ଟ୍ରମ୍ପ୍‌ଙ୍କ ଏଚ୍‌-୧ ବି ଭିସା କଟକଣା, କ୍ଷତିଗ୍ରସ୍ତ ହେବେ ଅଢ଼େଇ ଲକ୍ଷ ଆଶାୟୀ

ଚିନ୍ତାରେ ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀ

ଵାସିଂଟନ୍: ମହାମାରୀ କୋଭିଡ୍-୧୯ ଯୋଗୁଁ ଆମେରିକାରେ ଦେଖାଦେଇଥିବା ବେକାରି ସମସ୍ୟାକୁ ଦୃଷ୍ଟିରେ ରଖି ସେଠାରେ ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା ଏଚ୍-୧ବି ଭିସା ସମେତ ଅନ୍ୟ କିଛି ଚାକିରି ଅନୁମତିପତ୍ର ରଦ୍ଦ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର ନିଷ୍ପତ୍ତି ନେବେ। ଏହାଦ୍ୱାରା ଆମେରିକାର ସୂଚନା ପ୍ରଯୁକ୍ତି, ଅର୍ଥନୀତି ଏବଂ ଆତିଥେୟତା ଆଦି କ୍ଷେତ୍ରରେ କାମ କରିବାକୁ ଆଶାୟୀ ଥିବା ପାଖାପାଖି ଅଢ଼େଇ ଲକ୍ଷ ପ୍ରବାସୀଙ୍କ ଆଶା ସ୍ବପ୍ନରେ ରହିଯିବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀମାନେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଆଗାମୀ ଅକ୍ଟୋବର ପହିଲାରୁ ଆମେରିକା ସରକାରଙ୍କ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଏହି ଭିସା ରଦ୍ଦ ପ୍ରକ୍ରିୟା ସେବେଠାରୁ ଲାଗୁ ହୋଇପାରେ ବୋଲି ଜଣାଯାଇଛି। ଏହା ଦ୍ୱାରା ଏଚ୍-୧ବି ଭିସା ହାସଲ କରି କାର୍ଯ୍ୟସ୍ଥଳରେ ଯୋଗଦେବାକୁ ଅପେକ୍ଷା କରି ରହିଥିବା ବିଦେଶୀ ଆଶାୟୀମାନଙ୍କୁ ଅନ୍ତତଃ ଆଉ ୧୮୦ ଦିନ ଯାଏ ଆଉ ଆମେରିକା ଯିବାକୁ ଅନୁମତି ମିଳିବ ନାହିଁ। ଅବଶ୍ୟ ସମ୍ପ୍ରତି ଆମେରିକାରେ ରହୁଥିବା ଏଚ୍-୧ବି ଭିସାପ୍ରାପ୍ତ ବିଦେଶୀ ନାଗରିକମାନଙ୍କ ପାଇଁ ସେଭଳି କିଛି କଟକଣା ରହିବନାହିଁ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି।

ସୂଚନାଥାଉ କି, ଭାରତୀୟ ବୈଷୟିକ ଜ୍ଞାନକୌଶଳ ବୃତ୍ତିଧାରୀଙ୍କ ପାଇଁ ବିଦେଶରେ କାମ କରିବା ପାଇଁ ଏଚ୍-୧ବି ଭିସା ଏକ ମହାର୍ଘ ସାମଗ୍ରୀ ଭାବେ ବିବେଚିତ। ତେବେ ଟ୍ରମ୍ପ୍ ପ୍ରଶାସନର ଏଭଳି ନିଷ୍ପତ୍ତି ହଜାର ହଜାର ଭାରତୀୟ ପେସାଦାର ପ୍ରଯୁକ୍ତିବିତ୍‌ଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏମିତି ତ ସଂଖ୍ୟାଧିକ ଭାରତୀୟ ଏଚ୍-୧ବି ଭିସା ଥାଇ ସୁଦ୍ଧା ମହାମାରୀ କୋଭିଡ୍-୧୯ର ସଂକ୍ରମଣ ଅବସରରେ ନିଜର ଚାକିରି ହରାଇ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତିା ତେବେ ଆମେରିକା ନିଜ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଦୁର୍ଲଭ ଦୀର୍ଘମିଆଦୀ ଏଚ୍-୧ବି ଭିସା ସମେତ ସ୍ବଳ୍ପକାଳୀନ କର୍ମଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍-୨ବି ଭିସା, ସାମୟିକ କର୍ମଜୀବୀଙ୍କ ପାଇଁ ଥିବା ଜେ-୧ ଭିସା ଏବଂ ଅନ୍ତର୍କମ୍ପାନି ବଦଳି ପାଇଁ ଥିବା ଏଲ୍-୧ ଭିସା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ବିଚାରବିମର୍ଶ ଚାଲିଛିା କିଛି ବର୍ଷ ହେଲା ଏଚ୍‌-୧ ଭିସା ପ୍ରକ୍ରିୟାକୁ ଆମେରିକା ଜଟିଳ କରିଚାଲିଥିବା ବେଳେ ସେଥିପାଇଁ ଆବେଦନକରାରୀଙ୍କ ସଂଖ୍ୟା ମଧ୍ୟ କମି ଆସିଛି। ତେବେ ବିଶେଷ କରି ପ୍ରଯୁକ୍ତି ବିଦ୍ୟା ସହ ଜଡ଼ିତ କମ୍ପାନି ବିଦେଶରୁ ଦକ୍ଷ ମାନବ ସମ୍ବଳ ଆମଦାନି ପାଇଁ ଏହି ଭିସା ଉପରେ ହିଁ ନିର୍ଭର କରୁଥିଲେ। ମାତ୍ର କିଛି କମ୍ପାନି ଏହାର ଦୁରୁପଯୋଗ କରି ଧୀରେ ଧୀରେ ଆମେରିକୀୟ ବୃତ୍ତିଧାରୀଙ୍କୁ ହଟାଇ ବିଦେଶୀମାନଙ୍କୁ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଥିଲା। ତେବେ ମୋଟାମୋଟି ଭାବେ ବିଶେଷ କରି କୋଭିଡ୍ ପର ସ୍ଥିତିରେ ଅତ୍ୟନ୍ତ ବ୍ୟାକୁଳ ହୋଇ ଚାକିରି ଲୋଡୁଥିବା ଆମେରିକୀୟଙ୍କୁ ଥଇଥାନ କରିବା ହିଁ ଟ୍ରମ୍ପ୍‌ ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କିଛି ଦିନ ତଳେ ହ୍ବାଇଟ୍‌ ହାଉସ୍ ମୁଖପାତ୍ର ହୋଗାନ୍ ଗିଡ୍‌ଲେ କହିଛନ୍ତିା

ସମ୍ବନ୍ଧିତ ଖବର