‘ଡବ୍ଲୁଏଚ୍‌ଓ’କୁ ଟ୍ରମ୍ପ୍‌ଙ୍କ ଚରମବାଣୀ, ନ ସୁଧୁରିଲେ ସବୁଦିନ ପାଇଁ ଅନୁଦାନ ବନ୍ଦ

ୱାସିଂଟନ: ବିଶ୍ବସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏବେ ଚୀନ୍‌ ହାତରେ କ୍ରୀଡ଼ାପୁତ୍ତଳିକା ପାଲଟିଯାଇଛି। ବିଶ୍ୱବାସୀଙ୍କ କଲ୍ୟାଣରେ ଏହା କାମ କରିବା ବଦଳରେ ଚୀନ୍‌ କଥାରେ ପରିଚାଳିତ ହୋଇ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛି। ଯଦି ୩୦ ଦିନ ଭିତରେ ଏଥିରେ କୌଣସି ବଡ଼ ପରିବର୍ତ୍ତନ କିମ୍ବା ସଂସ୍କାର ହେବ ନାହିଁ ତା’ହେଲେ ଆମେରିକା ସବୁଦିନ ପାଇଁ ଡବ୍ଲୁଏଚ୍‌ଓକୁ ଅନୁଦାନ ବନ୍ଦ କରିଦେବ ଏବଂ ଆବଶ୍ୟକ ହେଲେ ଏହି ସଂସ୍ଥାର ସଦସ୍ୟତାରୁ ଓହରି ଆସିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚରମବାଣୀ ଶୁଣାଇ ଦେଇଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧ୍‌ନୋମ ଘେବ୍ରିୟସ୍‌ଙ୍କୁ ଲେଖିଥିବା ଏକ ପତ୍ର ଟ୍ବିଟର୍‌ରେ ପୋଷ୍ଟ କରିଛନ୍ତି। ଡବ୍ଲୁଏଚ୍‌ଓ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଚୀନ୍‌ ବଦଳରେ ବିଶ୍ବ ସ୍ବାର୍ଥରେ କାମ କରୁବୋଲି ଟ୍ରମ୍ପ୍‌ କହିଛନ୍ତି। ପୂର୍ବରୁ ଟ୍ରମ୍ପ୍‌ ଡବ୍ଲୁଏଚ୍‌ଓର ଅନୁଦାନକୁ ସାମୟିକ ଭାବେ ବନ୍ଦ କରିଥିବା ବେଳେ ଏବେ ସ୍ଥାୟୀ ଭାବେ ବନ୍ଦ କରିବାକୁ ଧମକ ଦେଇଥିବାରୁ ଆଗକୁ ଏହି ସଂସ୍ଥାର ସଙ୍କଟ ବଢ଼ିବ ବୋଲି କହାଯାଇଛି। ଡବ୍ଲୁଏଚ୍‌ଓ ଇତିମଧ୍ୟରେ କରୋନାଭୂତାଣୁର ଉତ୍ପତ୍ତି ଏବଂ ଏହା ବିଶ୍ବବ୍ୟାପୀ କାୟାବିସ୍ତାର କରିବା ପଛରେ ଚୀନ୍‌ର ହାତ ଥିବା ଅଭିଯୋଗ ସଂପର୍କରେ ତଦନ୍ତ ଘୋଷଣା କରିଛି।

ସମ୍ବନ୍ଧିତ ଖବର