କମଳାଙ୍କ ନାଗରିକତ୍ବ ନେଇ ପ୍ରଶ୍ନ ଉଠାଇଲେ ଟ୍ରମ୍ପ୍‌ଙ୍କ ଆଇନ ପରାମର୍ଶଦାତା

ବାରାକ୍‌ ଓବାମାଙ୍କ ନାଗରିକତ୍ବକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ

ୱାସିଂଟନ୍ : ଆଫ୍ରିକୀୟ-ଆମେରିକୀୟ ନାଗରିକ କମଳା ‌ହେରିସ୍‌ଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାପରେ ରାଷ୍ଟ୍ରପତି ଡୋନାଲ୍ଠ ଟ୍ରମ୍ପ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ପ୍ରଚାର ଅଭିଯାନର ଆଇନ ପରାମର୍ଶଦାତା ଜେନା ଏଲିସ୍‌ ପ୍ରଶ୍ନ ଉଠାଇଛନ୍ତି। ତେବେ ବିନା କୌଣସି ବଳିଷ୍ଠ ପ୍ରମାଣ ନଥାଇ ଏଲିସ୍‌ କହିଛନ୍ତି ଯେ, କମଳା ହେରିସ୍‌ ଆମେରିକୀୟ ନାଗରିକ କି ନୁହନ୍ତି ତାହା ସେ ଲୋକଙ୍କୁ ଜଣାଇବା ଉଚିତ୍‌। ଜଣେ ବରିଷ୍ଠ ଆଇନଜୀବୀ ତଥ୍ୟ ରଖିଛନ୍ତି ଯେ, ହେରିସ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବାପାଇଁ ନିର୍ଦ୍ଧା‌ରିତ ସର୍ତ୍ତ ପୂରଣ କରିପାରୁନାହାନ୍ତି। ତେବେ ଏହା କେତେଦୂର ସତ ତାହାକୁ ଆମ ଦଳ ତର୍ଜମା କରିବ ବୋଲି ଏଲିସ୍‌ କହିଛନ୍ତି। ଟ୍ରମ୍ପ୍‌ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ନାଗରିକତ୍ବ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଓବାମା ଆମେରିକାରେ ଜନ୍ମ ଗ୍ରହଣ କରିନାହାନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ। ଏବେ ଟ୍ରମ୍ପ୍‌ଙ୍କ ସହ‌ଯୋଗୀମାନେ ହେରିସ୍‌ଙ୍କ ନାଗରିକତାକୁ ଚ୍ୟାଲେଂଜ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ଆଇନ ପ୍ରଫେସର ଜନ୍‌ ଇଷ୍ଟମ୍ୟାନ୍‌ଙ୍କ ଦ୍ବାରା ନ୍ୟୁଜ୍‌ ୱିକ୍‌ ପତ୍ରିକାରେ ଲିଖିତ ଏକ ପ୍ରବନ୍ଧରେ କୁହାଯାଇଛି ଯେ, ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିବାପାଇଁ ହେରିସ୍‌ ‌ଯୋଗ୍ୟ ନୁହନ୍ତି। ଏହାକୁ ଆଧାର କରି ଟ୍ରମ୍ପ୍‌ ସମର୍ଥକମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର