କୋଭିଡ୍‌ ସଂକ୍ରମଣ ନେଇ ଟ୍ରମ୍ପ୍‌ଙ୍କ ଦାବି: ଆମେରିକା ଅପେକ୍ଷା ଭାରତ, ଚୀନ୍‌ରେ ଅଧିକ ମାମଲା ଥାଇପାରେ

ୱାସିଂଟନ୍ : କୋଭିଡ୍‌ ପାଇଁ ବିଶ୍ବରେ ଏବେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ହେଉଛି ଆମେରିକା। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୯ ଲକ୍ଷ ଟପିଯାଇଛି ଏବଂ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ଦାବି ଅନୁଯାୟୀ ଆମେରିକା ଅପେକ୍ଷା‌ ଭାରତ ଏବଂ ଚୀନ୍‌ରେ ଅଧିକ ସଂକ୍ରମଣ ମାମଲା ଥାଇପାରେ। ଆମେରିକା ଅଧିକ ଟେଷ୍ଟିଂ କରୁଥିବାରୁ ଆମେରିକା‌ରେ ମାମଲା ଅଧିକ ରହିଛି। ଭାରତ ଏବଂ ଚୀନ୍‌ ଯଦି ଅଧିକ ଟେଷ୍ଟିଂ କରିବେ ତେବେ ସେମାନଙ୍କ ସଂକ୍ରମଣ ମାମଲା ମଧ୍ୟ ଆମେରିକାଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି। ଆଜି ସୁଦ୍ଧା ଆମେରିକା ୨ କୋଟି କୋଭିଡ୍‌ ‌ଟେଷ୍ଟ୍‌ କରିସାରିଛି।

ଆମେରିକା ତୁଳନାରେ ଜର୍ମାନୀ ୪୦ ଲକ୍ଷ ଟେଷ୍ଟ୍‌ କରିଥିବା ବେଳେ ଦକ୍ଷିଣ କୋରିଆ ୩୦ ଲକ୍ଷ ଟେଷ୍ଟ୍‌ କରିଛି। ଅନ୍ୟପକ୍ଷରେ ମାତ୍ର ଭାରତ ୪୦ ଲକ୍ଷ ଟେଷ୍ଟ୍‌ କରିଛି। ୪୦ ଲକ୍ଷ‌ ଟେଷ୍ଟ୍‌ରେ ଦେଶରେ ସଂକ୍ରମଣ ମାମଲା ୨ ଲକ୍ଷ ୩୬ ହଜାର ଟପିଯାଇଛି। ସେହି ତୁଳନା‌ରେ ଯଦି ଆମେରିକା ଭଳି ଭାରତ ୨ କୋଟି ଟେଷ୍ଟ୍‌ କରିବ ତେବେ ଆମେରିକାଠାରୁ ଭାରତରେ ଅଧିକ ସଂକ୍ରମଣ ମାମଲା ରହିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକାର ଟେଷ୍ଟିଂ କ୍ଷମତାକୁ ଟ୍ରମ୍ପ୍‌ ପ୍ରଶଂସା କରିଛନ୍ତି। ଆମେରିକାରେ ଅର୍ଥନୀତି ଏବେ ପୁନଃ ଆରମ୍ଭ ହେଉଛି ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକା ଅର୍ଥନୀତିକୁ ଖୁବ୍‌ ଶୀଘ୍ର ପୁନଃ ସୁଦୃଢ଼ କରାଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର