ନୂଆଦିଲ୍ଲୀ/ୱାଶିଂଟନ: କ୍ଷମତା ଗ୍ରହଣ କରିବାର ପ୍ରଥମ ତିନି ବର୍ଷରେ, ଜୋ ବାଇଡେନ ପ୍ରଶାସନ ଭାରତକୁ ଚୀନ୍ ବିରୁଦ୍ଧରେ ଖୋଲାଖୋଲି ଭାବରେ ଠିଆ କରାଇବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ।। ବାଇଡେନ ଚାହୁଁଥିଲେ ଯେ, ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ମେଣ୍ଟକୁ ନାଟୋ ପରି ଏକ ସାମରିକ ମେଣ୍ଟ ଭାବରେ ବିବେଚନା କରାଯାଉ। କିନ୍ତୁ ଭାରତ ଏପରି କରିବାରୁ ନିବୃତ୍ତ ରହିଥିଲା।
ବାଇଡେନ ପ୍ରଶାସନ ଏପରି ମଧ୍ୟ ଚାହୁଁଥିଲା ଯେ, ଯଦି ଭାରତକୁ ଚୀନ୍ ସହିତ ଏକ ଯୁଦ୍ଧ ଲଢ଼ିବାକୁ ପଡ଼େ, ତେବେ ଭାରତ ଲଢ଼ିବା ଉଚିତ୍। କିନ୍ତୁ ଭାରତ ବାରମ୍ବାର ଏବଂ ନିରନ୍ତର ସ୍ପଷ୍ଟ କରିଛି ଯେ, ଆମେ କ୍ବାଡ୍କୁ ଏକ ସାମରିକ ମେଣ୍ଟ ଭାବରେ ବିବେଚନା କରୁ ନାହୁଁ। ଆମେରିକା ଭାରତକୁ ଚୀନ୍, ଅସୀମ ମୁନିର, ମହମ୍ମଦ ୟୁନୁସ୍ ଏବଂ ଖଲିସ୍ତାନୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଦ୍ବାରା ଚାରି ପଟୁ ଫସାଇବାର ଷଡ଼ଯନ୍ତ୍ର ରଚିବାରେ ଲାଗିଛି।
ଆମେରିକୀୟ ରଣନୀତି ବିଶେଷଜ୍ଞମାନଙ୍କ ଅନୁସାରେ ୱାଶିଂଟନ କେବେ ବି ଭାରତର ଏହି ରଣନୀତିକୁ ପସନ୍ଦ କରେନାହିଁ। ଆଧୁନିକ ଚୀନ୍ର ଉତ୍ଥାନ ପରଠାରୁ, ଆମେରିକା ସର୍ବଦା ଚାହୁଁଛି ଯେ, ଭାରତ ଚୀନ୍ ବିରୁଦ୍ଧରେ ଯୁଦ୍ ଲଢୁ। କିନ୍ତୁ ଭାରତ ଏହାର ଭୌଗୋଳିକ, ଆର୍ଥିକ ଏବଂ ରଣନୀତିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏପରି ପରିସ୍ଥିତିକୁ ଏଡାଇବାକୁ ଚେଷ୍ଟା କରିଛି। ଭାରତ ଜାଣେ ଯେ, ଚୀନ୍ ସହିତ ଲଢ଼ିବା ଦ୍ବାରା ନିଜର କ୍ଷତି ହେବ। ଭାରତ ଚୀନ୍ ସହିତ ଲଢ଼ିବା ପରିବର୍ତ୍ତେ ନିଜ ଅର୍ଥନୀତି ଉପରେ ଧ୍ୟାନ ଦେଇଛି। କିନ୍ତୁ ଆମେରିକୀୟ ବିଶେଷଜ୍ଞ ରଷ୍ଟ କୋହଲେ କୁହନ୍ତି ଭାରତର ଏହି ନୀତି ୨୦୨୪ରେ ବାଇଡେନ ପ୍ରଶାସନର ଧୈର୍ଯ୍ୟ ଭାଙ୍ଗି ଦେଇଥିଲା।
ରଷ୍ଟ କୋହଲେ କହିଛନ୍ତି,୨୦୨୪ ମସିହାରେ, ବାଇଡେନ ପ୍ରଶାସନ ଷଡ଼ଯନ୍ତ୍ର ରଚିଥିଲେ, ଯଦି ଭାରତ ଚୀନ୍ ବିରୋଧରେ ଯୁଦ୍ଧ ନଲଢ଼ିବ ତେବେ ଆମେରିକା ଭାରତର ବିକାଶରେ ସାହାଯ୍ୟ କରିବ ନାହିଁ। ଏବେ ଡୋନାଲ୍ଡ ଟ୍ରମ୍ପ୍ ସରକାର ମଧ୍ୟ ସମାନ ନୀତି ଅନୁସରଣ କରୁଛନ୍ତି।
କ୍ୱାଡର ଚାରିଟି ଦେଶ, ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଚୀନ୍ ସମ୍ପର୍କରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। ଜାପାନର ଚ୍ୟାଲେଞ୍ଜ ହେଉଛି ପୂର୍ବ ଚୀନ୍ ସାଗରରେ କ୍ଷେତ୍ରୀୟ ବିବାଦ ଏବଂ ସମୁଦ୍ର ପଥ ଉପରେ ଚୀନ୍ ସହିତ ବିବାଦ, ଯେତେବେଳେ ଅଷ୍ଟ୍ରେଲିଆର ସମସ୍ୟା ବାଣିଜ୍ୟ, ନିବେଶ ଏବଂ ରାଜନୈତିକ ହସ୍ତକ୍ଷେପ ସହିତ ଜଡିତ। ଆମେରିକାର ଧ୍ୟାନ ଭାରତ-ପ୍ରଶାନ୍ତ ମହାସାଗରରେ ସାମରିକ ପ୍ରାଧାନ୍ୟ ବଜାୟ ରଖିବା ଏବଂ ଦକ୍ଷିଣ ଚୀନ୍ ସାଗର ନୌଚାଳନା ସ୍ୱାଧୀନତା ତଥା ତାଇୱାନ ସହିତ ସମସ୍ୟା।
ତେବେ ଭାରତର ସମସ୍ୟା ଅନ୍ୟ ସମସ୍ତ ଦେଶ ଅପେକ୍ଷା ଅଧିକ। କାରଣ ଉଭୟ ଦେଶ ମଧ୍ୟରେ ସୀମା ରହିଛି।। କିନ୍ତୁ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ଯୋଗୁ କୌଣସି କ୍ୱାଡ୍ ସଦସ୍ୟ ଚୀନ୍ ବିରୁଦ୍ଧରେ ଏକ ମିଳିତ ଆକ୍ରମଣାତ୍ମକ ମୋର୍ଚ୍ଚା ଖୋଲିବାକୁ ପ୍ରସ୍ତୁତ ନୁହନ୍ତି। କ୍ୱାଡ୍ର ଅନ୍ୟ ତିନି ସଦସ୍ୟ ସର୍ବଦା ଭାରତକୁ ଚୀନ୍ ବିରୁଦ୍ଧରେ ଠିଆ କରିବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ, ଭାରତ ପାଇଁ ପ୍ରଶ୍ନ ହେଉଛି ସେ କେବଳ ଚୀନ୍ ସହିତ ଖୋଲାଖୋଲି ଶତ୍ରୁତା କାହିଁକି କରିବ। ଯେତେବେଳେ କ୍ବାଡ୍ର ଅନ୍ୟ ଅଂଶୀଦାରମାନେ କଠୋର ମନୋଭାବ ଗ୍ରହଣ କରୁନାହାନ୍ତି। ଅଷ୍ଟ୍ରେଲିଆର ସମ୍ପୂର୍ଣ୍ଣ ବ୍ୟବସାୟ ଚୀନ୍ ଉପରେ ନିର୍ଭରଶୀଳ, ତେଣୁ ସେ ଚୀନ୍ ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ। ଅଷ୍ଟ୍ରେଲିଆର ଭାରତ ମହାସାଗରରେ ଚୀନ୍ ସହିତ କୌଣସି ସମସ୍ୟା ନାହିଁ। ତେଣୁ ସେ କାହିଁକି ଭାରତ ମହାସାଗରରେ ଚୀନ୍ ସହିତ ଭାରତ ପାଇଁ କାହିଁକି ଲଢ଼େଇ କରିବ?
ଏହା ବ୍ୟତୀତ, ଭାରତ କେବେ ବି ଆମେରିକାକୁ ବିଶ୍ୱାସ କରିପାରି ନାହିଁ। ଆମେରିକାର ନୀତି ଭାରତକୁ ବାରମ୍ବାର ଏକ ଶିକ୍ଷା ଦେଇଛି ଯେ, ୱାଶିଂଟନ ସହିତ ସମ୍ପର୍କ ସ୍ଥାୟୀ ବିଶ୍ୱାସ ଉପରେ ନୁହେଁ, ବ୍ୟବହାରିକ ସ୍ୱାର୍ଥ ଉପରେ ଆଧାରିତ। ବର୍ତ୍ତମାନର ଟ୍ରମ୍ପ୍ ପ୍ରଶାସନ ଭାରତର ବିଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି। ଏହି ସ୍ଥିତି ଭାରତର ବିଶ୍ୱାସକୁ ଆହୁରି ଦୃଢ଼ କରିଛି ଯେ, ସେ ଆମେରିକା ପାଇଁ ଚୀନ୍ ସହିତ ମୁକାବିଲା କରିପାରିବ ନାହିଁ। ଯଦି କେବେ ଚୀନ୍ ସହିତ ଯୁଦ୍ଧ ହୁଏ, ତେବେ ଭାରତ ଯୁଦ୍ଧ କ୍ଷେତ୍ରରେ ନିଜକୁ ଏକା ପାଇବ। ପାକିସ୍ତାନ ଏବଂ ବାଂଲାଦେଶ ଯେଭଳି ଭାବରେ ଆମେରିକାର ନିର୍ଦ୍ଦେଶରେ କାମ କରୁଛନ୍ତି, ତାହା ଭାରତକୁ ଭାବିବାକୁ ବାଧ୍ୟ କରିଛି ଯେ, ଆମେରିକା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ନିଜର ଦୀର୍ଘକାଳୀନ ସୁରକ୍ଷା ନୀତି ପାଇଁ ସବୁଠାରୁ ବଡ଼ ବିପଦ ହୋଇପାରେ।
ଭାରତର ରଣନୈତିକ ମହଲରେ ଏକ ଧାରଣା ଅଛି ଯେ, ଆମେରିକା ଏବେ ଭାରତ ଉପରେ 'ପ୍ରତିଶୋଧ' ନେଉଛି। ବାଂଲାଦେଶ ଏବଂ ପାକିସ୍ତାନ ସହିତ ଆମେରିକାର ଘନିଷ୍ଠ ସମ୍ପର୍କ ଏବଂ ଖଲିସ୍ତାନ ଭଳି ବିଚ୍ଛିନ୍ନତାବାଦୀ ନେଟୱାର୍କକୁ ସମର୍ଥନ, ଭାରତ ଆମେରିକାର ଚାଲକୁ ବୁଝିପାରୁଛି। ବିଶ୍ଳେଷକମାନଙ୍କ ଅନୁସାରେ ଯଦି ଭାରତକୁ ଦୁଇ ମହାଶକ୍ତି, ଆମେରିକା ଏବଂ ଚୀନ୍ ସହିତ ମୁକାବିଲା କରିବାକୁ ପଡ଼େ, ତେବେ ତାକୁ ଦୃଢ଼ ଭାବରେ ପ୍ରସ୍ତୁତ ହେବାକୁ ପଡିବ। ଆମେରିକା ଏବେ ଭାରତର ଆଞ୍ଚଳିକ ପ୍ରଭାବକୁ ସୀମିତ କରିବା ପାଇଁ ସବୁକିଛି ଚେଷ୍ଟା କରୁଛି। ଏହା ୱାଶିଂଟନ୍ର ଏକ ବ୍ୟାପକ ସହମତିର ଅଂଶ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଆମେରିକା ଏବେ ବି ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ, ଚୀନ୍ ଆମେରିକା ପାଇଁ ରୁଷିଆ ଅପେକ୍ଷା ଏକ ବଡ଼ ବିପଦ। ଆମେରିକା ଏପର୍ଯ୍ୟନ୍ତ ସୋଭିଏତ୍ ୟୁନିଅନ୍ ଏବଂ ଶୀତଳ ଯୁଦ୍ଧ ଯୁଗର ମାନସିକ ଅବସ୍ଥାରୁ ବାହାରି ପାରିନାହିଁ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଅଧିକ ପଢ଼ନ୍ତୁ:ଆମ ପାଖରେ ବ୍ରହ୍ମୋସ ଅଛି,ବୃଥା ଧମକ ବନ୍ଦ କର: ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଚେତାବନୀ ଦେଲେ ଓୱାଇସି
ଟ୍ରମ୍ପ୍ଙ୍କ ଶୁଳ୍କ ବିରୁଦ୍ଧରେ ଚୀନ୍ ସହିତ ମେଣ୍ଟ କରିବା ଭାରତ ପାଇଁ ଆତ୍ମଘାତୀ ପ୍ରମାଣିତ ହେବ। ଆମେରିକା ସହିତ ଭାରତର ମେଣ୍ଟ ରଣନୈତିକ ଉଦ୍ଦେଶ୍ୟ ପାଇଁ। କାରଣ ଆମେରିକା ଚୀନ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ରୁଷିଆ ସର୍ବଦା ଭାରତର ଦୀର୍ଘକାଳୀନ ଏବଂ ଐତିହାସିକ ସହଯୋଗୀ । ରୁଷିଆ ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଉପକରଣ ପ୍ରଦାନକାରୀ ହୋଇ ରହି ଆସିଛି। ତେବେ ଭାରତକୁ ଆମେରିକା ବ୍ୟତୀତ ଅନ୍ୟ ବଜାରଗୁଡ଼ିକୁ ମଧ୍ୟ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରୁଛନ୍ତି। କାରଣ ଆମେରିକା ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ଏକ କ୍ଷୁଦ୍ର ବାଣିଜ୍ୟ ଚୁକ୍ତି ସହିତ ଆମେରିକା ଉପରେ ଶୁଳ୍କକୁ ଭଲ ଭାବରେ ହ୍ରାସ କରାଯାଇପାରିବ।
ଭାରତ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଆମେରିକା ଏବଂ ଚୀନ୍ ଉଭୟଙ୍କ ସହିତ ମୁକାବିଲାକୁ ଏଡାଇବା। କିନ୍ତୁ ସେହି ସମୟରେ ନିଜର ରଣନୈତିକ ସ୍ୱାୟତ୍ତତା ବଜାୟ ରଖିବା। ଏଥିପାଇଁ ଏହାକୁ 'ବହୁ-ସଂଯୋଜନ' ନୀତିକୁ ଅଧିକ ସତର୍କତାର ସହ କାର୍ଯ୍ୟକାରୀ କରିବାକୁ ପଡିବ। ଭାରତର ରଣନୀତିଜ୍ଞଙ୍କ ଅନୁସାରେ ଏବେ କ୍ୱାଡର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଛି। ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ଚଳିତ ବର୍ଷ କ୍ୱାଡ ବୈଠକ ପାଇଁ ଭାରତ ଆସିବା ଅସମ୍ଭବ ମନେ ହେଉଛି।
ଅନ୍ୟ କିଛି ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ସହିତ ଖୋଲା ମୁକାବିଲା ଭାରତର ଅର୍ଥନୀତି, ସୀମା ସୁରକ୍ଷା ଏବଂ ପଡ଼ୋଶୀ ଦେଶମାନଙ୍କ ସହ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ। ଯେତେବେଳେ ଆମେରିକାଠାରୁ ଦୂରତା ଦ୍ବାରା ଭାରତର ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ନିବେଶ ଉପରେ ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଇତିହାସ ସାକ୍ଷୀ ଅଛି ଯେ, ଚୀନ୍ ମଧ୍ୟ ଏକ ମହାଶକ୍ତି ହେବା ପୂର୍ବରୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହିତ ଘନିଷ୍ଠ ଆର୍ଥିକ ସହଯୋଗ ବଜାୟ ରଖିଥିଲା। ଆଗାମୀ ଦଶନ୍ଧିରେ ଭାରତ କିଭଳି ପଦକ୍ଷେପ ଗ୍ରହଣ କରିବ ତାହାର ପ୍ରଭାବ ମଧଥ୍ୟ ସୁଦୂର ପ୍ରସାରୀ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଅଧିକ ପଢ଼ନ୍ତୁ:ରାହୁଲଙ୍କ ଜୀବନ ପ୍ରତି ବିପଦ!:ପୁଣେ କୋର୍ଟରେ ଲିଖିତ ବୟାନ
India | USA | China