ଆଫଗାନ୍‌ ପ୍ରସଙ୍ଗରେ ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ସମାଲୋଚନା: ଶରଣାର୍ଥୀ ବେଶରେ ଆତଙ୍କବାଦୀ ଆସୁଛନ୍ତି

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଫଗାନ୍‌ ନୀତିକୁ କଡ଼ା‌ ସମାଲୋଚନା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଆମେରିକା ଆଫଗାନିସ୍ତାନରେ ଯେଉଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ତା’ ଦ୍ବାରା ଆଫଗାନିସ୍ତାନରୁ ହଜାର ହଜାର ସଂଖ୍ୟାରେ ଆତଙ୍କବାଦୀ ଆମେରିକା ଆସିବେ ବୋଲି ଟ୍ରମ୍ପ୍‌ ଚିନ୍ତା ପ୍ରକଟ କରିଛନ୍ତି। ଟ୍ରମ୍ପ୍‌ ଆଜି ଏକ ବିବୃତି ଜାରି କରି କହିଛନ୍ତି, ବାଇଡେନ୍‌ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ପାଖରେ ସମର୍ପଣ କରିଦେଇଛନ୍ତି। ପ୍ରଥମେ ନାଗରିକଙ୍କୁ ଖାଲି କରିବା ପୂର୍ବରୁ ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟାରେ ଆମେରିକୀୟଙ୍କୁ ମରିବାକୁ ଛାଡ଼ି ଦେଇଛି। ଆଫଗାନିସ୍ତାନରୁ ଖାଲି ହୋଇଥିବା ୨୬ ହଜାର ନାଗରିକଙ୍କ ମଧ୍ୟରେ ମାତ୍ର ୪ ହଜାର ଆମେରିକୀୟ ଅଛନ୍ତି। ସବୁଠୁ ଚିନ୍ତାଜନକ ହେଉଛି ଆଫଗାନିସ୍ତାନରୁ ହଜାର ହଜାର ସଂଖ୍ୟାରେ ଆତଙ୍କବାଦୀ ଉଦ୍ଧାର ହୋଇ ବିଶ୍ବର ବିଭିନ୍ନ ସ୍ଥାନକୁ ଯିବେ। ଏହା ବଡ଼ ବିଫଳତା ଏବଂ ସମଗ୍ର ବିଶ୍ବ ପାଇଁ ଘୋର ବିପଦ ଆଣିଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର