ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ‘ଟ୍ରୁଥ ସୋସିଆଲ’ ପ୍ଲାଟଫର୍ମରେ ଏକ ରହସ୍ୟଭରା ପୋଷ୍ଟ୍ କରି ଭାରତ ସହ ବାଣିଜ୍ୟ ଚୁକ୍ତିର ଆଶା କ୍ଷୀଣ ହେଉଥିବା ସଙ୍କେତ ଦେଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଫଟୋ ପୋଷ୍ଟ କରି ସେ କହିଛନ୍ତି, ‘ଲାଗୁଛି ଆମେ ଭାରତ ଓ ରୁଷ୍କୁ ଗଭୀର, ଅନ୍ଧକାରମୟ ଚୀନ୍ ହାତରେ ହରାଇଛୁ। ସେମାନେ ଏକାଠି ଦୀର୍ଘ ଓ ସମୃଦ୍ଧ ଭବିଷ୍ୟତ ପାଆନ୍ତୁ!’ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନ୍ର ତିଆନ୍ଜିନ୍ରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ମୋଦୀ, ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ଦେଖାଯାଇଥିବା ସୌହାର୍ଦ୍ୟପୂର୍ଣ୍ଣ ସଂପର୍କ ପରେ ଟ୍ରମ୍ପଙ୍କ ଏଭଳି ପୋଷ୍ଟ ଆସିଛି।
ଟ୍ରମ୍ପଙ୍କ ଏହି ବିବୃତି ଭାରତ-ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦକୁ ଅଧିକ ଜଟିଳତା ଆଡ଼କୁ ଟାଣି ନେଉଥିବା ସଙ୍କେତ ଦେଉଛି। ଟ୍ରମ୍ପ ଭାରତ ଉପରେ ୫୦% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି, ଯେଉଁଥିରେ ୨୫% ରୁଷ୍ରୁ ତୈଳ କ୍ରୟ ଜାରି ରଖିବା ପାଇଁ ଦଣ୍ଡସ୍ୱରୂପ ଲାଗୁ କରାଯାଇଛି। ଆମେରିକା ଦାବି କରୁଛି ଯେ ଭାରତ ରୁଷ୍ର ତୈଳ କିଣିବା ଦ୍ବାରା ଏହା ସିଧାସଳଖ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥ ଯୋଗାଇ ଦେଉଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଜି ଟ୍ରମ୍ପଙ୍କ ରହସ୍ୟଭରା ପୋଷ୍ଟ୍ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛି। ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ‘ଏହି ପୋଷ୍ଟ୍ ଉପରେ ମୋର କୌଣସି ମନ୍ତବ୍ୟ ଦେବାର ନାହିଁ।’ ଟ୍ରମ୍ପଙ୍କ ୫୦% ଶୁଳ୍କ ନିଷ୍ପତ୍ତି ଆମେରିକାର ରାଜନୈତିକ ମହଲରେ ମଧ୍ୟ ତୀବ୍ର ସମାଲୋଚନାର କାରଣ ହୋଇଛି। ଏକ ଅପିଲ୍ କୋର୍ଟ ଏହି ଶୁଳ୍କ ଲାଗୁ ପ୍ରକ୍ରିୟାକୁ ବେଆଇନ ଘୋଷଣା କରିଛି। ମାମଲା ଏବେ ଆମେରିକାର ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବା ବେଳେ ଭାରତ ଏହି ଶୁଳ୍କକୁ ଅତିମାତ୍ରାରେ ଅନ୍ୟୟ, ଅପରିଣାମଦର୍ଶୀ ଓ ଅଯୌକ୍ତିକ ବୋଲି ବର୍ଣ୍ଣନା କରିଛି।
ସୂଚନାଯୋଗ୍ୟ, ଏସ୍ସିଓ ଶିଖର ସମ୍ମିଳନରେ ମୋଦୀ, ଜିନ୍ପିଙ୍ଗ ଓ ପୁଟିନଙ୍କ ସହ ପୃଥକ ବୈଠକ କରିଥିଲେ, ଯାହା ଭାରତର ରଣନୈତିକ ସ୍ବତନ୍ତ୍ରତା ତଥା ମସ୍କୋ ଓ ବେଜିଂ ସହ ଘନିଷ୍ଠ ସମ୍ପର୍କକୁ ସୂଚିତ କରେ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପର ମୁକାବିଲା ପାଇଁ ସରକାର ଦୃଢ଼ତାର ସହ ପ୍ରସ୍ତୁତି ଚଳାଇଛନ୍ତି।