ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ସ୍ଥାୟୀ ଭାବେ ବନ୍ଦ କଲା ଟ୍ବିଟର୍‌

ମତେ ନିରବ କରିବାକୁ ଷଡ଼ଯନ୍ତ୍ର ହୋଇଛି: ଟ୍ରମ୍ପ୍‌

ସାନ୍‌ ଫ୍ରାନସିସ୍କୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଟ୍ବିଟର ସ୍ଥ‌ାୟୀଭାବେ ବନ୍ଦ କରିଦେଇଛି। କ୍ୟାପିଟଲ୍‌ ହିଂସାକାଣ୍ଡ ପରେ ଟ୍ବିଟର୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହିଂସାକାଣ୍ଡ ପୂର୍ବରୁ ଟ୍ରମ୍ପ୍‌ କିଛି ବିବାଦୀୟ ଟ୍ବିଟ୍‌ କରିଥିଲେ। ବାରମ୍ବାର ସେ ଟ୍ବିଟ୍‌ ଦ୍ବାରା ତାଙ୍କ ସମର୍ଥକମାନଙ୍କୁ ହିଂସା ପାଇଁ ଉସୁକାଇଥିଲେ। ତେବେ ପ୍ରଥମେ ଟ୍ବିଟର୍‌ ଅସ୍ଥାୟୀ ଭାବେ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଅଚଳ କରିଦେଇଥିଲେ ମଧ୍ୟ ଆଜି ଏହା ସ୍ଥାୟୀ ଭାବେ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବନ୍ଦ କରିଥିବା ଘୋଷଣା କରିଛି।

ଟ୍ବିଟର୍‌ ପକ୍ଷରୁ ଆଜି ଏନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ‘ରିଅଲ୍‌ ଡୋନାଲ୍ଡ ଟ୍ରମ୍ପ୍‌’କୁ ଭଲଭାବେ ସମୀକ୍ଷା କରିବାପରେ ଆମେ ଏହି ଆକାଉଣ୍ଟ୍‌କୁ ସ୍ଥାୟୀ ଭ‌ାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଟ୍ବିଟର କର୍ତ୍ତୃପକ୍ଷ କହିଛନ୍ତି। ତେବେ ଟ୍ରମ୍ପ୍‌ ଟ୍ବିଟର ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ନିରବ କରିବାପାଇଁ ଷଡ଼ଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ଟ୍ବିଟର ବନ୍ଦ କରିବାପରେ ଟ୍ରମ୍ପ୍‌ ପୋଟସ୍‌ ଆକାଉଣ୍ଟ୍‌ରେ ଟ୍ବିଟ୍‌ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ସେ ତାଙ୍କ ନିଜ ପ୍ଲାଟଫର୍ମ ନି‌ଜେ ସୃଷ୍ଟି କରିବେ। ତାଙ୍କୁ ଟାର୍ଗେଟ୍‌ କରିବା ପାଇଁ ବିଭିନ୍ନ ଫୋରମ୍‌ରେ ଯୋଜନାବଦ୍ଧ ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି।

୫୭% ଆମେରିକୀୟ ଚାହାନ୍ତି ଟ୍ରମ୍ପ୍‌ ତୁରନ୍ତ ହଟନ୍ତୁ
ନୂଆଦିଲ୍ଲୀ : କ୍ୟାପିଟଲ୍‌ ହିଂସା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଉଭୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ଆକ୍ରୋଶ ବଢ଼ିଛି। ଟ୍ରମ୍ପ୍‌ ତୁରନ୍ତ ଶାସନରୁ ହଟନ୍ତୁ ବୋଲି ଅଧିକାଂଶ ଆମେରିକୀୟ ଚାହିଛନ୍ତି। ଟ୍ରମ୍ପ୍‌ଙ୍କୁ ତୁରନ୍ତ ଅଫିସ୍‌ରୁ ହଟାଇବାପାଇଁ ପ୍ରାୟ ୫୭ ପ୍ରତିଶତ ଆମେରିକୀୟ ଚାହିଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଗତ ନଭେମ୍ବରରେ ହୋଇଥିବା ଜାତୀୟ ମତାମତ ସର୍ଭେରେ ପ୍ରତି ୧୦ ଜଣରେ ୭ ଜଣ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ସେମାନେ ଗତ ବୁଧବାର ଟ୍ରମ୍ପ୍‌ ସମର୍ଥକମାନେ ଘଟା‌ଇଥିବା ହିଂସାକୁ କଡ଼ା ବିରୋଧ କରିଛନ୍ତି। ସେହିପରି ୭୦ ପ୍ରତିଶତ ଆମେରିକୀୟ ମଧ୍ୟ ଟ୍ରମ୍ପ୍‌ଙ୍କ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ୍‌ ହିଲ୍‌ରେ ଭୟଙ୍କର ହିଂସାକାଣ୍ଡ ଘଟାଇଥିଲେ। ପୁଲିସ ସହ ଧସ୍ତାଧସ୍ତି ଓ ହିଂସା ସମୟରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷେ ଜଣେ ଆହତ ପୁଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର