ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳର ପୂର୍ବାନୁମାନ ପ୍ରାୟ ନିଶ୍ଟିତ ହୋଇଥିବା ବେଳେ ପରାଜୟମୁଖୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସାମାଜିକ ଗଣମାଧ୍ୟରେ ଭାରି ହଟହଟା କରାଯାଉଥିବା ଦେଖିବାକୁ ମିଲିଛି। ଏପରିକି ଟ୍ରମ୍ପ୍ ପେଡ଼ିପୁଟୁଳି ବାନ୍ଧି ହ୍ବାଇଟ୍ ହାଉସ୍ ଛାଡ଼ିବାର ଉପକ୍ରମ କରୁଥିବା କେହି କେହି ଥଟ୍ଟା କରିଛନ୍ତି। ଏ ପରିପ୍ରେକ୍ଷୀରେ ହ୍ବାଇଟ୍ ହାଉସ୍ ଆଗରେ ଏକ ଚଳନ୍ତା ଟ୍ରକ୍ର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ୍ ନିଜ ସାମଗ୍ରୀ ବୋହିବାକୁ ଉକ୍ତ ଟ୍ରକ୍ ବରାଦ କରିଛନ୍ତି ବୋଲି ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଛି।
ଦୁର୍ବଳ ସମର୍ଥନ ପାଇଁ ରିପବ୍ଲିକାନ୍ମାନଙ୍କୁ କନିଷ୍ଠ ଟ୍ରମ୍ପ୍ଙ୍କ ସମାଲୋଚନା
ଓ୍ୱାସିଂଟନ : ଦ୍ବିତୀୟ ଥର ନିର୍ବାଚନ ଜିତିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସଂଘର୍ଷ ଜାରି ରଖିଥିବା ବେଳେ ତାଙ୍କ ରିପବ୍ଳିକାନ୍ ଦଳର ସମର୍ଥକମାନେ ଆବଶ୍ୟକ ସମର୍ଥନ ଯୋଗାଇବାରେ ବିଫଳ ହୋଇଥିବାରୁ ସେମାନଙ୍କୁ ଟ୍ରମ୍ପ୍ଙ୍କ ଦୁଇ ପୁଅ ଭୀଷଣ ଭାବରେ ସମାଲୋଚନା କରିଛନ୍ତି। ତାଙ୍କ ଦଳ ଦୁର୍ବଳ ହୋଇଯାଇଛି ବୋଲି ବଡ଼ ପୁଅ ଡନ୍ ଜୁନିଅର ଆକ୍ଷେପ କରିଚନ୍ତି। ସେହିପରି ସାନ ପୁଅ ଏରିକ୍ ମଧ୍ୟ ସମର୍ଥକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଗାଣତନ୍ତ୍ରିକ ପ୍ରକ୍ରିୟାକୁ ନେଇ ଟ୍ରମ୍ପ୍ଙ୍କୁ ଅତ୍ୟନ୍ତ ପକ୍ଷପାତପୂର୍ଣ୍ଣ ସମାଲୋଚନା କରାଯାଉଛି ଏବଂ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଜୁନିୟର ଟ୍ରମ୍ପ୍ ବରିଷ୍ଠ ନେତାମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ଟ୍ରମ୍ପ୍ଙ୍କ ହ୍ବାଇଟ୍ ହାଉସ୍ ଉଦ୍ବୋଧନ ପ୍ରସାରଣ ଅଧାରୁ ବନ୍ଦ କଲା ମିଡିଆ
ନ୍ୟୁୟର୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚନକୁ ଡେମୋକ୍ରାଟ୍ମାନେ ହଡ଼ପ କରି ନେଇଛନ୍ତି ବୋଲି ଯେଉଁ ଅଭିଯୋଗ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ଆକ୍ରୋଶ ବଢ଼ିଛି। ଟ୍ରମ୍ପ୍ଙ୍କ ଏଭଳି ଅଭିଯୋଗ ଆମେରିକା ଗଣତନ୍ତ୍ର ପ୍ରତି ଏକ ଅପମାନ ବୋଲି କୁହାଯାଉଛି। ଆଜି ରାଷ୍ଟ୍ରପତି ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରେ ଉଦ୍ବୋଧନ ଦେଉଥିବା ବେଳେ ମଧ୍ୟ ଏହି ସମାନ ଅଭିଯୋଗ କରିଥିଲେ। ଏ ସମୟରେ ସିଧା ପ୍ରସାରଣ କରୁଥିବା ଚ୍ୟାନେଲ୍ଗୁଡ଼ିକ ତଥା ଏବିସି, ସିବିଏସ୍ ଏବଂ ଏନ୍ବିଏସ୍ ଟ୍ରମ୍ପ୍ଙ୍କ ଭାଷଣ ନଦେଖାଇବା ପାଇଁ ନେଟ୍ୱର୍କ କାଟି ଦେଇଥିଲେ। ଟ୍ରମ୍ପ୍ ମିଛ କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ଫକ୍ସ ନ୍ୟୁଜ୍ ଚ୍ୟାନେଲ୍ ଏବଂ ସିଏନ୍ଏନ୍ ଟ୍ରମ୍ପ୍ଙ୍କ ସମ୍ପୂର୍ଣ୍ଣ ଭାଷଣ ପ୍ରସାରଣ କରିଥିଲେ।