ୱାସିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆମେରିକା କୁଦିବ ଏବଂ ଇସ୍ରାଏଲର ସୁରକ୍ଷା ନେଇ କୌଣସି ସାଲିସ କରିବ ନାହିଁ ବୋଲି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଇରାନକୁ ଧମକ ଦେଇ ଟ୍ରମ୍ପ କହିଛନ୍ତି, ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନି ଆମ ପାଇଁ ଏକ ସହଜ ଟାର୍ଗେଟ୍, କିନ୍ତୁ ଆମେ ତାଙ୍କୁ ହତ୍ୟା କରିବାକୁ ଚାହୁନାହୁଁ। ଇରାନ ନିଃସର୍ତ୍ତ ଆତ୍ମସମର୍ପଣ କଲେ ହିଁ ଆକ୍ରମଣକୁ ରୋକାଯିବ ବୋଲି ସେ କହିଛନ୍ତି। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଫ୍ରାନ୍ସ ଓ ଅନ୍ୟ କେତେକ ରାଷ୍ଟ୍ରର ପ୍ରସ୍ତାବକୁ ମଧ୍ୟ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଟ୍ରମ୍ପ ଜି୭ ଶିଖର ସମ୍ମିଳନୀ ଅଧାରୁ ଫେରିଆସିବା ପରେ ବିଶ୍ବବ୍ୟାପୀ ଉତ୍କଣ୍ଠା ବଢ଼ିଛି। ଟ୍ରମ୍ପ ବୈଠକ ଅଧାରୁ ପଳାଇଯିବା ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଥିଲେ ଯେ ଅସ୍ତ୍ରବିରତି ପାଇଁ ସେ ଆମେରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ମାକ୍ରନଙ୍କ ଅସ୍ତ୍ରବିରତି ଦାବିକୁ ଖଣ୍ଡନ କରି ଟ୍ରମ୍ପ କହିଛନ୍ତି ମାକ୍ରନ କେବଳ ପ୍ରଚାର ପାଇଁ ଏଭଳି କହୁଛନ୍ତି।
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ ଫକ୍ସ ନ୍ୟୁଜ୍କୁ କହିଛନ୍ତି ଯେ ପରମାଣୁ ଚୁକ୍ତି ପାଇଁ ଟ୍ରମ୍ପ ଇରାନକୁ ଆଲୋଚନା ଟେବୁଲକୁ ଆଣିବାକୁ ଆଗ୍ରହୀ। ଶୁକ୍ରବାର ଇସ୍ରାଏଲ ତୀବ୍ର ଆକ୍ରମଣ କରିବା ପରେ ରବିବାର ଆମେରିକା ଓ ଇରାନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ବାତିଲ ହୋଇଛି। ଇରାନ-ଇସ୍ରାଏଲ ଉତ୍ତେଜନା କମିବାର କୌଣସି ସଙ୍କେତ ନ ମିଳିବାରୁ ପରିସ୍ଥିତି ଅତି ଭୟାନକ ହେବାକୁ ଯାଉଛି। ଟ୍ରମ୍ପ କାନାଡା ଗସ୍ତରୁ ଫେରିବା ପରେ ନିଜ ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ‘ୱାର୍ ରୁମ୍’ରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ନିଜ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ସମସ୍ତଙ୍କୁ ତେହେରାନ ଛାଡ଼ିବାକୁ କହିବାର କିଛି ଘଣ୍ଟା ପରେ ଇରାନର ରାଜଧାନୀ ସହରରେ ତୁହାକୁ ତୁହା ବିସ୍ଫୋରଣ ହୋଇଛି ଏବଂ ଭୟଭୀତ ଲୋକେ ପ୍ରାଣବିକଳରେ ସହର ଛାଡ଼ୁଛନ୍ତି।