ଅଯଥାରେ ସାମରିକ ଅଶାନ୍ତି ସୃଷ୍ଟି କରିବାକୁ ନାପସନ୍ଦ କରୁଛନ୍ତି।

ବର୍ତ୍ତମାନ ପାକିସ୍ତାନର ସେନାମୁଖ୍ୟ କୁମର ଜାଭେଦ୍‌ ବଜଓ୍ଵାଙ୍କ ଦୃଷ୍ଟିଭଙ୍ଗୀ ଭାରତ ପ୍ରତି ସଂପୂର୍ଣ୍ଣ ନକାରାତ୍ମକ ନୁହେଁ। ବର୍ଷକ ମଧ୍ୟରେ ସେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଭାରତ ସହ ସଂପର୍କକୁ ଅଧିକ ଖରାପ ନ କରିବାକୁ ସେ ଚାହୁଁଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

କର୍ତ୍ତାରପୁର କରିଡର ଶିଳାନ୍ୟାସ ଉତ୍ସବର ସେ ଯୋଗ ଦେଇ ଭାରତ ସହ ସୁସଂପର୍କ ଳାଗି ହେଉଥିବା ଉଦ୍ୟମକୁ ପରୋକ୍ଷ ସମର୍ଥନ ଦେଉଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ କି, ସେନାମୁଖ୍ୟ ବଜଓ୍ଵାଙ୍କର ଏପରି ଦୃଷ୍ଟିଭଙ୍ଗୀ ପଛରେ ରହିଛି ଜାତିସଂଘ ଶାନ୍ତି ସେନାରେ ତାଙ୍କର ନିଯୁକ୍ତି। ଏହି ସମୟରେ ଜଣେ ଶୀର୍ଷ ଭାରତୀୟ ଜେନେରାଲ୍‌ଙ୍କ ଅଧିନରେ ସେ କାର୍ଯ୍ୟ କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର