ହ୍ୟୁଷ୍ଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖର୍ଚ୍ଚକାଟ ନୀତି ବିଶ୍ବର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା  ‘ନାସା’ର ଜଳବାୟୁ ବିଜ୍ଞାନ ପ୍ରକଳ୍ପ ପାଇଁ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ‘ନାସା’ର କାର୍ଯ୍ୟନିର୍ବାହୀ ପ୍ରଶାସକ ସିନ୍ ଡଫି ଘୋଷଣା କରିଛନ୍ତି ଯେ ମହାକାଶ ଏଜେନ୍ସି ଜଳବାୟୁ ବିଜ୍ଞାନ ଉପରେ ଏହାର ଗୁରୁତ୍ୱ ହ୍ରାସ କରିବ ଏବଂ କେବଳ ମହାକାଶ ଅନୁସନ୍ଧାନ ଦିଗରେ ଏହାର ଶକ୍ତିକୁ ନିୟୋଜିତ କରିବ। ‘ନାସା’ର ପୃଥିବୀ ବିଜ୍ଞାନ ବଜେଟ୍‌ରେ ଟ୍ରମ୍ପ ପ୍ରଶାସନ ଗଭୀର ହ୍ରାସ ପ୍ରସ୍ତାବ ଦେଇଥିବା ବେଳେ ଏହି ମନ୍ତବ୍ୟ ଆସିଛି। ଏଭଳି ସ୍ଥିତି ବୈଜ୍ଞାନିକ ସମୁଦାୟ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ‘ନାସା’ର ପ୍ରାଥମିକ ଲକ୍ଷ୍ୟ ପୃଥିବୀ ବାହାରକୁ ଯିବା ଉପରେ ଗୁରୁତ୍ୱାରୋପ କରି ଡଫି ଘୋଷଣା କରିଛନ୍ତି ଯେ ଜଳବାୟୁ ବିଜ୍ଞାନ ଓ ‘ନାସା’ର ଅନ୍ୟ ସମସ୍ତ ପ୍ରାଥମିକତାରୁ ଆମେ ଦୂରେଇ ଯିବୁ।

Advertisment

ଆମେ କେବଳ ମହାକାଶ ବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ, ଯାହା ‘ନାସା’ର ପ୍ରାଥମିକ ମିସନ୍‌। ଏଜେନ୍ସିର ପୂର୍ବ ପ୍ରାଥମିକତାକୁ ମଧ୍ୟ ସେ ସମାଲୋଚନା କରିଥିଲେ, ଯାହା ଏହାର ମୂଳ ମିସନ୍‌କୁ ଦୁର୍ବଳ କରିଛି ବୋଲି ସେ କହିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଓ ପାଣିପାଗ ନିରୀକ୍ଷଣ ଅଭିଯାନର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବା ବେଳେ ଗବେଷକମାନେ ଗୁରୁତ୍ୱପୂର୍ଣ୍ଣ ଡାଟାସେଟ୍‌ଗୁଡ଼ିକର ସମ୍ଭାବ୍ୟ କ୍ଷତି ବିଷୟରେ ସତର୍କ କରାଇ ଦେଇଛନ୍ତି। ଜଳବାୟୁ ଧାରା ଉପରେ ନଜର ରଖିବା, ବାୟୁମଣ୍ଡଳୀୟ ପରିବର୍ତ୍ତନର ଅଧ୍ୟୟନ କରିବା ଏବଂ ପାଣିପାଗ ପୂର୍ବାନୁମାନ ପାଇଁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବାରେ ‘ନାସା’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି, ଯାହା ବର୍ତ୍ତମାନ ବଜେଟ୍ ଅଭାବରୁ ବ୍ୟାହତ ହୋଇଛି। ଟ୍ରମ୍ପ ପ୍ରଶାସନ ବଜେଟ୍ ହ୍ରାସ କରିବା ସହ ଏହା ସହିତ ଜଡ଼ିତ ସଂଗଠନ ଓ ଅନୁଷ୍ଠାନଗୁଡ଼ିକରେ ବ୍ୟାପକ ଛଟେଇ ପାଇଁ ପ୍ରୟାସ କରୁଥିବାରୁ ‘ନାସା’ ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଗତି କରୁଛି। ହ୍ୟୁଷ୍ଟନ୍‌ରେ ଥିବା ଜନସନ୍‌ ସ୍ପେସ୍ ସେଣ୍ଟର ପରିଦର୍ଶନ ଅବସରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଡଫି କହିଛନ୍ତି ଯେ ‘ନାସା’ କଂଗ୍ରେସର ନିର୍ଦ୍ଦେଶ ପାଳନ କରିବ। ତେଣୁ ଅନ୍ୟ ଏଜେନ୍ସିଗୁଡ଼ିକୁ ଜଳବାୟୁ ବିଜ୍ଞାନ ପାଇଁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ।