ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଆଇନ ଇମିଗ୍ରେସନ ଉପରେ ରୋକ୍ ଲଗାଇବା ପାଇଁ ପୁଣି ଥରେ ସଂକଳ୍ପ ନେଇ ହ୍ୱାଇଟ୍ ହାଉସକୁ ଫେରିଛନ୍ତି। ୭ଲକ୍ଷ ୨୫ହଜାର ଭାରତୀୟଙ୍କ ସମେତ ୧୪ନିୟୁତ ଦସ୍ତାବିଜ ବିହୀନ ପ୍ରବାସୀ ଏବେ ଭୟଭୀତ। ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପ ଅବୈଧ ବ୍ୟକ୍ତିମାନଙ୍କୁ ପ୍ରତ୍ୟର୍ପଣ କରିବା ଏବଂ ଆମେରିକା ସୀମାକୁ ସୁଦୃଢ଼ କରିବା ପାଇଁ ଏକ ଦୃଢ଼, ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏଥିରୁ ରକ୍ଷାପାଇବା ପାଇଁ ଅନେକ ପ୍ରବାସୀ ଏବେ ଆଇନଗତ ସହାୟତା ସନ୍ଧାନରେ ଅଛନ୍ତି। ୨୦୨୪ର ପିଉ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ମେକ୍ସିକୋ ଏବଂ ସାଲଭାଡୋରାନ୍ସ ପରେ ଆମେରିକାରେ ଅବୈଧ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ତୃତୀୟ ବୃହତ୍ତମ ଗୋଷ୍ଠୀ ଅଟନ୍ତି। ଆମେରିକା ୨୦୨୪ ଆର୍ଥିକ ବର୍ଷରେ ୧୫୦୦ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରିଥିବା ବେଳେ କୋହଳ ନୀତି ଯୋଗୁ ଅନ୍ୟମାନଙ୍କ ପାଇଁ ସମସ୍ୟା ହୋଇନଥିଲା। ଏବେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ସ୍ଥିତି ବଦଳିଛି ଏବଂ ଲକ୍ଷାଧିକ ଭାରତୀୟଙ୍କୁ ପ୍ରତ୍ୟର୍ପଣ ସମ୍ଭାବନା ରହିଛି।
୧୮ହଜାର ନାଗରିକଙ୍କୁ
ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ
ଟ୍ରମ୍ପ୍ କହିଛନ୍ତି, ମୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେଉଛି ବେଆଇନ ଗଣ ପ୍ରବାସ ଏବଂ ଥଇଥାନର ବିପଜ୍ଜନକ ପ୍ରଭାବରୁ ଆମେରିକୀୟ ଲୋକଙ୍କୁ ରକ୍ଷା କରିବା। ଅନ୍ୟପକ୍ଷରେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରିଥିବା ପ୍ରାୟ ୧୮ହଜାର ଭାରତୀୟ ନାଗରିକଙ୍କୁ ଉଭୟ ଦେଶ ଚିହ୍ନଟ କରିଥିବାରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ପ୍ରସ୍ତୁତ ବୋଲି ଆଜି ଜଣାଇ ଦେଇଛି। ଏହି ମାମଲାରେ ଆମେରିକାର ନବ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ସରକାର ସହ କାର୍ଯ୍ୟ କରିବାକୁ ଭାରତ ସରକାର ପ୍ରସ୍ତୁତ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/22/9wE8ykv7U2eTlBF47YJE.jpg)